Heavy rain at Mahim on Wednesday. Express photo by Nirmal Harindran, 4th September 2019, Mumbai.
ଭୁବନେଶ୍ୱର,୯ା୯(ବ୍ୟୁରୋ) : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଏହିକ୍ରମରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରବିବାର ମାଲକାନଗିରିରେ ସର୍ବାଧିକ ୭୦.୨ ମିଲିମିଟର ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ୪୯, କୋରାପୁଟରେ ୪୬.୨, ପୁରୀରେ ୩୦.୭, ଅନୁଗୋଳରେ ୨୪, କଟକରେ ୨୦.୪, ବାରିପଦାରେ ୧୪.୮ ମିମି ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଭୁବନେଶ୍ୱର, ବାଲେଶ୍ୱର, ଚାନ୍ଦବାଲି, ପାରାଦୀପ, ସୁନ୍ଦରଗଡ଼, ଭବାନୀପାଟଣା, ଟିଟିଲାଗଡ଼, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଭଦ୍ରକ ଜିଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି। ସୋମବାର ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼ ଓ କଳାହାଣ୍ଡି ଆଦି ୮ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସୋମବାର ଝଡ଼ତୋଫାନ ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି। ବୁଧବାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ ଓ ଢେଙ୍କାନାଳ ଆଦି ୬ ଜିଲା ଏବଂ ଗୁରୁବାର କୋରାପୁଟ, ମାଲକାନଗିରି, ଭଦ୍ରକ, ଯାଜପୁର, କେନ୍ଦୁଝର, ଅନୁଗୋଳ, କଟକ, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ସୋନପୁର ଆଦି ୧୨ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।