ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ମାନସମନ୍ଥନ କାର୍ଯ୍ୟକ୍ରମ:ନାଗରିକ କୈନ୍ଦ୍ରିକ ପ୍ରଶାସନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟର ଜନସାଧାରଣଙ୍କ ନିକଟରେ ପ୍ରଶାସନ ଉତ୍ତରଦାୟୀ। ନାଗରିକ କେନ୍ଦ୍ରିକ ପ୍ରଶାସନ ପାଇଁ ସମସ୍ତ ଉଦ୍ୟମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କହିଛନ୍ତି। ସଚିବାଳୟରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସମସ୍ତ ବିଭାଗୀୟ ସଚିବ, ଜିଲାପାଳ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ହୋଇଥିବା ମାନସମନ୍ଥନ(ବ୍ରେନଷ୍ଟ୍ରୋମିଂ) କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ଏହି କଥା କହିଛନ୍ତି। ବିଗତ ଦିନଗୁଡିକରେ ୩ଟି ପ୍ରମୁଖ କ୍ଷେତ୍ରରେ ରାଜ୍ୟରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ୫-ଟି ମନ୍ତ୍ରକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।
ସବୁ କାର୍ଯ୍ୟରେ ବୈଷୟିକ ବିଦ୍ୟା, ସ୍ବଚ୍ଛତା, ଦଳଗତ କାର୍ଯ୍ୟ, ସମୟାନୁବର୍ତ୍ତିତା, ପରିବର୍ଦ୍ଧିତ ପଦକ୍ଷେପ ହିଁ ସଫଳତା ଦେଇଥାଏ। ତେଣୁ ଏହି ୫ଟିକୁ ସମସ୍ତେ ଧ୍ୟାନ ରଖି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଅତୀତରେ ଏହି ୫-ଟି ମନ୍ତ୍ର ହିଁ ରାଜ୍ୟକୁ ସଫଳତା ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମତଃ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ଦ୍ୱିତୀୟରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ଦେବା ଏବଂ ତୃତୀୟତଃ ମାଓବାଦୀ କାର୍ଯ୍ୟକ୍ରମ ହ୍ରାସ କରିବା କ୍ଷେତ୍ରରେ ରାଜ୍ୟ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ ସାରା ଦେଶରେ ଓଡ଼ିଶା ପ୍ରଶଂସା ପାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଉତ୍ତରଦାୟୀ କରିବା ପାଇଁ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବ। ଏଣିକି ସମସ୍ତ ଜିଲାର ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ପିସିସିଏଫ୍‌ ପାହ୍ୟା ପର୍ଯ୍ୟନ୍ତ କାର୍ଯ୍ୟରତ ଭାରତୀୟ ଜଙ୍ଗଲ ସେବା(ଆଇଏଫ୍‌ଏସ୍‌) ଅଧିକାରୀମାନେ ନିଜର ବାର୍ଷିକ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ। ଏହି ରିପୋର୍ଟଗୁଡିକକୁ ତର୍ଜମା କରାଯିବା ସମୟରେ ୫-ଟି ମନ୍ତ୍ର କାର୍ଯ୍ୟକାରିତା ନେଇ ୨୦ ପ୍ରତିଶତ ନମ୍ବର ରହିବ। ସେହିଭଳି ବିଭିନ୍ନ ନିର୍ଦ୍ଦେଶାଳୟ ଗୁଡିକରେ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି।
ପୂର୍ତ୍ତ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶକ୍ତି, ଉଚ୍ଚଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ମଧ୍ୟ ନୂତନ ପଦ୍ଧତିରେ ୫-ଟି ମନ୍ତ୍ର କିପରି ଲାଗୁ ହେବ, ସେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜଣାପଡିଛି।