Amphan, seen in a satellite image captured Sunday, is moving over the Bay of Bengal and is expected to make landfall near the border of India and Bangladesh this week.
ଭୁବନେଶ୍ୱର,୪ା୬(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୮ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ଦୁଇ ତିନି ଦିନଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖ ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୧୦ ତାରିଖରେ କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଭଦ୍ରକ, ବାଲେଶ୍ୱର, ନୟାଗଡ଼ ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ୧୨ ତାରିଖରେ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁର ଆଦି ଜିଲାରେ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏହି ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଓଡ଼ିଶା ପର୍ଯ୍ୟନ୍ତ ନେଇ ଆସିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ମୋସୁମୀ ବାୟୁ କେରଳ ଏବଂ କର୍ନାଟକର କେତେକ ଅଞ୍ଚଳରେ ପ୍ରବେଶ କରିଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୌସୁମୀ କର୍ନାଟକ, ତାମିଲନାଡୁ ପୁଡୁଚେରି ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଅନ୍ୟ ପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଗୁରୁବାର ଓ୍ବେଲମାର୍କ ଲଘୁଚାପରେ ପରିଣତ ହୋଇଛି। ଏହା ବିହାର ଓ ଛତିଶଗଡ଼ ଉପରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶ ମେଘୁଆ ଯୋଗୁ ରାଜ୍ୟରେ ତାତି ହ୍ରାସ ପାଇଛି। ଆସନ୍ତା ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନତି ବର୍ଷା ହେବାର ସମ୍ଭାବନା ରହିଛି।