ଏଇ ଭାରତରେ

ବିଭିନ୍ନ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରାଯିବା ପାଇଁ ଅନେକ ଉପାୟ ସାମ୍‌ନାକୁ ଆସିଥିଲେ ବି ଏବେ କାଗଜ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରିବା ଲାଗି ଏକ ପ୍ରକାର ଥ୍ରି-ଇନ୍‌-ଓ୍ବାନ୍‌ ଷ୍ଟୋଭ୍‌ ନିର୍ମାଣ କରିଛନ୍ତି କେରଳର ଅବଦୁଲ କରିମ୍‌। ଲକ୍‌ଡାଉନ ତାଙ୍କୁ ଏଭଳି ଏକ ଷ୍ଟୋଭ୍‌ ନିର୍ମାଣ କରିବା ଲାଗି ସୁଯୋଗ ଦେଇଛି। ଅବଦୁଲଙ୍କ ବୟସ ଏବେ ୫୭। କିନ୍ତୁ ଅବଦୁଲ ଯେଉଁ ଷ୍ଟୋଭ ନିର୍ମାଣ କରିଛନ୍ତି ସେଥିରୁ ପାରମ୍ପରିକ ଷ୍ଟୋଭ୍‌ ତୁଳନାରେ ବହୁତ କମ୍‌ ଧୂଆଁ ବାହାରୁଛି। ଏହି ଷ୍ଟୋଭ୍‌ର ନାମ ରଖିଛନ୍ତି ରକେଟ୍‌ ଷ୍ଟୋଭ୍‌ ଓ ଏଥିରେ ସହଜରେ ଶୀଘ୍ର ରୋଷେଇ କରାଯାଉଛି। ଏହା ମଧ୍ୟରେ ବି ଏକ ଓଭାନ ଏବଂ ଓ୍ବାଟର ହିଟର୍‌ ରହିଛି। ଇନ୍ଧନ ପାଇଁ ଷ୍ଟୋଭ୍‌ରେ କାଠ, ଷଢେଇ ବି ବ୍ୟବହାର କରାଯାଇପାରିବ। ଅବଦୁଲଙ୍କର କୋଚିସ୍ଥିତ ଏକ୍ସେଲେଣ୍ଟ ଇଞ୍ଜିନିୟରିଂ କମ୍ପାନୀରେ ଏହି ଷ୍ଟୋଭ ନିର୍ମାଣ କରିବାରେ ଲାଗିଛନ୍ତି। ଏହି ଷ୍ଟୋଭରେ ବିଭିନ୍ନ ଶୁଖିଲା ବର୍ଜ୍ୟ ମଧ୍ୟ ବ୍ୟବହାର କରାଯାଇ ପାରିବ ବୋଲି କହନ୍ତି ଅବଦୁଲ। ମାଟି ହାଣ୍ଡିଠାରୁ ଆରମ୍ଭ କରି ନନ୍‌ ଷ୍ଟିକ୍‌ ପ୍ୟାନ୍‌ ଯାଏ ସବୁ ପ୍ରକାର ପାତ୍ରରେ ରୋଷେଇ କରାଯାଇପାରିବ। ମେଟାଲ ସିଟ୍‌ରେ ଏହାକୁ ନିର୍ମାଣ କରାଯାଇଛି। ୫,୦୦୦ ଟଙ୍କାରୁ ଆରମ୍ଭ କରି ୨୦,୦୦୦ ଟଙ୍କା ମୂଲ୍ୟର ୪ଟି ମଡେଲ୍‌ରେ ଏହା ଉପଲଧ। ସବୁଠୁ ଛୋଟ ଷ୍ଟୋଭର ଓଜନ ୨୦ କେଜି। ରକେଟ ଷ୍ଟୋଭ ପାଇଁ ଏବେ ଅବଦୁଲ ୧୦୦ଟି ଅର୍ଡର ପାଇସାରିଛନ୍ତି।