ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ ୨ଟି ଯାକ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଏ ଗ୍ରୁପରୁ ବାଦିବାହାଲ ଓ ବି ଗ୍ରୁପରୁ ନଅଗାଁ(ଖ) ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛି। ଶନିବାର ଉଭୟ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ। ଶୁକ୍ରବାର ସେମି ଫାଇନାଲକୁ ଉନ୍ନୀତ ହୋଇଥିବା ଲୋଇସିଂହା ବ୍ଲକ ଜୋନର ବାଦିବାହାଲ ଓ ପୁଇଁତଳା ବ୍ଲକ ଜୋନର କୁରୁଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ଅମୀମାଂସିତ ରହିବାରୁ ଟାଇବ୍ରେକରରେ ୬-୫ ଗୋଲରେ ବାଦିବାହାଲ ବିଜୟୀ ହୋଇ ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲ ଖେଳ ଲୋଇସିଂହା ଏନ୍ଏସି ସୁଜିଆ ଓ ଆଗଲପୁର ବ୍ଲକ ନଅଗାଁ (ଖ) ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ସେମିଫାଇନାଲ ଖେଳ ମଧ୍ୟ ଅମୀମାଂସୀତ ରହିବାରୁ ଟାଇବ୍ରେକରରେ ନଅଗାଁ(ଖ) ବିଜୟୀ ହୋଇ ଦ୍ୱିତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଥିଲା ା ଶୁକ୍ରାବର ମୁଖ୍ୟଅତିଥି ଭାବେ ଲୋଇସିଂହା ତହସିଲଦାର ଟିକୁନୁ ପୁଟା, ସମ୍ମାନିତ ଅତିଥି ଭାବେ ୩ ବ୍ଲକର ବିଧାୟକ ପ୍ରତିନିଧି ଗୌରାଙ୍ଗ ନାଏକ, ପୀତାମ୍ବର କଟା, ଅଜିତ ପଣ୍ଡା ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ କମିଟି ସଭାପତି ରାମଚନ୍ଦ୍ର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ା ଫାଇନାଲ ଦିବସରେ ଚିଅର ଗାର୍ଲ ମୁଖ୍ୟ ଆକର୍ଷଣ ରହିଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।
Dharitri – Odisha’s No.1 Odia Daily

