Take Action Green Road Sign with Dramatic Clouds, Sun Rays and Sky.
ଭୁବନେଶ୍ୱର,୨।୪(ବ୍ୟୁରୋ): ସାରା ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରୀ ଏବଂ ଅନ୍ୟାନ୍ୟ ସଂସ୍ଥା ମିଳିତ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ୧୭ ଗୋଷ୍ଠୀ ବେତାର କେନ୍ଦ୍ର ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ହେଲେ ଭଦ୍ରକ ଜିଲା ରେଡିଓ ବୁଲ୍ବୁଲ୍ରେ କାର୍ଯ୍ୟରତ ମହମ୍ମଦ ନିଆଜଙ୍କୁ ପୋଲିସ ପକ୍ଷରୁ ଖରାପ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଏ ନେଇ ରାଜ୍ୟ ଗୋଷ୍ଠୀ ବେତାର କେନ୍ଦ୍ର ଆସୋସିଏଶନ୍ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ନିକଟରେ ଅଭିଯୋଗ କରାଯାଇଛି। ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଭଦ୍ରକ ଚନ୍ଦନ ବଜାରରେ ରେଡିଓ ବୁଲ୍ବୁଲ ପକ୍ଷରୁ ନିଆଜ କରୋନା ସମ୍ପର୍କିତ କାର୍ଯ୍ୟକ୍ରମ କରିବା ପୂର୍ବରୁ ସ୍ଥାନୀୟ ଆଇଆଇସିଙ୍କ ଅନୁମତି ଲୋଡିଥିଲେ। ହେଲେ ଆଇଆଇସି ଅତି ଅଶାଳୀନ ଭାଷାରେ ଆବେଦନକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରି ଏକ ବିପତ୍ତି ସମୟରେ ବ୍ୟବସ୍ଥାର ଜଣେ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ବ୍ୟବହାର ଦୁର୍ଭାଗ୍ୟଜନକ ବୋଲି ଆସୋସିଏଶନ୍ ପକ୍ଷରୁ କୁହାଯାଇଛି। ତେଣୁ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଆସୋସିଏଶନ୍ ପକ୍ଷରୁ ଅନୁରୋଧ କରାଯାଇଛି।