ଉଲିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଘ ଆତଙ୍କ: ବନ ବିଭାଗ ଏବଂ ମଙ୍ଗଳ ବିଭାଗର ତଦନ୍ତ,ତୁରନ୍ତ ବାଘକୁ ଚିହ୍ନଟ କରିବାକୁ ଦାବି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଝିଞ୍ଜିରଗୁଡ଼ା ପଞ୍ଚାୟତରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲ ପରିସର ମଧ୍ୟରେ ବାଘ ଆତଙ୍କ ଦେଖାଯାଇଛି। ଶୁକ୍ରବାର ଭୋର ସମୟରେ ବିଦ୍ୟାଳୟର କୁକୁ କମ୍‌ ଆଟେଣ୍ଡାଣ୍ଟଙ୍କ ସ୍ବାମୀ ଅମିତ ମଲ୍ଲିକ ନିଜ ବାସଭବନ ବାହାରକୁ ବାହାରିଥିବା ସମୟରେ ବାଘଟି ହଷ୍ଟେଲ ପାଚେରୀ ଡେଇଁ ଭିତରକୁ ଆସିଥିଲା ସେହି ସମୟରେ ହଷ୍ଟେଲ ଭିତରେ ୨୦୩ ଜଣ ଛାତ୍ରୀ ରହିଥିଲେ ଏଣୁ ବିପଦ ଟଳିଗଲା ବୋଲି ସେ କହିଛନ୍ତି । ଏ ନେଇ ସେ ପ୍ରଧାନଶିକ୍ଷକ ବରଜୁ ପ୍ରସାଦ ନାୟକଙ୍କୁ ଜଣାଇଥିଲେ ା ଘଟଣାଟି ଗୁରୁତର ହୋଇଥିବା ବେଳେ ହଷ୍ଟେଲରେ ରହିଥିବା ଛାତ୍ରୀଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ସନ୍ଧ୍ୟା ହେଲେ କବାଟ ବନ୍ଦ କରି ସମସ୍ତ ଛାତ୍ରୀ ଏବଂ କର୍ମଚାରୀ ରହୁଛନ୍ତି ା କାହାର ଦେହ ଖରାପ ହେଲେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଏ ନେଇ ପ୍ରଧାନ ଶିକ୍ଷକ ନାୟକ ଦାରିଙ୍ଗବାଡ଼ି ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ୍‌ୁ ଅବଗତ କରାଇଥିଲେ। ସୋମବାର ମଙ୍ଗଳ ସଂପ୍ରସାରଣ ଅଧିକାରୀ ମଙ୍ଗୁଳି ଚରଣ ପ୍ରଧାନ, ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ, ବନପାଳ ନବୀନ କିଶୋର ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।ତେବେ ହଷ୍ଟେଲ ପରିସର ଜଙ୍ଗଲ ଏବଂ ଘାସ ଯୋଗୁଁ ବାଘର ପାଦ ଚିହ୍ନ ଚିହ୍ନଟ ହୋଇପାରିନାହିଁ । ତେବେ ଏହା ଏକ ହେଟା ବାଘ ହୋଇଥିବା ବନ ବିଭାଗ ଆଶଙ୍କା କରିଛି। ଘଟଣା ସମ୍ପର୍କରେ ବନ ବିଭାଗ ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱନାଥନ ନିଲନଭରଙ୍କୁ ଅବଗତ କରାଇଥିବାବେଳେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ପ୍ରଧାନ ଘଟଣା ସମ୍ପର୍କରେ କନ୍ଧମାଳ ଜିଲାପାଳ ଡ.ବୃନ୍ଦା ଡିଙ୍କ ସମେତ ଜିଲା ମଙ୍ଗଳ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିବା କହିଛନ୍ତି ।
ବିଦ୍ୟାଳୟ ଏବଂ ହଷ୍ଟେଲ ଅଞ୍ଚଳ ପାଚେରି ଥିଲେ ମଧ୍ୟ ବିଦ୍ୟାଳୟଟି ଜଙ୍ଗଲ ମଧ୍ୟରେ ରହିଛି। ଏହା ଉହାମାହା ପାହାଡ଼ ନିକଟକୁ ଲାଗି ରହିଛି। ପାହାଡ଼ଟି ଉଚ୍ଚରେ ରହିଥିବା ବେଳେ ପାଚେରୀ ତଳେ ରହିଛି। ଏଣୁ ପାଚେରି ଉପରେ ତାରବାଡ଼ ଶିଘ୍ର କରାଯିବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ବରଜୁ ପ୍ରସାଦ ନାୟକ କହିଛନ୍ତି । ତେବେ ବାଘ ପ୍ରଥମେ ଫେବୃଆରୀରେ ଏଭଳି ହଷ୍ଟେଲ ଭିତରକୁ ଆସିଥିଲା। ଏପରିକି ବିଦ୍ୟାଳୟ କର୍ମଚାରୀ ସାନ୍ତା ମାଝୀ ଏବଂ ସେବତୀ ମଲ୍ଲିକ ମଧ୍ୟ ଏକାଧିକ ଥର ଦେଖିଛନ୍ତି। ବାଘ ହଷ୍ଟେଲ ଭିତରକୁ ୪ ଥର ଆସିଥିବା ପ୍ରଧାନ ଶିକ୍ଷକ ନାୟକ କହିଛନ୍ତି। ଏହି ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ବନ ବିଭାଗ ତୁରନ୍ତ ବାଘକୁ ଚିହ୍ନଟ କରି ଧରିବା ପାଇଁ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।