ଇଲେକ୍ଟୋରାଲ-ବଣ୍ଡର ବିକଳ୍ପ

ଲଳିତ ମୋହନ ମିଶ୍ର

ଏହି ଏତିହାସିକ ଘଟଣାକ୍ରମେ ସର୍ବୋଚ୍ଚ ନ୍ୟାୟାଳୟ ଗତ ମାସରେ ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥାକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଲେ। ଆଗରୁ ଏହି ବ୍ୟବସ୍ଥା ନଥିଲା। ରାଜନୈତିକ ଦଳଗୁଡ଼ିକ ବ୍ୟକ୍ତିବିଶେଷ ଓ ବ୍ୟବସାୟୀଙ୍କଠାରୁ ଅନୁଦାନ ଗ୍ରହଣ କରୁଥିଲେ। ୨୦୧୭-୨୦୧୮ରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା ଆଇନତଃ କାର୍ଯ୍ୟକାରୀ କଲେ। ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ, ବିଭିନ୍ନ ରାଶିର ବଣ୍ଡ୍‌ ବର୍ଷର ପ୍ରତି କ୍ୱାର୍ଟରରେ ବିକିଲେ ଓ ଦାତାମାନେ ଏହାକୁ କିଣି ବିଭିନ୍ନ ରାଜନୈତିକ ଦଳକୁ ଦାନ କଲେ। ଏହି ତଥ୍ୟ ଗୋପନୀୟ ରହିବାର ବ୍ୟବସ୍ଥା ରହିଲା। ଷ୍ଟେଟ୍‌ବ୍ୟାଙ୍କ, ସରକାରୀ ସଂସ୍ଥା ହୋଇଥିବାରୁ କିଏ କାହାକୁ କେତେ ଟଙ୍କା ଦେଲା, ତାହା କେବଳ କେନ୍ଦ୍ରର ଶାସକଦଳ ଜାଣିପାରୁଥିଲେ। ଅନୁମାନ କରାଗଲା , କର୍ପୋରେଟମାନେ ଚାନ୍ଦାରେ ଅଗ୍ରଣୀ ଅଛନ୍ତି। ଲୋକେ ଅଭିଯୋଗକଲେ, ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା ଦେଶରେ କ୍ରୋନି -କ୍ୟାପିଟାଲିଜିମକୁ ଖୋଲାଖୋଲି ଉତ୍ସାହିତ କଲା। ଯେଉଁ କର୍ପୋରେଟମାନେ ସରକାରୀ ଦଳକୁ ଚାନ୍ଦା ଦେଲେ, ସେମାନେ ବିଭିନ୍ନ ଫାଇଦା ପାଉଥିବା ଲୋକେ ସନ୍ଦେହ କଲେ। ଶେଷରେ ମାମଲା ସର୍ବୋଚ୍ଚ ଅଦାଲତକୁ ଗଲା। ସୁପ୍ରିମ୍‌କୋର୍ଟ, ବଣ୍ଡ ବ୍ୟବସ୍ଥା, ସୂଚନା ଅଧିକାର ଆଇନ ଓ ସମ୍ବିଧାନର ଧାରା-୧୯କୁ ଉଲ୍ଲଂଘନ କରୁଛି ଦର୍ଶାଇ ରଦ୍ଦ କଲେ। ତେବେ ମୌଳିକ ପ୍ରଶ୍ନ ହେଲା ଯେ, ରାଜନୈତିକ ଦଳଗୁଡ଼ିକର ଦଳ ପରିଚାଳନା ଓ ନିର୍ବାଚନ ପାଇଁ କେତେ ଟଙ୍କା ଆବଶ୍ୟକ ଓ ଏହା କିପରି ଆସିବ?
ରାଜନୈତିକ ଦଳ ଏକ ଅଣ ଲାଭକାରୀ ଓ ଅନୁଦାନ ଉପରେ ନିର୍ଭରଶୀଳ ସଂସ୍ଥା। ସ୍ବାଧୀନତା ପରବର୍ତ୍ତୀ ୧୯୫୨ରେ ଅନୁଷ୍ଠିତ ପ୍ରଥମ ସାଧାରଣ ନିର୍ବାଚନରେ ଦଳଗୁଡ଼ିକ ମୌଳିକ ଆବଶ୍ୟକତା ପାଇଁ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରିଥିଲେ। କ୍ରମଶଃ ନିର୍ବାଚନ ବ୍ୟୟବହୁଳ ହେବାକୁ ଲାଗିଲା। ଲୋକଙ୍କୁ ନିର୍ବାଚନବେଳେ ଟଙ୍କା ଓ ଅନ୍ୟାନ୍ୟ ଆକର୍ଷଣୀୟ ବସ୍ତୁ ବେଆଇନ ଭାବେ ବଣ୍ଟା ହେଲା। କଳା ଟଙ୍କା ଦଳଗୁଡ଼ିକ ପାଖକୁ ନିର୍ବାଚନବେଳେ ଆସିଲା। ଆହୁରି ଅଧିକ ଟଙ୍କା ଆବଶ୍ୟକ ହେବାରୁ ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା ପ୍ରଚଳିତ ହେଲା। ଏହି ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ରଦ୍ଦ କରିବା ପୂର୍ବରୁ ଜାନୁଆରୀ ୨୦୨୪ରେ ଦଳଗୁଡ଼ିକ ଇଲେକ୍ଟୋରାଲ ବଣ୍ଡରେ ଟଙ୍କା ନେଇ ସାରିଛନ୍ତି। ତେଣୁ ରଦ୍ଦର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନ ଉପରେ ପଡ଼ିବ ନାହିଁ। ଇଲେକ୍ଟୋରାଲ ବଣ୍ଡ ବ୍ୟବସ୍ଥା ପ୍ରଚଳିତ ହୋଇଥିବାବେଳେ ବି କଳାଟଙ୍କା ବହୁଳ ଭାବରେ ନିର୍ବାଚନ ସମୟରେ ବ୍ୟବହୃତ ହୋଇଥିଲା। ତେଣୁ ସମସ୍ୟା ହେଲା ନିର୍ବାଚନୀ ଖର୍ଚ୍ଚକୁ କିପରି ହା୍ରସ କରିହେବ।
ଯଦି ଦଳଗୁଡ଼ିକ ଏତେ ଟଙ୍କା ନିର୍ବାଚନରେ ସାରିବାକୁ ବସିଛନ୍ତି, ତେବେ ନିଜେ ବ୍ୟବସାୟିକ ସଂସ୍ଥା ପାଲଟି ଯାଉନାହାନ୍ତି କାହିଁକି? ଖଣି ବ୍ୟବସାୟ, ରିଅଲ ଇଷ୍ଟେଟ୍‌, ଶିଳ୍ପ କରନ୍ତୁ ଏବଂ ଟଙ୍କା ଆୟ କରି ଖର୍ଚ୍ଚ କରନ୍ତୁ। ଏହାଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବ। ଅପରପକ୍ଷରେ ଚାନ୍ଦା ନେଇ ଚଳିଲେ ଗଣତନ୍ତ୍ର ସୁରକ୍ଷିତ ରହିବ ନାହିଁ।
ଏବେ ପୁଣି ଫେରିବା ଦଳଗୁଡ଼ିକର ଟଙ୍କା ଆବଶ୍ୟକତା ବିଷୟକୁ। ଦଳଗୁଡ଼ିକର ଦୁଇ ପ୍ରକାରର ଖର୍ଚ୍ଚ ଥାଏ, ଯଥା- ଅଣନିର୍ବାଚନୀ ଖର୍ଚ୍ଚ ଓ ନିର୍ବାଚନୀ ଖର୍ଚ୍ଚ। ଅଣନିର୍ବାଚନୀ ଖର୍ଚ୍ଚ ମଧ୍ୟରେ ଅନ୍ତର୍ଭୁକ୍ତ କାର୍ଯ୍ୟାଳୟ ପରିଚାଳନା, କାର୍ଯ୍ୟକାରିଣୀ ବୈଠକ, ପ୍ରତିଷ୍ଠା ଦିବସ ପାଳନ, କର୍ମୀ ତାଲିମ ଓ କେତେକ ଜନସଭା ଖର୍ଚ୍ଚ। ଏହି ଖର୍ଚ୍ଚର ପରିମାଣ ନଗଣ୍ୟ ହୋଇଥିବାରୁ ଦଳଗୁଡ଼ିକର ବରିଷ୍ଠ ନେତା ଓ ବଡ଼ ବଡ଼ ସମର୍ଥକ ଏହି ଖର୍ଚ୍ଚ ତୁଲାଇପାରିବେ। ଦଳଗୁଡ଼ିକ କର୍ପୋରେଟ୍‌ ଚାନ୍ଦା ଉପରେ ନିର୍ଭରଶୀଳ ଥିବାର ବଡ଼ ବଡ଼ ନେତା ଓ ସମର୍ଥକମାନେ ନିଜର ଟଙ୍କା ଖର୍ଚ୍ଚ କରୁନାହାନ୍ତି।
ଦଳଗୁଡ଼ିକର ନିର୍ବାଚନୀ ଖର୍ଚ୍ଚ ବିଷୟକୁ ଯିବା। ଦେଶରେ ୫୪୩ ଲୋକ ସଭା ଆସନ ଓ ପ୍ରାୟ ୪୧୦୦ ବିଧାନସଭା ଆସନ ପାଇଁ ୫ ବର୍ଷରେ ଥରେ ନିର୍ବାଚନ ହେଉଛି। ପ୍ରତ୍ୟେକ ବଡ଼ ଲୋକ ସଭା ନିର୍ବାଚନ ଖର୍ଚ୍ଚର ସୀମା ୯୫ ଲକ୍ଷ ଟଙ୍କା ଥିବାବେଳେ ଛୋଟ ଲୋକ ସଭା ନିବାର୍ଚନମଣ୍ଡଳୀ ଖର୍ଚ୍ଚର ସୀମା ୭୫ ଲକ୍ଷ ଟଙ୍କା। ସେହିପରି ବଡ଼ ବିଧାନସଭା ଆସନର ନିର୍ବାଚନ ଖର୍ଚ୍ଚର ସୀମା ୪୦ ଲକ୍ଷ ଟଙ୍କା ଥିବାବେଳେ ଛୋଟ ବିଧାନସଭା ଆସନର ନିର୍ବାଚନ ଖର୍ଚ୍ଚ ସୀମା ୨୮ଲକ୍ଷ ଟଙ୍କା। ଯଦି ଗୋଟିଏ ଲୋକ ସଭା ନିର୍ବାଚନୀ ଖର୍ଚ୍ଚକୁ ୧ କୋଟି ଟଙ୍କା ଧରାଯାଏ, ତେବେ ଗୋଟିଏ ଜାତୀୟ ଦଳକୁ ୫ ବର୍ଷରେ ଥରେ ୫୪୩ କୋଟି ଟଙ୍କାର ଆବଶ୍ୟକତା ପଡ଼ିବ। ସେହିପରି ସେମାନଙ୍କୁ ୨୧୦୦ ବିଧାନସଭା ଆସନ ଲଢ଼ିବାକୁ ୧୦୫୦ କୋଟି ଟଙ୍କା ଆବଶ୍ୟକ ପଡ଼ିବ। ଏହି ଦୁଇଟି ଖର୍ଚ୍ଚ ମିଶି ପ୍ରତି ୫ ବର୍ଷରେ ଥରେ ଗୋଟିଏ ଜାତୀୟ ଦଳକୁ ନିର୍ବାଚନ ଖର୍ଚ୍ଚ ପାଇଁ ୧୫୦୦ କୋଟି ଟଙ୍କା ଓ ଅନୁଷଙ୍ଗିକ ନିର୍ବାଚନୀ ଖର୍ଚ୍ଚ ମିଶାଇ ପ୍ରାୟ ୨୦୦୦ କୋଟି ଟଙ୍କାର ଆବଶ୍ୟକତା ପଡ଼ିବ। ବର୍ଷକୁ ଆବଶ୍ୟକ ପଡ଼ିବ ପ୍ରାୟ ୫୦୦ କୋଟି ଟଙ୍କାର ଅନୁଦାନ।
ଯଦି ଦଳର ୧ କୋଟି ସଭ୍ୟ ବର୍ଷକୁ ୫୦୦ ଟଙ୍କା ଲେଖାଏଁ ମାତ୍ର ସଭ୍ୟ ଚାନ୍ଦା ପ୍ରଦାନ କରନ୍ତି, ତେବେ ଦଳଟି ପ୍ରତିବର୍ଷ ସହଜରେ ୫୦୦ କୋଟି ଟଙ୍କା ଆୟ କରିପାରିବ। ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ୧ କୋଟି ଲୋକ ଯଦି ଏକ ଦଳର ସକ୍ରିୟ ସଭ୍ୟ ହୋଇପାରୁନାହାନ୍ତି, ତେବେ ରାଜନୈତିକ ଦଳର ଅସ୍ତିତ୍ୱ ନାହିଁ ବୋଲି ଗ୍ରହଣ କରାଯିବ।
ସେହିପରି ଏକ ବଡ଼ ରାଜ୍ୟର ଆଞ୍ଚଳିକ ଦଳଟିଏ ପାଇଁ ୫ ବର୍ଷରେ ଥରେ ୪୦୦ ବିଧାନସଭା ଆସନ ନିର୍ବାଚନ ଲଢ଼ିବା ପାଇଁ ୨୦୦ କୋଟି ଟଙ୍କାର ଆବଶ୍ୟକତା ପଡ଼ିବ, ଯାହାକି ବର୍ଷକୁ ୪୦ କୋଟି ଟଙ୍କା। ଦଶଲକ୍ଷ ସଭ୍ୟ ଯଦି ବର୍ଷକୁ ୧୦୦ ଟଙ୍କା ଲେଖାଏଁ ସଭ୍ୟଚାନ୍ଦା ଦିଅନ୍ତି, ତେବେ ଦଳଟି ବର୍ଷକୁ ୧୦ କୋଟି ଓ ୫ବର୍ଷରେ ୫୦ କୋଟି ଟଙ୍କାର ଚାନ୍ଦା ପାଇବ।
ଯଦି ସଭ୍ୟମାନେ ନିର୍ବାଚନ ପାଇଁ ଦାନ ଦିଅନ୍ତି, ତେବେ ନିର୍ବାଚନରେ ଆଉ ଟଙ୍କା ଦିଆନିଆ ବ୍ୟବସ୍ଥା ଚାଲିବ ନାହିଁ। ଏବେ ନାଗରିକମାଙ୍କର ଦଳୀୟ ଅର୍ଥରେ ସହଭାଗିତା ନ ଥିବାରୁ ସେମାନେ ନିର୍ବାଚନ ବେଳେ ଟଙ୍କା ମାଗୁଛନ୍ତି। ସାଧାରଣ ଜନତାଙ୍କର ଦଳରେ ସହଭାଗିତା ରହିଲେ ଦଳ କର୍ପୋରେଟ୍‌ମାନଙ୍କର ସଖୀ କଣ୍ଢେଇ ନ ହୋଇ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟ କରିବ। ଦେଶରେ ଧନୀ-ଗରିବ ତାରତମ୍ୟ କମିବ। ସ୍ବଚ୍ଛ ଉପାୟରେ ଶିଳ୍ପାୟନ ହେବ ଓ ବ୍ୟବସାୟରେ ପ୍ରତିଯୋଗିତା ବୃଦ୍ଧି ହେବା ଯୋଗୁ ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ। କ୍ରୋନି -କ୍ୟାପିଟାଲିଜମକୁ ଓ ଏକଚାଟିଆ ବାଣିଜ୍ୟ ଲୋପ ପାଇବ।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକେ ତ ସରକାର ନିଜେ କରିପାରିବେନି, ତେଣୁ ସେମାନେ ରାଜନୈତିକ ଦଳଗୁଡ଼ିକ ମାଧ୍ୟମରେ ସରକାର କରନ୍ତି। କିନ୍ତୁ ରାଜନୈତିକ ଦଳଗୁଡ଼ିକ ଏବେ ଲୋକଙ୍କର ଭାଗୀଦାରିତା ନ ନେଇ ଚାନ୍ଦାଦେବା ବ୍ୟକ୍ତିଙ୍କୁ ଧରି ଚାଲିଛନ୍ତି। ଫଳରେ ସାଧାରଣ ଲୋକଙ୍କର ମୌଳିକ ସମସ୍ୟା ସମାଧାନ ହେଉନାହିଁ ଓ ଆର୍ଥିକ ବ୍ୟବସ୍ଥାରେ ଧନୀ-ଗରିବ ତାରତମ୍ୟ ବଢ଼ୁଛି। ତେଣୁ ଦଳର ଚାନ୍ଦାରେ ଲୋକଙ୍କର ଭାଗୀଦାରି, ନିର୍ବାଚନ ଖର୍ଚ୍ଚ କମାଇବା ସହ ଗଣ-ଉତ୍ତରଦାୟୀ ଗଣତାନ୍ତ୍ରିକ ସରକାର ଗଠନରେ ସହାୟକ ହେବ।
ମୋ: ୭୦୦୮୨୩୩୭୨୯