ଏଟିଏମ୍‌ରୁ ଟଙ୍କା ଗାଏବ ମାମଲା : ଜଳେଶ୍ୱରରୁ ଅଭିଯୁକ୍ତଙ୍କୁ ଗିରଫ କଲା ଛତିଶଗଡ଼ ପୋଲିସ

ଜଳେଶ୍ୱର, ୨୦।୭(ଡି.ଏନ.ଏ.)-ଏଟିଏମ୍‌ରୁ ଚଞ୍ଚକତା କରି ଟଙ୍କା ଗାଏବ ଘଟଣାରେ ଛତିଶଗଡ଼ ରାଜ୍ୟ ରାଜନନ୍ଦଗାଁଓ ଜିଲା ଲାଲବାଗ ଥାନାର ଏକ ପୋଲିସ ଟିମ୍‌ ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ପୋଲିସ ସହଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଉଛନ୍ତି ରାଇବଣିଆ ଥାନା ସର୍ଦ୍ଦାରବନ୍ଧ ପଞ୍ଚାୟତ ମୁଣ୍ଢାକାଟି ଗ୍ରାମର ଟୁନା ସିଂ(୨୦)। ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଟୁନାଙ୍କୁ ଶୁକ୍ରବାର ବାଲେଶ୍ୱରସ୍ଥିତ ସିଜେଏମ୍‌ କୋର୍ଟରେ ହାଜର କରାଯାଇ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ଛତିଶଗଡ଼ ପୋଲିସ ନେଇଯାଇଛି।
ଜାନୁଆରୀ ୩୦ତାରିଖରେ ଲାଲବାଗ ଥାନା ଡୋଲଗଁାଓ ଅଞ୍ଚଳ ଚମରୟା ଗ୍ରାମର ସିକାୟତ କର୍ମାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨ଲକ୍ଷ ୮୦ହଜାର ଟଙ୍କା ବିଭିନ୍ନ ପର୍ଯ୍ୟାୟକ୍ରମେ ବିଭିନ୍ନ ଏଟିଏମ୍‌ କାଉଣ୍ଟରରୁ ଚୋରି ହୋଇଥିବା ପୋଲିସରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଆଇପିସିର ଧାରା ୪୧୯, ୪୨୦ ଓ ଆଇଟି ଆକ୍ଟର ଧାରା ୬୬(ଡି) ଅନୁଯାୟୀ ଏକ ଏଟିଏମ୍‌ରୁ ଅର୍ଥ ହରିଲୁଟ୍‌ ମାମଲା(ନଂ.୪୯/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରେ ପୋଲିସ ତାଙ୍କ ଥାନା ଅଧିନ ମାଲୁକ ଗ୍ରାମର ଚନ୍ଦନ ଦାଦା, ଚରନ ସୋରେନ, ନାରାୟଣ ସିଂ ଓ ଟୁନା ସିଂ ଉକ୍ତ ଠକେଇରେ ସାମିଲ ଥିବା ଜାଣିବାକୁ ପାଇଥିଲା। ଟୁନା ଗିରଫ ହେବା ପରେ ତାଙ୍କ ବୟାନ ଅନୁଯାୟୀ, ତାର ସମ୍ପର୍କୀୟ ବଡ଼ଭାଇ ଏହାର ମାଷ୍ଟରମାଇଣ୍ଡ। ଟୁନା ଯୁକ୍ତ ୨ରେ ପାଠ ପଢୁଥିବାବେଳେ ତାଙ୍କ ଏଟିଏମ୍‌ କାର୍ଡ଼କୁ ସମ୍ପର୍କୀୟ ବଡ଼ଭାଇ ମାଗି ନେଇଥିଲେ। ଏହି ଏଟିଏମ୍‌ କାର୍ଡ଼କୁ ସେ ଅନ୍ୟ ୨ଜଣ ଯୁବକଙ୍କୁ ହସ୍ତାନ୍ତର କରିଥିଲେ। ଉକ୍ତ ୨ ଯୁବକ ସେହି ଏଟିଏମ୍‌ କାର୍ଡ଼କୁ ବାରମ୍ବାର ବ୍ୟବହାର କରି ଏହିଭଳି ଅର୍ଥ ହରିଲୁଟ୍‌ କରିବାରେ ଲାଗିପଡିଥିଲେ। ଏଟିଏମ୍‌ରୁ ଅର୍ଥ ହରିଲୁଟ୍‌ କରୁଥିବା ଟିମ୍‌କୁ କାବୁ କରିବା ପାଇଁ ଜାଲ ବିଛାଯାଇଛି ବୋଲି ଲାଲବାଗ ଥାନା ଏସ୍‌ଆଇ ଓଁମକାର ଦିୱାନ୍‌, ରାଇବଣିଆ ଥାନା ଓଆଇସି ରବୀନ୍ଦ୍ରନାଥ ବେହେରା ଏବଂ ଏଏସ୍‌ଆଇ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି।