ଅଭିଯୋଗ ଲାଗି ଅଟକିଛି ବିଦ୍ୟାଳୟ ମରାମତି କାର୍ଯ୍ୟ, ନୂତନ ଗୃହ ନିର୍ମାଣ ପରେ ସ୍ବାଭାବିକ ହେବ ପାଠପଢ଼ା

ଆନନ୍ଦପୁର,୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଭୋଳନୂଆଗାଁରେ ଗତ ୨୨ ତାରିଖ ସୋମବାର ଅଭିଭାବକମାନେ ଭୋଳନୂଆଗାଁ ୟୁଜିଏମଇ ସ୍କୁଲରେ ତାଲା ପକାଇ ଦେଇଥିଲେ। ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଦୁଇ ସିଫ୍ଟରେ ପିଲାମାନଙ୍କୁ ପାଠ ପଢ଼ାଇବା ଘଟଣାକୁ ବିରୋଧ କରି ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ସିଫ୍ଟ ପାଠପଢ଼ାକୁ ନେଇ ଅଭିଭାବକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା କହିବା ସହିତ ତୁରନ୍ତ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କରାଯାଇ ପାଠପଢ଼ାକୁ ସ୍ବାଭାବିକ କରିବାକୁ ଦାବି କରିଥିଲେ। ତେବେ ବିଦ୍ୟାଳୟରେ ରହିଥିବା ଭଙ୍ଗାଗୃହକୁ ମରାମତି କରାଇବା ନିମନ୍ତେ ବ୍ଲକ କର୍ତ୍ତୃପକ୍ଷଙ୍କ ଦ୍ୱାରା ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ସୁଦ୍ଧା ଏହାର ମରାମତି କାର୍ଯ୍ୟ ହୋଇପାରି ନ ଥିଲା। ଗ୍ରାମର କେତେକ ବ୍ୟକ୍ତି ସ୍କୁଲର ଭଙ୍ଗାଗୃହଗୁଡିକ ଅସୁରକ୍ଷିତ ଏବଂ ଏହାକୁ ମରାମତି ନ କରିବା ପାଇଁ ଅଭିଯୋଗ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଯାହାକୁ ନେଇ ବିଦ୍ୟାଳୟର ଗୃହ ମରାମତି ହୋଇପାରି ନ ଥିଲା। ପିଲାମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟରେ ଦୁଇଟି ସିଫ୍ଟ ଯଥା ଷଷ୍ଠରୁ ସପ୍ତମ ଶ୍ରେଣୀ ପିଲାମାନେ ସକାଳ ୬ ରୁ ୧୧ଟା ଏବଂ ପ୍ରଥମରୁ ୫ମ ଶ୍ରେଣୀ ପିଲାମାନେ ସକାଳ ୧୦ରୁ ୪ଟା ପର୍ଯ୍ୟନ୍ତ ପଢ଼ିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ଭୋଳନୂଆଗାଁ ବିଦ୍ୟାଳୟର ସମସ୍ୟା ସମାଧାନ ହେବ ବୋଲି ଘସିପୁରା ବିଡିଓ ଡ. ମଧୁସ୍ମିତା ସାମନ୍ତରାୟ ସୂଚନା ଦେଇଛନ୍ତି। ନିକଟରେ ପଞ୍ଚାୟତିରାଜ ବିଭାଗର ଆସିଥିବା ଚିଠି ଅନୁଯାୟୀ, ସିଏଫ୍‌ସି ଓ ଏସଏଫ୍‌ସି ଯୋଜନାରେ ନୂତନ ବିଦ୍ୟାଳୟ ଗୃହ, ବିଦ୍ୟାଳୟର ମରାମତି ବାଉଣ୍ଡାରୀ ଓ୍ବାଲ୍‌, ଟଏଲଟ୍‌,ରୋଷେଇ ଘର ଆଦି କରିବାର ବ୍ୟବସ୍ଥା ରହିଥିବା ବିଡିଓ ସୂଚନା ଦେଇଛନ୍ତି।