ଏଇ ଭାରତରେ

ନିଷ୍ଠାପର ଉଦ୍ୟମ ବଳରେ ଯେ ଲକ୍ଷ୍ୟ ହାସଲ କରିବା ସହଜ ହୋଇଥାଏ , ଯାହାର ଚାକ୍ଷୁଷ ପ୍ରମାଣ ମିଳିଛି କେରଳର ସିନତ କୋକ୍କୁରଙ୍କ ଜୀବନରେ। ସେ ମହିଳା ଚାଷୀମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ମାତ୍ର ୫ ବର୍ଷ ମଧ୍ୟରେ ସେ ଗାଁର ମହିଳାମାନଙ୍କୁ ଜୈବିକ ଚାଷ ଆଡ଼କୁ ଆକର୍ଷିତ କରିପାରିଛନ୍ତି। ଏବେ ମହିଳାମାନେ ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି ଓ ତାହାକୁ ବିକ୍ରି କରି ଲାଭ ପାଉଛନ୍ତି। ସିନତଙ୍କ ବର୍ତ୍ତମାନ ବୟସ ୪୦। ସେ ଦଶମ ଯାଏ ପଢ଼ିଛନ୍ତି। ପଢ଼ା ଛାଡିବା ପରେ ତାଙ୍କ ବାହାଘର ହୋଇଥିଲା। ଶାଶୁଘରକୁ ଆସିବା ପରେ ସେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ମନ୍ନୁଥି ଏଗ୍ରିକଲ୍‌ଚର ୟୁନିଭର୍ସିଟିରୁ ୨୦ଟି ଗ୍ରୋ ବ୍ୟାଗ୍‌ ଆଣି ସେଥିରେ ଟମାଟୋ ଗଛ ଲଗାଇଥିଲେ। ପରେ ସେ ବିଲରେ ଭେଣ୍ଡି, ଲଙ୍କା ଓ ଫୁଲକୋବି ଚାଷ କରି ସଫଳ ହୋଇଥିଲେ। ଚାଷ କରିବାର କିଛି ଦିନ ପରେ ସେ ଗାଁର ୧୦ ଜଣ ମହିଳାଙ୍କୁ ନେଇ ୨୦୧୫ରେ ‘ପେନ୍‌ମିତ୍ରା’ ନାମକ ଏକ ଗ୍ରୁପ୍‌ କରି ତା’ମାଧ୍ୟମରେ ବିଭିନ୍ନ ପ୍ରକାର ପରିବା, ଫଳ ଓ ଧାନଚାଷ ଆରମ୍ଭ କରିଥିଲେ। ୫ ବର୍ଷ ମଧ୍ୟରେ ଏବେ ଉକ୍ତ ଗ୍ରୁପ୍‌ରେ ୫୦ ଜଣ ମହିଳା ସାମିଲ ହୋଇଛନ୍ତି। ୫ ଏକର ଜମିରେ ସେମାନେ ଧାନଚାଷ ବି କରୁଛନ୍ତି। ମହିଳାମାନେ କୁକୁଡା ଚାଷ ଓ ଗୋପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳାମାନଙ୍କ ଉଦ୍ୟମକୁ ଲକ୍ଷ୍ୟ କରି କୋକ୍କୁର ଗାଁର ଯୁବକମାନେ ବି ଚାଷରେ ଲାଗିଯାଇଛନ୍ତି।