ଆଇସିସି ବିଶ୍ୱକପ୍‌: ଭାରତ ଆଶା ଧୂଳିସାତ୍‌, ଫାଇନାଲରେ ନ୍ୟୁଜିଲାଣ୍ଡ

ମାଞ୍ଚେଷ୍ଟର,୧୧।୭(ପି.ଟି.)- ଶେଷରେ ଭାରତ ଆଶା ଧୂଳିସାତ୍‌ ହୋଇଛି। କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକ ନିରାଶ ହୋଇଛନ୍ତି। ସେମିଫାଇନାଲରେ ପରାସ୍ତ ହୋଇ ଭାରତ ଚଳିତ ଆଇସିସି ବିଶ୍ୱକପରୁ ବାଦ୍‌ ପଡିବା ପରେ ସାରା ଦେଶରେ ନୈରାଶ୍ୟ ଖେଳିଯାଇଛି। କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଭାରତକୁ ୧୮ ରନରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ବିଶ୍ୱକପ୍‌ର ଗତ ସଂସ୍କରଣ ଫାଇନାଲିଷ୍ଟ ନ୍ୟୁଜିଲାଣ୍ଡ ଏଥର ମଧ୍ୟ ଫାଇନାଲ ଟିକେଟ ହାସଲ କରିଛି। ରବିବାର ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଦ୍ୱିତୀୟ ସେମିଫାଇନାଲର ବିଜେତା ଇଂଲଣ୍ଡ କିମ୍ବା ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଗତ ସଂସ୍କରଣରେ ମଧ୍ୟ ଭାରତ ସେମିଫାଇନାଲରେ ପରାସ୍ତ ହୋଇଥିଲା। ସେମିରେ ଭାରତ ସିଡନୀରେ ଆୟୋଜକ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏଥର ଏହାର ମାତ୍ର ପୁନରାବୃତ୍ତି ଘଟିଛି। ଫାଇନାଲରେ ପ୍ରବେଶ କରିବା ପରେ ନ୍ୟୁଜିଲାଣ୍ଡକୁ ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। ଭାରତୀୟ ଟପ୍‌ ଅର୍ଡରର ବିପର୍ଯ୍ୟୟ ପରାଜୟର ମୁଖ୍ୟ କାରଣ ସାବ୍ୟସ୍ତ ହୋଇଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ସାହସିକ ବ୍ୟାଟିଂ କରିଥିଲେ ମଧ୍ୟ ଭାରତକୁ ପରାଜୟରୁ ରକ୍ଷା କରିପାରି ନ ଥିଲେ। ସାରା ଟୁର୍ନାମେଣ୍ଟରେ ଭାରତୀୟ ଟପ୍‌ ଅର୍ଡର ଭଲ ପ୍ରଦର୍ଶନ କରିଥିଲା। ତେବେ ଗୋଟିଏ ମାତ୍ର ବିଫଳତା ଶେଷରେ ଦଳ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି।
ମଙ୍ଗଳବାର ପ୍ରଥମ ସେମିଫାଇନାଲ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ଉଇକେଟ ହରାଇ ୨୧୧ ରନ ସଂଗ୍ରହ କରିଥିଲା। ଏହାପରେ ବର୍ଷ ହେବା କାରଣରୁ ଖେଳ ସ୍ଥଗିତ ହୋଇଥିଲା ଓ ରିଜର୍ଭ ଡେ’ ଅର୍ଥାତ ବୁଧବାର ମ୍ୟାଚ୍‌ର ଅବଶିଷ୍ଟାଂଶ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଏହି ସ୍କୋରରୁ ବ୍ୟାଟିଂ ଆରମ୍ଭ କରି ବାକିଥିବା ୨୩ଟି ବଲରେ ଅଧିକ ୩ ଉଇକେଟ ହରାଇ ୨୮ ରନ ସଂଗ୍ରହ କରିଥିଲା। ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୩୯ ରନ ସଂଗ୍ରହ କରିଥିଲା। ଅପରାଜିତ ଥିବା ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ୬୭ରୁ ଖେଳ ଆରମ୍ଭ କରି ୭୪ ରନ କରି ଜାଡେଜାଙ୍କ ଡାଇରେକ୍ଟ ଥ୍ରୋ’ରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ସେହିପରି ଉଇକେଟ କିପର ବ୍ୟାଟ୍ସମ୍ୟାନ ଟମ୍‌ ଲଥାମ ୩ରୁ ଖେଳ ଆରମ୍ଭ କରି ୧୦ ରନ କରିଥିବାବେଳେ ଭୁବନେଶ୍ୱର କୁମାରଙ୍କ ବଲ୍‌ରେ ମିଡ୍‌ ଉଇକେଟରେ ଜାଡେଜାଙ୍କୁ କ୍ୟାଚ୍‌ ଦେଇଥିଲେ। ମ୍ୟାଟ ହେନରି ୧ ରନ କରି ଭୁବନେଶ୍ୱରଙ୍କ ବଲ୍‌ରେ ଲେଗ୍‌ ସାଇଡ୍‌ରେ କୋହଲିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ମିଚେଲ ସାଣ୍ଟନର ୬ ବଲରୁ ୧ ଚୌକା ସହ ୯, ଟ୍ରେଣ୍ଟ ବୋଲ୍ଟ ୩ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଭୁବନେଶ୍ୱର ସର୍ବାଧିକ ୩, ଯଶପ୍ରୀତ ବୁମ୍‌ରା, ହାର୍ଦ୍ଦିକ ପାଣ୍ଡ୍ୟା, ଜାଡେଜା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
୨୪୦ରନର ଆଭରେଜ ଟାର୍ଗେଟ ପିଛା କରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ଭାରତ ଟପ୍‌ ଅର୍ଡରର ବିପର୍ଯ୍ୟୟ ଘଟିଥିଲା ଓ ଏହା ଭାରତକୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ଦେଇ ନ ଥିଲା। ଯଦିଓ ଜାଜେଡା ଓ ଧୋନୀ କିଛି ସମୟ ବିଜୟର ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ଏହା ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ଟପ୍‌ ଅର୍ଡର ୩ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଲୋକେଶ ରାହୁଲ ଓ ଅଧିନାୟକ ବିରାଟ କୋହଲି ପ୍ରତ୍ୟେକ ୧ ରନ ଲେଖାଏ ସଂଗ୍ରହ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ନୀରବତା ଛାଇ ଯାଇଥିଲା। ଓଭରକାଷ୍ଟ କଣ୍ଡିଶନ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲରଙ୍କ ସୁଇଙ୍ଗ୍‌ର ସମ୍ମୁଖୀନ ହୋଇ ପାରି ନ ଥିଲେ। ୫ଟି ଶତକ ହାସଲ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ରୋହିତ ମ୍ୟାଟ୍‌ ହେନରିଙ୍କ ଏକ ଗୁଡ ଲେନ୍ଥ ବଲରେ ଚକ୍‌ମା ଖାଇଥିଲେ। ବଲ ବ୍ୟାଟ୍‌ର ଏଜ୍‌ ନେଇଥିଲା ଓ ଉଇକେଟକିପର ଲଥାମ କ୍ୟାଚ୍‌ ଧରିବାରେ କୌଣସି ତ୍ରୁଟି କରି ନ ଥିଲେ। ଏହାପରେ କୋହଲି ଟ୍ରେଣ୍ଟ ବୋଲ୍ଟଙ୍କ ବଲ୍‌କୁ ଲଙ୍ଗ ଅନ୍‌ରେ ଖେଳିବାକୁ ଯାଇ ବିଟ୍‌ ହୋଇଥିଲେ। ବଲ୍‌ ଲେଗ୍‌ ଷ୍ଟମ୍ପ୍‌ ବାହାରେ ପଡି ମିଡଲ ଷ୍ଟମ୍ପ ଆଡକୁ ଯାଇଥିଲା ଓ କୋହଲିଙ୍କ ପ୍ୟାଡ୍‌ରେ ବାଜିଥିଲା। ଅମ୍ପାୟର ଏଲ୍‌ବିଡବ୍ଲ୍ୟୁ ଘୋଷିତ କରିଥିଲେ। କୋହଲି ରିଭ୍ୟୁ ନେଇଥିଲେ ମଧ୍ୟ କୌଣସି ଲାଭ ହୋଇ ନ ଥିଲା ଓ ତାଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା। ଏହାପରେ ରାହୁଲ ମଧ୍ୟ ରୋହିତଙ୍କ ତ୍ରୁଟି ଦୋହାରାଇ ଅଫ୍‌ ଷ୍ଟମ୍ପ ବାହାର ବଲ୍‌କୁ ଖେଳିବାକୁ ଯାଇଥିଲେ ଓ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇ ଲଥାମଙ୍କ ହାତରେ ଧରାପଡିଥିଲା। ଭାରତ ମାତ୍ର ୫ ରନରେ ମୂଲ୍ୟବାନ ୩ ଉଇକେଟ ହରାଇଥିଲା। ଏହାପରେ ବିଶ୍ୱକପ୍‌ରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ହାସଲ କରିଥିବା ଅଭିଜ୍ଞ ଦୀନେଶ କାର୍ତ୍ତିକ କିଛି ସମୟ ପାଇଁ କ୍ରିଜ୍‌ରେ ତିଷ୍ଠି ରହିବାକୁ ପ୍ରୟାସ କରିଥିଲେ। ତେବେ ସେ ୨୫ଟି ବଲ୍‌ ଖେଳି ଗୋଟିଏ ଚୌକା ସହ ମାତ୍ର ୬ ରନକରିଥିବା ବେଳେ ବ୍ୟାକ୍‌ ଓ୍ବାର୍ଡ ପଏଣ୍ଟକୁ ଶଟ୍‌ ଖେଳିବାକୁ ଯାଇ ଜେମ୍ସ ନିଶାମଙ୍କ ହାତରେ ଧରା ପଡିଥିଲେ। ଫଳରେ ଭାରତ ୨୪ ରନରେ ୪ ଉଇକେଟ ହରାଇଥିଲା। ଏହାପରେ ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ହାର୍ଦ୍ଧିକ ପାଣ୍ଡ୍ୟା ବେଶ୍‌ ସଂଘର୍ଷ କରି ପଞ୍ଚମ ଉଇକେଟ ଯୋଡିରେ ୭୭ ବଲରୁ ୪୭ ରନ ସଂଗ୍ରହ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ୫୬ଟି ବଲ୍‌ ଖେଳି ୪ ଚୌକା ସହ ୩୨ ରନ କରିଥିବା ବେଳେ ପନ୍ତ ଧୈର୍ଯ୍ୟହରା ହୋଇ ସ୍ପିନର ମିଚେଲ ସାଣ୍ଟନରଙ୍କ ବଲ୍‌ରେ ଛକା ମାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ମିଡ୍‌ ଉଇକେଟ ବାଉଣ୍ଡାରିରେ କଲିନ୍‌ ଡି ଗ୍ରାଣ୍ଡହୋମ ତାଙ୍କ କ୍ୟାଚ୍‌ ନେଇଥିଲେ। ଫଳରେ ନିଜକୁ ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ ପାଇଥିଲେ ମଧ୍ୟ ପନ୍ତ ତାକୁ ହାତଛଡ଼ା କରିଥିଲେ। ଏହା ପରେ ପାଣ୍ଡ୍ୟା ମଧ୍ୟ ୬୨ଟି ବଲ୍‌ ଖେଳି ୨ ଚୌକା ସହ ୩୨ ରନ କରିଥିବା ବେଳେ ଅନୁରୂପ ଭାବେ ଲମ୍ବା ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇଥିଲେ। ସାଣ୍ଟନରଙ୍କ ବଲ୍‌କୁ ସେ ଜୋରଦାର ହିଟ୍‌ କରିଥିଲେ। ବଲ ବେଶ୍‌ ଉଚ୍ଚକୁ ଯାଇଥିଲା। ତେବେ ମିଡ ଉଇକେଟରେ ଓ୍ବିଲିୟମସନ କ୍ୟାଚ ନେଇ ତାଙ୍କୁ ଆଉଟ କରିଥିଲେ।
ଏହାପରେ ସପ୍ତମ ଉଇକେଟରେ ଧୋନୀ ଓ ଜାଡେଜାଙ୍କ କ୍ୱାଲିଟି କ୍ରିକେଟ ଦେଖିବାକୁ ମିଳିଥିଲା। ୧୦୪ଟି ବଲର ସମ୍ମୁଖୀନ ହୋଇ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୧୬ ରନ କରି ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ସାହସିକ ବ୍ୟାଟିଂ ପ୍ରଦର୍ଶନ କରି ଜାଡେଜା ୫୯ଟି ବଲର ସମ୍ମୁଖୀନ ହୋଇ ୪ଟି ଲେଖାଏ ଚୌକା ଓ ଛକା ସହ ୭୭ ରନକରି ଜମିଆସୁଥିବା ବେଳେ ରନ ହାରରେ ଉନ୍ନତି ପାଇଁ ଲମ୍ବା ଶଟ୍‌ ଖେଳିଥିଲେ। ବୋଲ୍ଟଙ୍କ ବଲ୍‌ରେ ଓ୍ବିଲିୟମସନ ତାଙ୍କ କ୍ୟାଚ୍‌ ନେଇଥିଲେ। ଫଳରେ ଭାରତର ବିଜୟ ଆଶା ମଉଳି ଯାଇଥିଲା। ଏଥି ସହିତ ଜାଡେଜା ୮ ନମ୍ବରରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ବିଶ୍ୱକପ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ୧୯୯୯ ବିଶ୍ୱକପ୍‌ରେ ଜିମ୍ବାଓ୍ବେ ବିପକ୍ଷରେ ନୟନ ମୋଙ୍ଗିଆ ସର୍ବାଧିକ ୨୮ ରନ ସଂଗ୍ରହ କରିଥିଲେ। ଏହାପରେ ଧୋନୀଙ୍କ ପାଳି ପଡିଥିଲା। ୭୨ଟି ବଲର ସମ୍ମୁଖୀନ ହୋଇ ଗୋଟିଏ ଲେଖାଏ ଚୌକା ଓ ଛକା ସହ ଧୋନୀ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେବେ ସେ ଦୁଇରନ୍‌ ନେବାକୁ ଯାଇ ମାର୍ଟିନ ଗୁପ୍ଟିଲଙ୍କ ଡାଇରେକ୍ଟ ଥ୍ରୋ’ରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ ଓ ଏହା ପରେ ଭାରତର ବିଜୟ ଆଶା ଏକ ପ୍ରକାର ଧୂଳିସାତ୍‌ ହୋଇଥିଲା। ଭୁବନେଶ୍ୱର ଲୋକି ଫର୍ଗୁସନଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ସେହିପରି ଚହଲ ୫ ରନ କରି ନିଶାମଙ୍କ ବଲ୍‌ରେ ଲାଥମ କ୍ୟାଚ୍‌ ଦେଇଥିଲେ ଓ ଏଥିସହ ଭାରତୀୟ ଇନିଂସର ପରିସମାପ୍ତି ଘଟିଥିଲା। ବୁମ୍‌ରା ବିନାସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ହେନରି ୩, ବୋଲ୍ଟ ଓ ସାଣ୍ଟନର ୨ଟି ଲେଖାଏ, ଫର୍ଗୁସନ ଓ ନିଶାମ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ଭାଗବତଙ୍କ ଭିଜା ରଦ୍ଦ ପାଇଁ ୟୁଏସ୍‌ସିଆଇଆର୍‌ଏଫ୍‌ର ଦାବି

ଓ୍ବାଶିଂଟନ,୨୮।୮(ପି.ଟି.): ନ୍ୟୁୟର୍କକୁ ୩ ଦିନିଆ ଗସ୍ତରେ ଯାଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ଭିଜା ରଦ୍ଦ କରିବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା…

ଆଖଡ଼ାଶାଳୀ ସ୍ଲୁଇସ୍‌ କ୍ରୀକ୍‌ ୬ ପଞ୍ଚାୟତର ଚାଷୀଙ୍କ ଭାତହାଣ୍ଡି, ବିଧାୟକ କହିଲେ ଏଠାରେ ଖୁବ୍‌ଶୀଘ୍ର ହେବ…

ମହାକାଳପଡ଼ା,୨୮ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଗୁରୁବାର ବଳଦେବଜୀଉଙ୍କ ଜନ୍ମଦିବସ ଅବସରରେ ଚଷା…

ଗ୍ରାହକଙ୍କୁ ବଡ଼ ଝଟ୍‌କା ବଢିଲା କ୍ଷୀର ଦର: ଏବେ ଲିଟର ପିଛା…

ମୁମ୍ବାଇ,୨୮।୮: ପାର୍ବଣ ଋତୁ ଆରମ୍ଭରୁ ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି। ସେପ୍ଟେମ୍ବର ୧, ୨୦୨୬ଠାରୁ, ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ…

‘ଇମ୍ରାନ ଖାନଙ୍କୁ ମାରିଦେବାକୁ ଚାହୁଁଛନ୍ତି ପାକିସ୍ତାନ ସରକାର’, ବଡ଼ ଦାବି କଲେ ପୁଅ

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ବଡ଼ ଅଭିଯୋଗ ଆସିଛି । ଇମ୍ରାନ ଖାନଙ୍କ ଦୁଇ ପୁଅ କାସିମ ଖାନ ଓ ସୁଲେମାନ ଖାନ…

ପ୍ରଥମ ଭାରତୀୟ ଭାବେ ଏହି ଟ୍ରଫି ଜିତି ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ,୨୮।୮:ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ପ୍ରଜ୍ଞାନାନନ୍ଦ ସେଣ୍ଟ ଲୁଇସରେ ଗ୍ରାଣ୍ଡ ଚେସ ଟୁର୍‌ ଟାଇଟଲ ଜିତି ଇତିହାସ ରଚିଛନ୍ତି। ଏହି ଟ୍ରଫି ଜିତିଥିବା ପ୍ରଥମ ଭାରତୀୟ ଚେସ ଖେଳାଳି…

ଭିସା ରିଜେକ୍ଟ ହେବାରୁ ବଞ୍ଚିଗଲା ଜୀବନ! ନେପାଳ ବନ୍ୟାର ଭୟାବହତାରୁ ଅଳ୍ପକେ ରକ୍ଷା ପାଇଲେ ଏହି ମହିଳା

କୋଲକାତା,୨୮।୮(ପି.ଟି.): ମନ ଚାହୁଁଥିବା କଥା ପୂରଣ ହୋଇ ନ ପାରିଲେ ଦୁଃଖ ଲାଗିଥାଏ। ହେଲେ ବେଳେ ବେଳେ ତାହା ପରବର୍ତ୍ତୀ ସମୟରେ ମଙ୍ଗଳ ଘଟାଇଥାଏ। ଏଭଳି ଏକ…

ଯାହା ଚାହିଁବ ତାହା ମିଳିବ… ନେପାଳ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୮।୮: ନେପାଳ-ଚାଇନା ସୀମାବର୍ତ୍ତୀ ଅଞ୍ଚଳରେ ହଠାତ୍‌ ଏବଂ ଭୟଙ୍କର ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଆମେରିକା ନେପାଳକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଛି। ଆମେରିକାର…

‘ମୁଁ ପୁରା ପରିଶ୍ରମ କରୁଛି…’, ଟିମ୍ ଇଣ୍ଡିଆକୁ କମ୍‌ବ୍ୟାକ୍ ନେଇ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୮।୮: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତକୁ ଚାମ୍ପିୟନ କରିଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ପରବର୍ତ୍ତୀ ଟି-୨୦ ସିରିଜ୍‌ରୁ ବାଦ୍ ଦିଆଯିବା ନେଇ କ୍ରିକେଟ୍‌ ଜଗତରେ ଚର୍ଚ୍ଚା ଜୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri