ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା : ନବବଧୂ ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ୧୩।୫: ଭଦ୍ରକ ସହର ଉପକଣ୍ଠ ଉଗାଳପୁର ମାଝିସାହିରେ ରବିବାର ମଧ୍ୟାହ୍ନରେ ଭୟାଭୟ ଅଗ୍ନିକାଣ୍ଡ ଘଟି ପଙ୍କଜିନୀ ଟୁଡୁ (୨୨) ନାମ୍ନୀ ଜଣେ ନବବଧୂ ଜୀବନ୍ତଦଗ୍ଧ ହୋଇଛନ୍ତି। ୧୮ ଦିନ ପୂର୍ବେ ତାଙ୍କର ବିବାହ ହୋଇଥିଲା। ଘରେ ନିଆଁ ଲାଗିଯିବା ପରେ ସ୍ଥାନୀୟ ଲୋକେ ଧାଇଁ ଆସି ବିଭିନ୍ନ ଉପକରଣ ଘରୁ କାଢୁୁଥିଲେ। ସେତେବେଳେ ଜଳୁଥିବା ଚାଳଛପରର ଏକ ଅଂଶ  ପଙ୍କଜିନୀଙ୍କ ଉପରେ ପଡ଼ିଯାଇଥିଲା। ନିଆଁର ତାପ ଏତେ ପ୍ରଖର ଥିଲା ଯେ ତାଙ୍କୁ ଉଦ୍ଧାର କରିବା କାହା ପକ୍ଷେ ସମ୍ଭବ ହୋଇ ନ ଥିଲା। ଫଳରେ ସେ ନିଆଁରେ ସମ୍ପୂର୍ଣ୍ଣ ଜଳି ଯାଇଥିଲେ। ଏଭଳି ଦୁଃଖଦ ଘଟଣା ଗ୍ରାମ ଓ ଅଞ୍ଚଳବାସୀଙ୍କୁ ଶୋକାକୁଳ କରିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଭଦ୍ରକ ତହସିଲଦାର ପ୍ରଦୀପ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ଅଗ୍ନିକାଣ୍ଡର କାରଣ ଠିକ୍‌ ଭାବେ ଜଣା ପଡ଼ି ନ ଥିଲେ ମଧ୍ୟ ଶର୍ଟ ସର୍କିଟ୍‌ ଯୋଗୁ  ଘଟିିଥିବା ଅନୁମାନ କରାଯାଉଛି। ଏଥିରେ ୩ ପରିବାରର ୮ ବଖରା ଜଳି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ଭଦ୍ରକ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପଙ୍କଜିନୀଙ୍କ ବାପଘର ମାର୍କୋଣା ନିକଟସ୍ଥ ନୂଆସାହିରେ। ଗତ ଏପ୍ରିଲ ୨୪ ତାରିଖରେ ସେ ଉଗାଳପୁରର ଦୁର୍ଗାଚରଣ ଟୁଡୁଙ୍କୁ ବିବାହ କରିଥିଲେ। ପାଦରୁ ଅଳତା ଓ ହାତରୁ ମେହେନ୍ଦୀ ଲିଭି ନ ଥିବା ବେଳେ ରବିବାର ଘଟିଥିବା  ଅଗ୍ନିକାଣ୍ଡରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା କହିଛି।