ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି ଜିଲାପ୍ରଶାସନ ପହଞ୍ଚିଛି । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ଏହି ଆଦିବାସୀ ଅଞ୍ଚଳକୁ କୌଣସି ଉଚ୍ଚପଦସ୍ଥ ଅଧିକାରୀ ପହଞ୍ଚିବା ଏହା ପ୍ରଥମ। ଶନିବାର କଳାହାଣ୍ଡି ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ତଥା ଆଇଏଏସ ସୌମ୍ୟ ରଞ୍ଜନ ପ୍ରଧାନ ଏକ ଉଚ୍ଚସ୍ତରୀୟ ଟିମ ସହ ପ୍ରାୟ ୧୦ କିଲୋମିଟରରୁ ଅଧିକ ପାହାଡ଼ିଆ ଦୁର୍ଗମ ପଥ ଅତିକ୍ରମ କରି ଏହି ଗ୍ରାମଗୁଡ଼ିକରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ପୂର୍ବରୁ ଅନେକ ଅଧିକାରୀ ଦୁର୍ଗମ ପଥ ଯୋଗୁ ଅଧାବାଟରୁ ଫେରି ଆସିଥିବାବେଳେ ସିଡିଓ ନିଜେ ପାହାଡ଼ ଚଢ଼ି ଲୋକଙ୍କ ପାଖକୁ ଯିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ପରିଦର୍ଶନ ସମୟରେ ସିଡିଓ ପ୍ରଧାନ ବିଶେଷ କରି ଦେର୍ଲାଠି ଗ୍ରାମର ସମସ୍ୟା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଗ୍ରାମର ୨୨ଟି ପରିବାର ମଧ୍ୟରୁ ୯ଟି ପରିବାର ପାହାଡ଼ ତଳେ ଝାଟିମାଟି ଘରେ ରହୁଥିବାବେଳେ ବାକି ୧୩ଟି ପରିବାର ଆଜି ବି ପାହାଡ଼ ଶିଖରରେ ରହୁଛନ୍ତି। ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସିଡିଓ କନ୍ଦାଝାପି ନିକଟରେ ଏକ ସ୍ବତନ୍ତ୍ର ‘କ୍ଲଷ୍ଟର କଲୋନୀ’ ନିର୍ମାଣ ପାଇଁ ଯୋଜନା କରିଛନ୍ତି। ଏହି ଯୋଜନା ଅଧୀନରେ ଅନ୍ତୋଦୟ ଗୃହ ଯୋଜନାରେ ସମସ୍ତ ପରିବାରକୁ ପକ୍କାଘର ଯୋଗାଇ ଦିଆଯିବା ସହ ପାନୀୟ ଜଳ, ବିଜୁଳି, ପକ୍କା ରାସ୍ତା, ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ସମସ୍ତ ମୌଳିକ ସୁବିଧା ଏକାଠି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ସିଡିଓଙ୍କ ସହ ଏହି ଗସ୍ତରେ ଏପିଡି ଅମୂଲ୍ୟ ବାଉଲ, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ, ବିପିସି ରାଜେନ୍ଦ୍ର ନାରାୟଣ ଦେବ, ପିଇଓ ବସିଷ୍ଠ ସବର, ଗୋରା ସିଂ ମାଝୀ ଏବଂ ଜିଆରଏସ ବୈକୁଣ୍ଠ ଦିଶାରି ପ୍ରମୁଖ ସାମିଲ ଥିଲେ। ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ସ୍ବାଗତ କରାଯାଇଥିଲେ ହେଁ, ଏହି ଯୋଜନା ଯେମିତି କେବଳ କାଗଜକଲମରେ ସୀମିତ ନ ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ସିଡିଓଙ୍କ ଏହି ‘ବିକାଶର ମଡେଲ’ ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ଜୀବନରେ କେବେ ପରିବର୍ତ୍ତନ ଆଣୁଛି, ତାହା ଦେଖିବାକୁ ବାକି ରହିଲା।

