Inside pictures of Puri Jagannath Temple go viral again
ପୁରୀ ଅଫିସ,୧୧।୧୦: ଋତୁ ଚକ୍ରର ପରିବର୍ତ୍ତନରେ ଏବେ ଶୀତ ଋତୁର ଆଗମନ ହେବ। ସାଧାରଣତଃ କାର୍ତ୍ତିକ ମାସରୁ ଶୀତଋତୁ ଆରମ୍ଭ ହୋଇଥାଏ। କୁମାର ପୂର୍ଣ୍ଣିମା ଡାଲାରେ ଶୀତ ଆସେ ବୋଲି ଲୋକମୁଖରେ ରହିଛି। ଶୀତଦିନେ ଶୀଘ୍ର ସନ୍ଧ୍ୟା ହେଉଥିବାରୁ ଗୁରୁବାରଠାରୁ ଶ୍ରୀମନ୍ଦିର ନୀଳଚକ୍ରରେ ବାନା ବନ୍ଧା ସମୟ ପରିବର୍ତ୍ତନ କରାଯାଇଛି। ଏଣିକି ପ୍ରତିଦିନ ଅପରାହ୍ନ ୪ଟାରେ ବାନା ବନ୍ଧାଯିବ। ଚୂନରା ସେବକମାନେ ଅପରାହ୍ନ ୩ଟାରେ ଶ୍ରୀମନ୍ଦିର ଚୂଡ଼ାକୁ ଚଢି ୪ଟାରେ ବାନା ବାନ୍ଧିବେ ବୋଲି ସ୍ଥିର ହୋଇଛି।
ଶ୍ରୀମନ୍ଦିର ନୀଳଚକ୍ରରେ ପ୍ରତ୍ୟହ ବାନା ବନ୍ଧାଯାଇଥାଏ। ଗ୍ରୀଷ୍ମଦିନେ ଅପରାହ୍ନ ୪ଟାରେ ଚୂନରା ସେବକମାନେ ଶ୍ରୀମନ୍ଦିର ଚୂଡ଼ାରେ ଚଢି ୫ଟାରେ ବାନା ବାନ୍ଧିଥାନ୍ତି। ସେହିପରି ଶୀତଦିନେ ଅପରାହ୍ନ ୩ଟାରେ ଚଢି ୪ଟାରେ ବାନା ବାନ୍ଧିଥାନ୍ତି। ସୂର୍ଯ୍ୟାସ୍ତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥାଏ। ଏ ସମ୍ପର୍କରେ ଚୁନରା ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଶୀତଋତୁ ଯୋଗୁ ଶୀଘ୍ର ସନ୍ଧ୍ୟା ହୋଇଯିବ। ତେଣୁ ଗୁରୁବାରଠାରୁ ଅପରାହ୍ନ ୪ଟାରେ ବାନା ବନ୍ଧାଯିବା ଆରମ୍ଭ ହୋଇଛି। ଏହି ସମୟ ଆସନ୍ତା ଫେବୃୟାରୀ ଶେଷ ପର୍ଯ୍ୟନ୍ତ ରହିବ। ଏହାପରେ ପୁନଶ୍ଚ ସମୟ ପରିବର୍ତ୍ତନ ହୋଇ ୫ଟାରେ ବାନା ବନ୍ଧାଯିବ। ସେହିପରି ଶ୍ରୀମନ୍ଦିର କାର୍ଯ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଅଦ୍ୟାବଧି ଅପରାହ୍ନ ୪ଟା ସୁଦ୍ଧା ଭକ୍ତମାନେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ। ମାତ୍ର ଶୁକ୍ରବାରଠାରୁ ଅପରାହ୍ନ ୩ଟା ସୁଦ୍ଧା ଧ୍ୱଜା ଦାଖଲ କରିବେ।