ଏଇ ଭାରତରେ

ବିବିଧତାର ଦେଶ ଭାରତ। ଏଠାରେ ବିଭିନ୍ନ ଜାତି କିମ୍ବା ବର୍ଗର ଲୋକଙ୍କ ସଂସ୍କୃତି ଓ ପରମ୍ପରାରେ ଭିନ୍ନତା ଦେଖିବାକୁ ମିଳେ। ଏଥିମଧ୍ୟରେ ବସନ୍ତ ଋତୁର ଆଗମନ ପୂର୍ବରୁ କଶ୍ମୀରରେ ପାଳିତ ବାସ୍କେଟ ଫିଶିଂ ଫେଷ୍ଟିଭାଲ ଅନ୍ୟତମ। ଏହା ଏକ ନିଆରା ମାଛଧରା ପର୍ବ। ଲୋକମାନେ ସ୍ଥାନୀୟ ଝରଣା କିମ୍ବା ନଦୀକୂଳରେ ଏକାଠି ହୁଅନ୍ତି। ପୁରୁଷ, ମହିଳା ଏପରି କି ପିଲାମାନେ ଏହି ମାଛଧରା ପର୍ବରେ ସାମିଲ ହୋଇଥା’ନ୍ତି। ସେମାନେ ଟୋକେଇ ଧରି ମାଛ ଧରିବାକୁ ପ୍ରସ୍ତୁତ ହୋଇ ରହିଥାଆନ୍ତି। ‘ଯାଅ’ କହିବା କ୍ଷଣି ସେମାନେ ପାଣିରେ ପଶି ଟୋକେଇରେ ମାଛ ଧରିବା ଆରମ୍ଭ କରିଦିଅନ୍ତି। ଟୋକେଇକୁ ପାଣିରେ ବୁଡ଼ାଇ ଉଠାଇବା ପରେ ସେଥିରେ ଦଳ, ଶିଉଳି ଓ ଘାସ ସହ ମାଛ ବି ଥାଏ। ଏଭଳି ମାଛ ଧରିବା ସେମାନଙ୍କ ଭାଗ୍ୟକୁ ଦର୍ଶାଇଥାଏ। ଅର୍ଥାତ୍‌ ଯେଉଁମାନଙ୍କ ଟୋକେଇରେ ଦଳ ମଧ୍ୟରେ ଅଧିକ ମାଛ ରହେ, ସେମାନେ ଭାଗ୍ୟଶାଳୀ ବୋଲି ବିବେଚିତ ହୁଅନ୍ତି। ଲୋକମାନେ ଧରୁଥିବା ମାଛକୁ ସେମାନଙ୍କ ମୁଣ୍ଡରେ ବନ୍ଧା ହୋଇଥିବା ବ୍ୟାଗରେ ରଖନ୍ତି। ଉକ୍ତ ପର୍ବ ପାଳନ କରିବା ପଛରେ ଥିବା ଆଉ କାହାଣୀ କହେ ଯେ, ଏଭଳି ମାଛଧରା ଯୋଗୁ ଝରଣା ଓ ନଦୀରୁ ଘାସ ଓ ଶିଉଳି ସଫା ହୋଇଯାଏ; ଯାହା ବ୍ୟବହାର ଉପଯୋଗୀ ହୋଇଥାଏ।