ଏଇ ଭାରତରେ

ପଟିଆଲାର ଝିଅ ସନ୍ଧ୍ୟା। ପଟିଆଲା ଟ୍ରକ୍‌ ସଂଘ ନିକଟସ୍ଥ ଏକ ବସ୍ତିରେ ଝୁମ୍ପୁଡି ଘରେ ପାଞ୍ଚ ଭଉଣୀ-ଭାଇ ଓ ମାଆବାପାଙ୍କ ସହ ରହନ୍ତି ସେ। ସକାଳ ହେଲେ ତାଙ୍କ ମା’ ଜରି ପ୍ଲାଷ୍ଟିକ ଗୋଟାଇବାକୁ ବାହାରିଯାନ୍ତି। ବାପା ଜଣେ ବୁଲାବିକାଳି। ପାଞ୍ଚ ଭଉଣୀ ଓ ଭାଇଙ୍କ ମଧ୍ୟରେ ସନ୍ଧ୍ୟା ବଡ଼। ଏଣୁ ପରିବାରର ଅଭାବ ଅନଟନ ପୂରଣ କରିବା ପାଇଁ ତାଙ୍କୁ ଭିକ୍ଷା ମାଗିବାକୁ ପଡେ। କିନ୍ତୁ ‘ପଢିବି ଆଗକୁ ବଢିବି’ ଏହି ଇଚ୍ଛା ପୂରଣ କରିବା ଲାଗି ସେ ଭିକ ମାଗିବା ଛାଡି ପଢିଛନ୍ତି। ଦଶମ ପାସ୍‌ କରିଛନ୍ତି। ପଢିବା ଭିତରେ ଅର୍ଥାଭାବ ପୂରଣ କରିବା ପାଇଁ ଦୋକାନୀମାନଙ୍କ ଘରେ କାମ ବି ସେ କରିଛନ୍ତି। ବସ୍ତିରେ ଦିନେ ଶିକ୍ଷାର ନୂଆ ସକାଳ ଆସିବ ବୋଲି କେହି କେବେ ଭାବି ନ ଥିଲେ। କିନ୍ତୁ ଦାରିଦ୍ର୍ୟର ଶିକୁଳି ଛିଣ୍ଡାଇ ଶିକ୍ଷାର ଏହି ସକାଳ ନେଇ ଆସିଛନ୍ତି ସନ୍ଧ୍ୟା। ଦଶମ ପାସ୍‌ କରିବା ପରେ ବେଙ୍ଗାଲୁରୁସ୍ଥିତ ନୂଆ ଗୁରୁକୁଳ ସଂସ୍ଥା ଦ୍ୱାରା ପରିଚାଳିତ ଏକ ବର୍ଷର ସଫ୍ଟଓ୍ବେର ଡେଭ୍‌ଲପ୍‌ମେଣ୍ଟ କୋର୍ସର ପ୍ରବେଶିକା ପରୀକ୍ଷାରେ ସନ୍ଧ୍ୟା ପାସ୍‌ କରିଛନ୍ତି। ସେଠାରେ ବର୍ଷେ ଶିକ୍ଷାଲାଭ କରିବା ପରେ ସଫ୍ଟଓ୍ବେର ବିକାଶ କରିବା ଲାଗି ସକ୍ଷମ ହୋଇପାରିବେ ଓ ତାଙ୍କ ପରିବାରର ଦାରିଦ୍ର୍ୟ ଦୂର ହୋଇଯିବ ବୋଲି ଆଶା ରଖିଛନ୍ତି ସନ୍ଧ୍ୟା। ବସ୍ତିର ଝିଅ ସନ୍ଧ୍ୟା ଏବେ ସଭିଙ୍କ ପାଇଁ ଆଦର୍ଶ ପାଲଟିଯାଇଛନ୍ତି। ବସ୍ତିର ଅନ୍ୟ ପିଲାମାନେ ବି ସନ୍ଧ୍ୟାଙ୍କ ଭଳି ପଢିବା ଆରମ୍ଭ କରିଦେଇଛନ୍ତି। ‘ଏଭ୍ରି ହ୍ୟାଣ୍ଡ୍‌ ପେନ୍‌’ ନାମକ ସଂସ୍ଥା ସନ୍ଧ୍ୟାଙ୍କୁ ପଢିବାରେ ସାହାଯ୍ୟ କରିଛି ।
ଜୀବନରେ ଆଉ ଏମିତି ଅନ୍ଧାର କେବେ ନ ଆସୁ ବୋଲି ସେ କହିଛନ୍ତି। ନିଜେ ରୋଜଗାର କରିବା ପରେ ତାଙ୍କ ଭଳି ଅସହାୟମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ସନ୍ଧ୍ୟା।