ଆଦିବାସୀ ଯୁବନେତାଙ୍କ ପରଲୋକ

ଠାକୁରମୁଣ୍ଡା,୧୯ା୫(ଡି.ଏନ୍‌.ଏ.)- ଆଦିବାସୀ ଯୁବ ନେତା ତଥା ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ପଞ୍ଚାୟତ ସମିତି ଅଧୀନ ସାଲେଇବେଡା ପଞ୍ଚାୟତର ସମିତି ସଭ୍ୟ ଅଜୟ କଳୁଣ୍ଡିଆ(୪୬)ଙ୍କ ସୋମବାର ପରଲୋକ ଘଟିଛି। କର୍କଟ ରୋଗରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ।
ମୃତ୍ୟୁ ପୂର୍ବରୁ ସ୍ତ୍ରୀ ଓ ପୁଅଙ୍କ ସହ ବାରିପଦାରେ ରହୁଥିଲେ। ତାଙ୍କ ସ୍ତ୍ରୀ ବାରିପଦା ଶିଶୁ କଲ୍ୟାଣ ବିଭାଗର ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ହାତୀଗୋଡ଼ାସ୍ଥିତ ବାସଭବନରେ ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ ନିମନ୍ତେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ଉପାଧ୍ୟକ୍ଷା ସୁଶ୍ରୀ ଜବାମଣି ଟୁଡୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ହୋ ସମାଜର ନେତୃମଣ୍ଡଳୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।