ଏଇ ଭାରତରେ

ଭାଷାକୁ କୌଣସି ସମ୍ପ୍ରଦାୟର ପରିସୀମାରେ ରଖାଯାଇ ପାରେନା ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନର ଅଧ୍ୟାପିକା ଛୋଟୁ ମୀନା। ତାଙ୍କୁ ବର୍ତ୍ତମାନ ବୟସ ୩୯ ବର୍ଷ। ସେ ଟୋଙ୍କ ଜିଲାର ପିପ୍‌ଲୁସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ସହ-ପ୍ରାଧ୍ୟାପିକା ଅଛନ୍ତି। ଏହି କଲେଜରେ ଛାତ୍ରୀମାନଙ୍କୁ ସେ ଉର୍ଦ୍ଦୁ ପଢାଉଛନ୍ତି। ଏମିତିକି ଏମାନଙ୍କ ମଧ୍ୟରେ ୧୫ ଜଣ ହିନ୍ଦୁ ଛାତ୍ରୀ ବି ଉର୍ଦ୍ଦୁ ପଢୁଛନ୍ତି। ଏହି ଛାତ୍ରୀମାନେ ସମସ୍ତେ ମୁସଲମାନ ବହୁଳ ଜିଲା ଟୋଙ୍କରେ ରୁହନ୍ତି। ଜଣେ ହିନ୍ଦୁ ହୋଇ ପିଲାମାନଙ୍କୁ ଉର୍ଦ୍ଦୁ ପଢାଇବା ଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ବୋଲି କୁହନ୍ତି ଛୋଟୁ। ଏଠାରେ ଛାତ୍ରମାନେ ଉର୍ଦ୍ଦୁକୁ ହିନ୍ଦୁସ୍ଥାନୀ ଭାଷା ବୋଲି ବିଚାର କରି ତାହାକୁ ପଢିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଛୋଟୁ ମୀନା ନୁହନ୍ତି ଟୋଙ୍କର ସରକାରୀ ମହାବିଦ୍ୟାଳୟରେ କୃଷ୍ଣକୁମାର ମୀନା ବି ଉର୍ଦ୍ଦୁ ପଢାଉଛନ୍ତି। ଏହି ମହାବିଦ୍ୟାଳୟରେ ଉର୍ଦ୍ଦୁ ପଢୁଥିବା ସବୁ ଛାତ୍ରଙ୍କ ମଧ୍ୟରେ ୪୦ ପ୍ରତିଶତ ହିନ୍ଦୁ ଛାତ୍ର ରହିଛନ୍ତି। ସେହିଭଳି କୋଟା ଜିଲାର ସଙ୍ଗୁଡ ସହରରେ ଥିବା ସରକାରୀ ମହାବିଦ୍ୟାଳୟର ୩୮ବର୍ଷୀୟା ଅଧ୍ୟାପିକା ସୁନୀତା ଚାଓ୍ବାଲା ମଧ୍ୟ ଉର୍ଦ୍ଦୁ ପଢାଉଛନ୍ତି। ଭାରତ ‘ବସୁଧୈବ କୁଟୁମ୍ବକମ୍‌ ’ (ସାରା ବିଶ୍ୱ ଏକ ପରିବାର) ଉପରେ ବିଶ୍ୱାସ କରେ ଓ ଆମେ ଯଦି ସମ୍ପ୍ରଦାୟର ପ୍ରିଜମ୍‌ ମାଧ୍ୟମରେ ଭାଷାକୁ ଦେଖିବା ତେବେ ଏହା ଆମର ସଂକୀର୍ଣ୍ଣ ଭାବକୁ ପ୍ରକାଶ କରିବ ବୋଲି ମତ ଦିଅନ୍ତି ସୁନୀତା। ସେହିପରି ରାଜସ୍ଥାନ ବିଶ୍ୱବିଦ୍ୟାଳୟର ୩୨ ବର୍ଷ ବୟସ୍କ ମୁକେଶ କୁମାର ଉର୍ଦ୍ଦୁର ସହ-ପ୍ରାଧ୍ୟାପକ ଅଛନ୍ତି। ଉର୍ଦ୍ଦୁ ସମେତ ଅନ୍ୟ ଭାଷା ହେଉଛି ଲିଟରେଚର। ଏହାକୁ ପଢାଇବା ବା ପଢିବା ସଭିଙ୍କର ଅଧିକାର ବୋଲି ସେ କହିଛନ୍ତି।