Posted inଫୁରସତ

ବିଶ୍ୱ ଇତିହାସର ରହସ୍ୟମୟ ତାଲିକାରେ ସାଇତା ନିଖୋଜ ମଣିଷଙ୍କ କଥା: କୁଆଡ଼େ ଗଲେ ନେତାଜୀ, ହୋଫା…

ଏଇଟା ସେଇ ସମୟ ନୁହେଁ, ଯେତେବେଳେ ଜଣେ ଆଖିପିଛୁଳାରେ ଉଭାନ ହୋଇଯିବ। ତନ୍ତ୍ର ବା ମନ୍ତ୍ରବଳରେ ନିଜକୁ ଦିନଦିନ ଧରି ଲୁଚେଇ ଦେଇପାରିବ। ଅଥବା ପୁଣିଥରେ ମନ୍ତ୍ରଶକ୍ତିକୁ ଉପଯୋଗ କରି ଆଖି ଆଗରେ ଆସି ପହଞ୍ଚତ୍ୟିବ। ସେସବୁ ଘଟୁଥିଲା ପୌରାଣିକ ଯୁଗରେ। ମାତ୍ର ଏହା ହେଉଛି ବାସ୍ତବତାର ଯୁଗ। ଏ ସମୟରେ ଜଣେ ବ୍ୟକ୍ତି କେମିିତି ବର୍ଷବର୍ଷ ଧରି ଜନସମାଜରୁ ଉଭାନ ହୋଇଯାଇପାରିବ? ତେବେ ଆମର ଏଇ ପୃଥିବୀରେ ସେପରି ଅନେକ ଘଟଣା ବି ରହିଛି। ଅନେକ ଲୋକ ଅଚାନକ ଉଭାନ ହୋଇଯାଇଛନ୍ତି ଯେ, ବର୍ଷବର୍ଷ ଧରି ସେମାନଙ୍କର କୌଣସି ପତ୍ତା ମିଳୁନାହିଁ। ସେହି ପତ୍ତା ମିଳୁ ନ ଥିବା ମଣିଷମାନେ ଯେ ମୃତ ସେକଥା ମଧ୍ୟ କୁହାଯାଇପାରୁନାହିଁ। କାରଣ ମୃତକର କୌଣସି ଚିହ୍ନବର୍ଣ୍ଣ ସୁଦ୍ଧା ମିଳିନାହିଁ। ରହସ୍ୟ ଲାଗୁଥିଲେ ମଧ୍ୟ ଏଭଳି ଅନ୍ତର୍ଦ୍ଧାନ ସବୁ ସତ୍ୟ। ଆଉ ସେଭଳି ଅନ୍ତର୍ଦ୍ଧାନ ସବୁକୁ ବିଶ୍ୱ ଇତିହାସ ତା’ ପୃଷ୍ଠାରେ ରହସ୍ୟମୟ ତାଲିକାରେ ସାଇତି ରଖିଛି।


କୁଆଡ଼େ ଗଲେ ସ୍କାଇଜାକର ଡି.ବି. କୋପର : ଡି.ବି. କୋପର କୌଣସି ଜଣେ ସମ୍ମାନନୀୟ ବ୍ୟକ୍ତି ହୋଇ ନ ପାରନ୍ତି। ବିଶ୍ୱ ଇତିହାସରେ ତାଙ୍କର ପରିଚୟ ସେ ଜଣେ ଆକାଶ ଦଶ୍ୟୁ ବା ଏୟାର ପାଇରେଟ୍‌। ଗୋଟିଏ ସମୟରେ ତାଙ୍କର ଆତଙ୍କ ଆକାଶ ଓ ପୃଥିବୀ ଭୂଖଣ୍ଡକୁ ଥରହର କରୁଥିଲା। ସେ ଅତି ବିଚକ୍ଷଣତାର ସହିତ ଚଳନ୍ତା ବିମାନରେ ଦଶ୍ୟୁବୃତ୍ତି କରି ପାରୁଥିଲେ ଯେ, ତାହାକୁ କେହି ବିଶ୍ୱାସ ମଧ୍ୟ କରିପାରୁ ନ ଥିଲେ। ଆମେରିକୀୟ ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ)ର ମୁଖ୍ୟ ସନ୍ଦିଗ୍ଧ ତାଲିକାରେ ଥିଲେ ସେ। ଏଫବିଆଇ ତ ସବୁ ଦିଗରୁ ଜାଲ ବିଛେଇଦେଇଥିଲା ଡି.ବି. କୋପରଙ୍କ ହାତରେ ହ୍ୟାଣ୍ଡକପ୍‌ ପକେଇ ହାଜତକୁ ଆଣିବା ପାଇଁ। ମାତ୍ର କୋପର୍‌ ବି କିଛି କମ୍‌ ନ ଥିଲେ। ସେ ଏମିତି ଏକ କାମ କଲେ ଯେ, ଏଫ୍‌ବିଆଇ ତାଙ୍କୁ ଆଜି ବି ଖୋଜୁଛି। ନା ମୃତ ବୋଲି ଘୋଷଣା କରିପାରୁଛି, ନା ଜୀବିତ ବୋଲି ମାନିନେଇ ପାରୁଛି। ଘଟଣାଟି ହେଉଛି ୧୯୭୧ମସିହାର। ସେହିଦିନ ଡି.ବି. କୋପର ସାଧାରଣ ଯାତ୍ରୀଙ୍କ ପରି ବିମାନ ଟିକେଟ ଖରିଦ କଲେ ଆଉ ନର୍ଥଓ୍ବେଷ୍ଟ ଓରିଏଣ୍ଟ ଏୟାରଲାଇନ୍ସର ଫ୍ଲାଇଟ୍‌ ୩୦୫ରେ ବୋର୍ଡ଼ିଂ କଲେ। ଆଉ କେହି ଜାଣି ନ ଥିଲେ କୋପର ଭଲଭାବରେ ଜାଣିଥିଲେ ଯେ, ଏଫ୍‌ବିଆଇର ଜାଲ ତାଙ୍କୁ ଚାରିଦିଗରୁ ଘେରି ସାରିଲାଣି। ବିମାନ ଉଡ଼ିବାର ମାତ୍ର ୩୦ମିନିଟ୍‌ ପରେ କୋପର ଘୋଷଣା କରିଦେଲେ ଯେ, ସେ ବିମାନଟିକୁ ହାଇଜାକ କରିନେଇଛନ୍ତି। ତାଙ୍କ ନିକଟରେ ବିସ୍ଫୋରକ ଅଛି। ଯଦି ବିମାନ ଚାଳକ ତାଙ୍କ କଥା ନ ମାନନ୍ତି ତା’ହେଲେ ସେ ସଙ୍ଗେସଙ୍ଗେ ବିସ୍ଫୋରଣ ଘଟେଇ ବିମାନଟିକୁ ମଝି ଆକାଶରେ ଉଡ଼େଇଦେବେ। ତାଙ୍କର ଡିମାଣ୍ଡ ଥିଲା ୨୦୦ହଜାର ଡଲାର, ଚାରିଗୋଟି ପାରାଚ୍ୟୁଟ୍‌। ଆଉ କିଛି ଉପାୟ ନ ଥିଲା। ତାଙ୍କୁ ତୁରନ୍ତ ସେସବୁ ଯୋଗାଇ ଦିଆଗଲା। ସେ ନିର୍ଦ୍ଦେଶ ଦେଲେ, ବିମାନର ଲକ୍ଷ୍ୟସ୍ଥଳ ବଦଳେଇ ମେକ୍ସିକୋ ଆଡ଼କୁ ନେଇଯିବାକୁ। ବାସ୍‌, ତାହା ହିଁ ହେଲା। ବିମାନଟି ମାଉଣ୍ଟ ସେଣ୍ଟ ହେଲେନ୍ସ ଉପରେ ଗତି କରୁଥାଏ। ତାହା ହିଁ ଥିଲା କୋପରଙ୍କ ଡେଷ୍ଟିନେଶନ୍‌ ଯାହା ସେ ଯୋଜନା କରିଥିଲେ ଏଫ୍‌ବିଆଇକୁ ଚକ୍‌ମା ଦେବାପାଇଁ। ସମସ୍ତଙ୍କୁ ହତଭମ୍ବ କରିଦେଇ ପାରାଚ୍ୟୁଟ୍‌ ପିନ୍ଧିନେଲେ କୋପର ଆଉ ୧୦ହଜାର ଫୁଟ ଉପରେ ଉଡୁଥିବା ବିମାନରୁ ଛଲାଙ୍ଗ ଲଗେଇଦେଲେ। ସେବେଠୁ କୋପରଙ୍କ କାହାଣୀ ଅତ୍ୟନ୍ତ ରହସ୍ୟମୟ। କୋପର ଯଦି ଆକାଶରୁ ଡେଇଁଲେ ତା’ହେଲେ ଗଲେ କେଉଁଆଡ଼େ। ଯଦି ଜୀବିତ ତା’ହେଲେ ପୃଥିବୀରେ କୋଉଠି ନା କୋଉଠି ତ ସେ ରହିଥାନ୍ତେ। ଧରିନିଆଯାଉ ସେ ମାଉଣ୍ଟ ସେଣ୍ଟ ହେଲେନ୍‌ ଉପରେ ପ୍ରାଣତ୍ୟାଗ କରିଛନ୍ତି। ତା’ହେଲେ ତାଙ୍କର ମୃତଦେହ ଗାଏବ ହୋଇଗଲା କୁଆଡ଼େ? ଏପରି କି ଶାର୍ଟ, ପ୍ୟାଣ୍ଟ, ପାରାଚ୍ୟୁଟ୍‌ର କୌଣସି ଚିହ୍ନ ସୁଦ୍ଧା ନାହିଁ। କେବଳ ଏଫବିଆଇ ନୁହେଁ; ସମସ୍ତଙ୍କ ପାଇଁ ଏହା ହେଉଛି ଏକ ରହସ୍ୟମୟ ଅନ୍ତର୍ଦ୍ଧାନ; ଯାହାର ସମାଧାନ ପାଇଁ ଏବେ ବି ଚେଷ୍ଟା ଚାଲିଛି।


ପ୍ରଶାନ୍ତ ମହାସାଗର ବକ୍ଷରେ ଉଭାନ ଆମେଲିଆ ଏରହାର୍ଟ : ୧୯୩୭ ମସିହା ଜୁଲାଇ ୨ ତାରିଖରେ ଘଟିଥିଲା ବିଶ୍ୱ ଇତିହାସର ଆଉ ଏକ ରହସ୍ୟମୟ ଅନ୍ତର୍ଦ୍ଧାନ। ସେହିଦିନ ପ୍ରଶାନ୍ତ ମହାସାଗର ବକ୍ଷରେ ଯେମିତି ସବୁଦିନ ଲାଗି ଉଭାନ ହୋଇଯାଇଥିଲେ ଆମେଲିଆ ଏରହାର୍ଟ। ଆମେଲିଆଙ୍କ ନାମ ପଛରେ ଅନେକ ସମ୍ବୋଧନ, ବିଶେଷଣ ଯୋଗ ହୋଇଥିବାର ଦେଖାଯାଏ। ସେ ଏକାଧାରରେ ଥିଲେ ଜଣେ ଲେଖିକା, ସେଲିବ୍ରିଟି ଫ୍ୟାଶନ ଡିଜାଇନର, ପତ୍ରିକା ସମ୍ପାଦିକା, ଶିକ୍ଷୟିତ୍ରୀ ଏବଂ ଜଣେ ଦକ୍ଷ ବୈମାନିକ। ମାତ୍ର ୩୯ବର୍ଷ ବୟସରେ ଆମେଲିଆ ନିଜର ବହୁମୁଖୀ କୃତିତ୍ୱ ପ୍ରଦର୍ଶନ କରି କେବଳ ଆମେରିକାରେ ନୁହେଁ; ଅଧିକନ୍ତୁ ବହୁ ରାଷ୍ଟ୍ରର ନାଗରିକଙ୍କ ଭିତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ନାରୀ ଦୁର୍ବଳା ନୁହେଁ। ସେ ଚାହିଁଲେ ନିଜ ପାଇଁ ନିଜେ ଏକ ନୂଆ ପୃଥିବୀ ସୃଷ୍ଟିକରି ପାରିବ। ଅତି କମ୍‌ ବୟସରେ ସେ ଏକଥା ସମସ୍ତଙ୍କୁ ଦେଖେଇ ଦେଇଥିଲେ। ସେ ଥିଲେ ପ୍ରଥମ ମହିଳା ବୈମାନିକ ଯିଏ ଏକୁଟିଆ ଦୁର୍ଗମ ଆଟ୍‌ଲାଣ୍ଟିକ୍‌ ମହାସାଗର ଉପର ଦେଇ ବିମାନ ଚଳେଇ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ସେ ତାଙ୍କର ଦୁଃସାହସିକ ବିମାନ ଚାଳନାକୁ ନେଇ ଲେଖିଥିବା ବହିଟି ଏକ ବେଷ୍ଟସେଲର୍‌ର ମାନ୍ୟତା ପାଇଥିଲା। ଆମେଲିଆ ଥିଲେ ଜଣେ ଦୁଃସାହସୀ ବୈମାନିକା। ସେ ନିଷ୍ପତ୍ତି ନେଇଥିଲେ ବିଶ୍ୱ ଭ୍ରମଣ କରିବା ପାଇଁ। ୧୯୩୭ ମସିହା ଜୁନ୍‌ ୧ ତାରିଖରେ ଆମେଲିଆ ତାଙ୍କ ବିଶ୍ୱ ଭ୍ରମଣର ଦ୍ୱିତୀୟ ଦଫା ଆରମ୍ଭ କଲେ। ସେ ସ୍ବତନ୍ତ୍ର ଭାବରେ ତିଆରି କରେଇଥିଲେ ଦୁଇ ଇଞ୍ଜିିନ୍‌ ବିଶିଷ୍ଟ ବିମାନ ଲକ୍‌ହିଡ୍‌ ୧୦ଇ ଇଲେକ୍ଟ୍ରା। ଏଥିରେ ସମସ୍ତ ପ୍ରକାର ଆଧୁନିକ ରେଡ଼ିଓ ସରଞ୍ଜାମ ଖଞ୍ଜା ହୋଇ ରହିଥିଲା। ଆମେଲିଆ ତାଙ୍କ ସାଥିରେ ନେଇଥିଲେ ନୌଚାଳନା ତଥା ସାମୁଦ୍ରିକ ଦିଗ ନିର୍ଦ୍ଧାରଣରେ ଦକ୍ଷ ଫ୍ରେଡ୍‌ ନୁନାନ୍‌ଙ୍କୁ। ସେମାନେ କାଲିଫର୍ନିଆର ଓକ୍‌ଲାଣ୍ଡରୁ ସେମାନଙ୍କ ଯାତ୍ରା ଆରମ୍ଭ କଲେ। ଆଟ୍‌ଲାଣ୍ଟିକ୍‌ ଅତିକ୍ରମ କରି ସେମାନେ ଆମେରିକାରୁ ଗଲେ ଆଫ୍ରିକା। ସେହି ବାଟଦେଇ ସେମାନେ ପ୍ରାଚ୍ୟ ଭାରତ ଏବଂ ଦକ୍ଷିଣପୂର୍ବ ଏସିଆକୁ ଅତିକ୍ରମ କରିଗଲେ ଓ ପହଞ୍ଚତ୍ଲେ ନ୍ୟୁ ଗାଏନାରେ। ତାହା ଥିଲା ଜୁନ୍‌ ୨୯ ତାରିଖ। ସେତେବେଳକୁ ଆମେଲିଆ ଓ ଫ୍ରେଡ୍‌ ନୁନାନ୍‌ ୨୨ହଜାର ମାଇଲ୍‌ ଅତିକ୍ରମ କରିସାରିଥିଲେ। ଓକ୍‌ଲାଣ୍ଡରେ ପହଞ୍ଚତ୍ବା ପାଇଁ ଆଉ ବାକିଥିଲା ସାତ ହଜାର ମାଇଲ୍‌। ସେମାନେ ସେହିଦିନ ହାଓଲାଣ୍ଡ ଦ୍ୱୀପ ଅଭିମୁଖେ ବାହାରି ପଡ଼ିଲେ। ତଥ୍ୟ ଅନୁଯାୟୀ ସେମାନେ ସେଠାରେ ଜୁଲାଇ ୨ ତାରିଖରେ ପହଞ୍ଚତ୍ଥାନ୍ତେ। ଆଉ ସେଠାରେ ବିମାନରେ ଇନ୍ଧନ ଭରିଥାନ୍ତେ। ସେହିଦିନ ହିଁ ଆମେଲିଆଙ୍କୁ ରାଡ଼ାରରେ ଠାବ କରାଯାଇଥିଲା। ମାତ୍ର ତା’ ପରଠାରୁ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ବହୁ ପ୍ରୟାସ ସତ୍ତ୍ୱେ ବି ରେଡ଼ିଓରେ ଦେଖାଯାଇ ନ ଥିଲା ତାଙ୍କର ବିମାନ। ରାଷ୍ଟ୍ରପତି ଫ୍ରାଙ୍କଲିନ୍‌ ରୁଜଭେଲ୍‌ଟ ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଘୋଷଣା କରିବା ସହିତ ଦୁଇ ସପ୍ତାହର ଅନ୍ବେଷଣ କାର୍ଯ୍ୟ ମଧ୍ୟ କରାଇଥିଲେ। ମାତ୍ର କୌଣସି ଖୋଜଖବର ନ ଥିଲା ଆମେଲିଆଙ୍କର। ୧୯୩୭ ମସିହା ଜୁଲାଇ ୧୯ ତାରିଖରେ ଆମେଲିଆ ଓ ନୁନାନ୍‌ଙ୍କୁ ସମୁଦ୍ର ଖାଇଗଲା ବୋଲି ଘୋଷଣା କରିଥିଲେ ରୁଜ୍‌ଭେଲ୍‌ଟ। ମାତ୍ର ସମୁଦ୍ର ଯେ ଏହି ଅତି ବିଚକ୍ଷଣ ବୈମାନିକାଙ୍କୁ ଖାଇ ହଜମ କରିଦେଇଛି ତାହାକୁ ଆଜିଯାଏ ବି ମାନିବାକୁ ପ୍ରସ୍ତୁତ ନୁହନ୍ତି ସ୍କଲାରମାନେ। ପ୍ରଶାନ୍ତ ମହାସାଗର ଆମେଲିଆଙ୍କୁ ମାରିଦେଇ ପାରିଥାଏ ସତ। ହେଲେ ନିଖୋଜ୍‌ କରିଦେଇ ପାରିବ କିପରି? ଆମେଲିଆଙ୍କୁ ନେଇ କଳ୍ପନାଜଳ୍ପନାର ଅନ୍ତ ଏବେ ସୁଦ୍ଧା ଘଟିନାହିଁ।


ରାଷ୍ଟ୍ରମୁଖ୍ୟଙ୍କ ସମୁଦ୍ର ସ୍ନାନ : ଏମିତି କଥା ପ୍ରାୟତଃ ସବୁବେଳେ ଶୁଣିବାକୁ ମିଳେନାହିଁ ଯେ, ଗୋଟିଏ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ସମୁଦ୍ର ସ୍ନାନ କରିବା ପାଇଁ ଯିବେ। ଆଉ ସେଠାରୁ ଫେରିବେନାହିଁ। ସବୁଦିନ ଲାଗି କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯିବେ। ତେବେ ଏକଥା ଘଟିଥିଲା ୧୯୬୭ ମସିହା ଡିସେମ୍ବର ୧୭ ତାରିଖରେ। ସ୍ଥାନ : ଅଷ୍ଟ୍ରେଲିଆର ସେଭିଓଟ ବେଳାଭୂମି। ପାତ୍ର : ଅଷ୍ଟ୍ରେଲିଆର ସପ୍ତଦଶ ପ୍ରଧାନମନ୍ତ୍ରୀ ହାରୋଲ୍‌ଡ ହଲ୍‌ଟ। ଘଟଣାଟି ଘଟିଥିଲା ଏମିତି। ପ୍ରଧାନମନ୍ତ୍ରୀ ହାରୋଲ୍‌ଡ ହଲଟ୍‌ କିଛିଦିନ ଧରି ଚିକିତ୍ସିତ ହେଉଥିଲେ। ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ସେଥିଲାଗି ସେ ଦିନେ ନିଷ୍ପତ୍ତି ନେଲେ ଯେ, ସେ ଭିକ୍ଟୋରିଆର ପୋର୍ଟସି ନିକଟବର୍ତ୍ତୀ ସେଭିଓଟ୍‌ ବେଳାଭୂମିକୁ ଯିବେ। ଆଉ ସେଠାରେ କିଛି ସମୟ ଢେଉଭାଙ୍ଗି ମନକୁ ହାଲୁକା କରିବେ। ବାସ୍ତବରେ ୫୯ବର୍ଷ ବୟସ୍କ ହାରୋଲ୍‌ଡ ଥିଲେ ଜଣେ ଦକ୍ଷ ସନ୍ତରଣକାରୀ। ସମୁଦ୍ରରେ ସ୍ନାନ କରିବା ତାଙ୍କର ଥିଲା ସବୁଠାରୁ ବଡ଼ ସଉକ୍‌। ସେ ସମୟ ପାଇବା ମାତ୍ରେ ସମୁଦ୍ରକୁ ସନ୍ତରଣ କରିବା ପାଇଁ ବାହାରି ଯାଉଥିଲେ। ମାତ୍ର ସମ୍ଭବତଃ ସେଦିନଟି ସବୁଦିନ ପରି ନ ଥିଲା। ସେତେବେଳକୁ ତାଙ୍କର ପ୍ରଧାନମନ୍ତ୍ରିତ୍ୱକୁ ଦୁଇବର୍ଷ ମଧ୍ୟ ପୂରି ନ ଥାଏ। ହାରୋଲ୍‌ଡଙ୍କୁ ଯେପରି ସମୁଦ୍ର ହାତଠାରି ଡାକିଲା। ସେ ସମୁଦ୍ରକୁ ସ୍ନାନ ପାଇଁ ଗଲେ। ମାତ୍ର ଆଉ ଫେରିଲେନାହିଁ। ବହୁ ସମୟ ଧରି ଖୋଜାଖୋଜି ହେଲା। ଶେଷରେ ତାଙ୍କୁ ମୃତ ବୋଲି ଧରି ନିଆଗଲା। ହେଲେ ତାଙ୍କ ମୃତଦେହର କୌଣସି ଚିହ୍ନବର୍ଣ୍ଣ ସୁଦ୍ଧା ନ ଥିଲା। ଏକଥା କେହି ମାନିନେବାକୁ ପ୍ରସ୍ତୁତ ନ ଥିଲେ ଯେ, ଜଣେ ଅତି ଦକ୍ଷ ପହଁରାଳି ପ୍ରଧାନମନ୍ତ୍ରୀ, ସମୁଦ୍ରରେ ଲହଡ଼ି ଭାଙ୍ଗିବା ଯାହାଙ୍କର ଅତି ପ୍ରିୟ ସଉକ ସେ ସମୁଦ୍ର ପାଣିରେ ବୁଡ଼ି ପ୍ରାଣ ହରେଇବେ। ୨୦୦୫ ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଅନେକ ତର୍କବିତର୍କ ଚାଲିଥିଲା। କେହିକେହି ଏହା ବି ଅନୁମାନ କରିଥିଲେ ଯେ, ହୁଏତ ହାରୋଲ୍‌ଡ ଅଚାନକ ସାର୍କ ହାବୁଡ଼କୁ ଆସିଯାଇଛନ୍ତି। ଆଉ ସାର୍କ ତାଙ୍କୁ ଗୋଟାପଣେ ପେଟ ଭିତରକୁ ନେଇଯାଇଛି। ସେଥିଲାଗି ତାଙ୍କର ମୃତଦେହ ମିଳିନାହିଁ। ପୁଣି ଆଉ କେତେକ ଅନୁମାନ କରିଥିଲେ ଯେ, ସମ୍ଭବତଃ ସାମୁଦ୍ରିକ ସ୍ରୋତ ଯେଉଁଠି ଅଧିକ ତୀବ୍ର ଥିଲା ହାରୋଲ୍‌ଡ ଅନ୍ୟମନସ୍କ ହୋଇ ସେଠାରେ ପହଞ୍ଚତ୍ ଯାଇଛନ୍ତି। ଆଉ ଫେରିପାରିନାହାନ୍ତି। ସାମୁଦ୍ରିକ ସ୍ରୋତ ତାଙ୍କ ଅଥଳ ଜଳଧି ଭିତରକୁ ନେଇ ଯାଇଛି। ସବୁଠୁ ମଜାଦାର କଳ୍ପନା ଥିଲା ଯେତେବେଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ହାରୋଲ୍‌ଡଙ୍କ ରହସ୍ୟମୟ ଅନ୍ତର୍ଦ୍ଧାନକୁ ନେଇ। କେତେକେ ଅନୁମାନ କରିଥିଲେ ଯେ, ହୁଏତ ଏଲିଅନ୍‌ମାନେ ଆସି ହାରୋଲ୍‌ଡଙ୍କୁ ଅପହରଣ କରିନେଇଛନ୍ତି। ମାତ୍ର ଏସବୁ ଥିଲା କେବଳ କଳ୍ପନାଜଳ୍ପନା। ସତ ହେଉଛି ଏଇଆ ଯେ, ହାରୋଲ୍‌ଡ ରହସ୍ୟଜନକ ଭାବରେ ଗାଏବ ହୋଇଯାଇଥିଲେ। ଆଉ ଅଦ୍ୟାବଧି ତାଙ୍କର ନିଖୋଜ ରହସ୍ୟମୟ ତାଲିକାରେ ରହିଛି।


କୁଆଡ଼େ ଗଲେ ହୋଫା : ଏଠାରେ ଯେଉଁ ଘଟଣାଟିର ଅବତାରଣା କରାଯାଉଛି ତାହା ଉପର ଘଟଣାଗୁଡ଼ିକ ଠାରୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟକର। ପାଣିରେ ନୁହେଁ କି ଆକାଶରେ ନୁହେଁ – ଏଇ ମାଟି ଉପରେ ଗୋଟିଏ ଲୋକ ଲାପତ୍ତା ହୋଇଯିବ! ଜେମ୍‌ସ ରିଡିଲ ହୋଫା! ଏକଦା ଆମେରିକା ଲେବର ୟୁନିଇନ୍‌ର ଜଣେ ସବୁଠାରୁ ଶକ୍ତିଶାଳୀ ନେତା ଭାବରେ ଜଣା ଥିଲେ ଏହି ହୋଫା। ସେତିକିନୁହେଁ ସେ ଥିଲେ ଇଣ୍ଟରନ୍ୟାଶନାଲ ବ୍ରଦରହୁଡ୍‌ ଅଫ୍‌ ଟିମଷ୍ଟର୍ସ ସଂଘର ସଭାପତି। ଅବଶ୍ୟ ଗୋଟିଏ ସମୟ ଆସିଲା ଯେତେବେଳେ ସେ ବହୁ ଦୁର୍ନୀତି ତଥା ସଂଗଠିତ ଅପରାଧରେ ଜଡ଼ିତ ହୋଇପଡ଼ିଥିଲେ। ସେଥିପାଇଁ ତାଙ୍କୁ ବର୍ଷବର୍ଷ ଜେଲ୍‌ ଜୀବନ ବିତାଇବାକୁ ପଡ଼ିଥିଲା। ତେବେ ଏସବୁ ତାଙ୍କୁ ତାଙ୍କର ଜୀବନକାଳ ମଧ୍ୟରେ ଯେତିକି ଚର୍ଚ୍ଚାକୁ ଆଣି ନ ଥିଲା ସେ ତା’ଠୁ ବେଶି ଚର୍ଚ୍ଚାକୁ ଆସିଥିଲେ ତାଙ୍କର ରହସ୍ୟଜନକ ଅନ୍ତର୍ଦ୍ଧାନ ଘଟିବା ପରେ। ଆଶଙ୍କା କରାଗଲା ତାଙ୍କୁ ତାଙ୍କର ବିରୋଧୀମାନେ ହତ୍ୟା କରିଛନ୍ତି। ମାତ୍ର ସେମିତି କିଛି ଘଟି ନ ଥିଲା। ହୋଫା ଘରୁ ତ ବାହାରିକି ଆସିଲେ। ଫେରିବେ ବୋଲି ସ୍ତ୍ରୀଙ୍କୁ ଫୋନ୍‌ରେ ଜଣେଇଦେଲେ। ମାତ୍ର ଦିନ ପରେ ଦିନ ବିତିଲା। ମାସ ଅତିକ୍ରମକଲା। ମାସ ବର୍ଷକୁ ରୂପାନ୍ତରିତ ହେଲା। ମାତ୍ର ହୋଫା ଆଉ ଫେରିଲେନି। କିମ୍ବା ସେ ଆଉ କେଉଁଠି ଦେଖିବାକୁ ମିଳିଲେନାହିଁ। ୧୯୭୫ ମସିହା ଜୁଲାଇ ୩୦ ତାରିଖ। ଏହି ଦିନ ଶେଷଥର ପାଇଁ ହୋଫାଙ୍କୁ କିଛି ଲୋକ ଦେଖିବାକୁ ପାଇଥିଲେ। ସେ ଘରୁ ଆସିବା ବେଳେ କହିଆସିଥିଲେ ଯେ, ସେ ତାଙ୍କର ଦୁଇଜଣ ସହଯୋଗୀଙ୍କୁ ଭେଟିବାକୁ ଯାଉଛନ୍ତି। ଅବଶ୍ୟ ଯେଉଁ ଦୁଇଜଣଙ୍କୁ ସେ ଭେଟିବାକୁ ଯାଉଥିଲେ ସେମାନେ ଥିଲେ ଜଣେ ଜଣେ ମାଫିଆ ଆଉ ଏକଦା ତାଙ୍କ ଲେବର ୟୁନିଅନ୍‌ କଲିଗ୍‌। ସେ ଦୁଇଜଣ ହେଉଛନ୍ତି ଆନ୍ଥୋନୀ ଗାଇକାଲୋନ୍‌ ଏବଂ ଆନ୍ଥୋନୀ ପ୍ରୋଭେନ୍‌ଜାନୋ। ଦୁଇ ଆନ୍ଥୋନୀଙ୍କ ସହିତ ଗୋଟେ ସମୟରେ ହୋଫାଙ୍କର ଘୋର ଶତ୍ରୁତା ଥିଲା। ମାତ୍ର ପରେ ସେମାନେ ତାହାର ସମାଧାନ କରି ନେଇଥିଲେ। ସେଦିନ ହୋଫା ଆସିଥିଲେ ସେଇମାନଙ୍କୁ ଭେଟିବାକୁ। ମାତ୍ର ଦୁଇଦିନ ପରେ ବଦଳି ଯାଇଥିଲା ପରିସ୍ଥିତି। ପୋଲିସ ତଥା ଏଫ୍‌ବିଆଇ ସନ୍ଦେହ କରିଥିଲା ଯେ, ହୁଏତ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଉପରୋକ୍ତ ଦୁଇ ଆନ୍ଥୋନୀ ତାଙ୍କୁ ହତ୍ୟା କରିଥାଇପାରନ୍ତି। ଆଉ ତାଙ୍କର ଡେଡବଡ଼ିକୁ ଗାଏବ କରିଦେଇ ଥାଇପାରିଥାନ୍ତି। ମାତ୍ର ଏ ଅନୁମାନର କୌଣସି ଭିତ୍ତି ନ ଥିଲା। କାରଣ ସେମାନଙ୍କ ମଧ୍ୟରେ ସାକ୍ଷାତ କିମ୍ବା ଆଲୋଚନା ପାଇଁ କୌଣସି ସମୟ କିଛି ଦିନ ଧାର୍ଯ୍ୟ ହୋଇ ନ ଥିଲା ବୋଲି ସେମାନେ କହିଥିଲେ। ଆଉ ତାହା ବି ଶେଷରେ ସତ୍ୟ ସିଦ୍ଧ ହୋଇଥିଲା। ତେବେ ପ୍ରଶ୍ନ ଉଠିଥିଲା ହୋଫା ଗଲେ କୁଆଡ଼େ? କେତେକେ ହୋଫାଙ୍କୁ ବିଭିନ୍ନ ସ୍ଥାନରେ ବୁଲୁଥିବା ଦେଖିବାକୁ ପାଇଥିଲେ। ହୋଫାଙ୍କୁ ବେଆଇନ ଭାବରେ ଅବଶ୍ୟ ମୃତ ଘୋଷଣା କରାଯାଇଛି। ହେଲେ ବାସ୍ତବରେ ସେ ମୃତ କି ଜୀବିତ ତାହା ବି ଏକ ରହସ୍ୟ। ଜଣେ ଜୀବିତ ବ୍ୟକ୍ତି ସମସ୍ତଙ୍କ ଆଖିକୁ ଫାଙ୍କିଦେଇ କେଉଁଆଡ଼େ ଗାଏବ ହୋଇଯାଇପାରେ? ଆଉ ତା’ର କାରଣ ବି କ’ଣ? ଏ ପ୍ରଶ୍ନ ସବୁ ଆଜି ବି ଅସମାହିତ।


ନିଖୋଜ ନେତାଜୀ : ରହସ୍ୟମୟ ଅନ୍ତର୍ଦ୍ଧାନ କାହାଣୀମାଳାର ପରିଶେଷରେ ଅଦ୍ୟାବଧି ନିଖୋଜ ବୋଲି କୁହାଯାଉଥିବା ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ କଥା ବେଶ୍‌ ପ୍ରାସଙ୍ଗିକ ମନେହୁଏ। ଆଜାଦ ହିନ୍ଦ୍‌ ଫୌଜର ସ୍ରଷ୍ଟା ନେତାଜୀ ମୃତ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ କଥାଟି ସତ ଆଉ କଳ୍ପନାର ମଝିରେ ଦୋଳି ଖେଳୁଥିବା ପେଣ୍ଡୁଲମ୍‌ ପରି ମନେହୁଏ। କାରଣ ଯଦିଓ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି ତଥାପି ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ ନେତାଜୀ ବହୁଶହ ଭାରତୀୟଙ୍କ ପାଇଁ ରହସ୍ୟମୟ ଭାବରେ ଅନ୍ତର୍ଦ୍ଧାନ ହୋଇ ରହିଛନ୍ତି। ନେତାଜୀଙ୍କ ଦେହାନ୍ତ ତଥ୍ୟଟି ଏୟା କହେ ଯେ, ଦୁର୍ଘଟଣାଗ୍ରସ୍ତ ବିମାନଟି ହୁହୁ ହୋଇ ଜଳୁଥାଏ। ନେତାଜୀଙ୍କ ଦେହ ସମ୍ପୂର୍ଣ୍ଣ ଗ୍ୟାସୋଲିନ୍‌ରେ ଭିଜି ଯାଇଥାଏ। ବାହାରିବା ପାଇଁ ବାଟ ନ ଥାଏ। ନେତାଜୀ ଅନନ୍ୟୋପାୟ ହୋଇ ଜଳୁଥିବା ବାଟ ଦେଇ ବାହାରକୁ ଚାଲିଆସିଲେ। ତାଙ୍କ ଦେହ ନିଅଁାରେ ଜଳୁଥାଏ। ନିଅଁାକୁ ଆୟତ୍ତ କରି ତାଙ୍କୁ ତାଇହୁକୁର ନାନମୁନ୍‌ ମିଲିଟାରୀ ହସ୍ପିଟାଲ୍‌କୁ ନିଆଗଲା। ତାଙ୍କ ଦେହରେ ଥାର୍ଡ ଡିଗ୍ରୀ ବର୍ନ ସୃଷ୍ଟି ହୋଇଥାଏ। ତଥାପି ସେଠାରେ ଚିକିତ୍ସା ଚାଲିଲା। ଏହାସତ୍ତ୍ୱେ ସେ କୋମାକୁ ଚାଲିଗଲେ। ଆଉ କୋମାକୁ ଯିବାର ଅଳ୍ପକିଛି ସମୟ ପରେ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ଦୁଇଦିନ ପରେ ତାଇହୁକୁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଗଲା। ସେଇ ଦିନଟି ଥିଲା ୧୯୪୫ ମସିହା ଅଗଷ୍ଟ ୨୦ ତାରିଖ। ଏ କାହାଣୀ ସତ ବୋଲି ଲାଗୁଥିଲେ ମଧ୍ୟ ଅଦ୍ୟାବଧି ଏହା ଉପରେ ସତ୍ୟର ମୋହର ଲାଗିନାହିଁ। ନେତାଜୀଙ୍କ ଶେଷ ଜୀବନକୁ ନେଇ ଏବେ ସୁଦ୍ଧା ତଦନ୍ତ ଜାରି ରହିଛି। ତେଣୁ ଆପାତତଃ ଭାବରେ ନେତାଜୀ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ରହସ୍ୟମୟ ଭାବରେ ନିଖୋଜ!

– ରାଜେନ୍ଦ୍ର ରାଉଳ


Enter your email to get our daily news in your inbox.

All Right Reserved By Dharitri.Com

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

‘ପ୍ରଧାନମନ୍ତ୍ରୀଙ୍କ ସହ କିଛି ବି ହୋଇଥାଆନ୍ତା’, କାହିଁକି ଏମିତି କହିଲେ ଓମ ବିର୍ଲା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ପର୍କରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ମୁଲତବୀ କରାଯିବା ଉପରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ…

ହୋଲି-ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର; ଜାଣନ୍ତୁ ଆପଣଙ୍କୁ କିପରି ମିଳିବ ଲାଭ…

ନୂଆଦିଲ୍ଲୀ,୫।୨: ଯଦି ଆପଣ ଦିଲ୍ଲୀରେ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦିଲ୍ଲୀର ରେଖା ଗୁପ୍ତା ସରକାର ନିଜର ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ କରି…

SIR ନେଲାଣି ୧୦୭ ଲୋକଙ୍କ ଜୀବନ

କୋଲକାତା,୫।୨: ଗୁରୁବାର, ଫେବୃଆରୀ ୫, ୨୦୨୬ରେ ପଶ୍ଚିମବଙ୍ଗ ବିଧାନସଭାରେ ଏକ ଜରୁରୀ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିରେ ଦାବି କରାଯାଇଛି ଯେ ସ୍ବତନ୍ତ୍ର ସଘନ ସଂଶୋଧନ (SIR)…

ତତ୍ପରତା ଦେଖାଇଲା ଜିଲା ପ୍ରଶାସନ, ଜେସିବି ମେଶିନ ସାହାଯ୍ୟରେ ହଟାଗଲା ହମ୍ପସ

ବଞ୍ଚୋ,୫ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଜୀବନରେଖା କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥର କୋଳିମାଟି ଛକ ଦୁର୍ଘଟଣାର ହଟ୍‌ସ୍ପଟ୍‌ ପାଲଟିଛି। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା…

ଚାଇନା-ରୁଷିଆ-ଆମେରିକାକୁ ପଛରେ ପକାଇ ଏହି ଲିଷ୍ଟ୍‌ରେ ଆଗକୁ ଗଲା ଭାରତ, ଜାଣନ୍ତୁ ପାକିସ୍ତାନ ସ୍ଥିତି କ’ଣ

ନୂଆଦିଲ୍ଲୀ,୫।୨: ବିଶ୍ୱ ବୌଦ୍ଧିକ ଫାଉଣ୍ଡେସନ (WIF) ଦ୍ୱାରା ପ୍ରକାଶିତ ଦାୟିତ୍ୱବାନ ରାଷ୍ଟ୍ର ସୂଚକାଙ୍କ ଦେଶଗୁଡ଼ିକ ଉପରେ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରେ। ଏହି ତାଲିକା ଏକ…

ବଲାଙ୍ଗୀର ସହର ପରିକ୍ରମା କଲେ ଆୟୁର୍ବେଦ ଛାତ୍ରୀଛାତ୍ର, ସୁବର୍ଣ୍ଣ ଜୟନ୍ତୀ ଗେଟକୁ କଳିକେଶ…

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଗୁରୁବାର ଉଦଘାଟିତ ହୋଇଛି । ଏହି ଅବସରରେ ବଲାଙ୍ଗୀର ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri