Posted inଖେଳ

ପ୍ରଥମ ଟେଷ୍ଟ: ଇନିଂସ ଓପନ୍‌ କରିବେ ରୋହିତ

ବିଶାଖାପାଟଣା,୨।୧୦(ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଓ୍ବାଇ.ଏସ୍‌. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଦୁଇଟି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବଦଳରେ ଦଳରେ ଅଭିଜ୍ଞ ରିଦ୍ଧିମାନ ଶାହାଙ୍କୁ ସାମିଲ କରାଯାଇଛି। ସେହିପରି ସୀମିତ ଓଭର କ୍ରିକେଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ତାରକା ଓପନର ରୋହିତ ଶର୍ମା ଟେଷ୍ଟରେ ପ୍ରଥମଥର ପାଇଁ ଇନିଂସ ଓପନ୍‌ କରି ନୂଆ ଜୀବନ ଆରମ୍ଭ କରିବେ। ଦୀର୍ଘ ୨୨ମାସ ପରେ ରିଦ୍ଧିମାନ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି। ଅଧିନାୟକ ବିରାଟ କୋହଲି ପନ୍ତଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ବୋଲି ଘୋଷଣା କରିବା ପରେ ରିଦ୍ଧିମାନ ଏହି ମ୍ୟାଚ୍‌ ଖେଳିବା ସ୍ପଷ୍ଟ ହୋଇଥିଲା।
ଟେଷ୍ଟରେ ରୋହିତ ଦିନିକିଆ ସଫଳତାକୁ ଦୋହରାଇବେ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ଆଶା ରଖିଛି। ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ରନ୍‌ ସଂଗ୍ରହ କରିବାରେ ବିଫଳ ହେବା ପରେ ଏହି ପରୀକ୍ଷା ନିରୀକ୍ଷା କାମରେ ଆସିବ ବୋଲି ଆଶା କରାଯାଉଛି। ଦିନିକିଆ ଓ ଟି୨୦ରେ ଦମ୍‌ ଦେଖାଇଥିବା ରୋହିତ ଏଠାରେ ଶତକ ହାସଲ କଲେ ସେଭଲି କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ଟେଷ୍ଟରେ ରୋହିତ ସଫଳ ହେବ ଓ ବହୁ ପରିମାଣରେ ରନ୍‌ ସଂଗ୍ରହ କରିବେ ବୋଲି ପୂର୍ବତନ କ୍ରିକେଟର ଯୁବରାଜ ସିଂ କହିଛନ୍ତି। ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ମିଡଲ ଅର୍ଡରରେ ବ୍ୟାଟିଂ କରିପାରି ନ ଥିଲେ। ତେବେ ଖରାପ୍‌ ଫର୍ମ କାରଣରୁ ଲୋକେଶ ରାହୁଲ ଦଳରୁ ବାଦ୍‌ ପଡିବା ପରେ ରୋହିତ୍‌ଙ୍କୁ ଇନିଂସ ଓପନ କରିବାର ସୁଯୋଗ ମିଳିଛି। ଏହି ନିଷ୍ପତ୍ତି ଭାରତ ପାଇଁ ଆଶୀର୍ବାଦ ସ୍ବରୂପ ହେବ ବୋଲି ଆଶା କରାଯାଉଛି।
ନେଟ ସେସନରେ ରୋହିତଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା ଓ ମଧ୍ୟ ଭଲ ଅଭ୍ୟାସ କରିଛନ୍ତି। ୨୭ଟି ଟେଷ୍ଟ ଖେଳି ରୋହିତ ଏପର୍ଯ୍ୟନ୍ତ ୩୯.୬୨ ହାରରେ ୧୫୮୫ ରନ ସଂଗ୍ରହ କରିଛନ୍ତି। ତେବେ ସୀମିତ ଓଭରରେ ସେ ୧୦,୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିସାରିଛନ୍ତି। ରୋହିତଙ୍କୁ ବହୁତ ସୁଯୋଗ ଦିଆଯିବ ବୋଲି କୋହଲି ମ୍ୟାଚ୍‌ ପୂର୍ବରୁ କହିଛନ୍ତି। ସେ ରୋହିତଙ୍କୁ ସମର୍ଥନ ମଧ୍ୟ କରିଛନ୍ତି। ଯଦି ସେ ଓପନର ହିସାବରେ ସଫଳ ହୁଅନ୍ତି ତାହେଲେ ଟପ୍‌ ଅର୍ଡର ଆହୁରି ଶକ୍ତିଶାଳୀ ହେବ। ସ୍ବାଭାବିକ ଖେଳ ପ୍ରଦର୍ଶନ କଲେ ସେ ସଫଳ ହେବେ ଓ ଭାରତୀୟ ବ୍ୟାଟିଂ ଅର୍ଡରର ରୂପ ବଦଳିଯିବ। ପନ୍ତ ଏବେ ଫର୍ମରେ ନ ଥିବାରୁ ରିଦ୍ଧିମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଶାହା ଫିଟ୍‌ ଅଛନ୍ତି ଓ ସେ ବିଶ୍ୱର ଶ୍ରେଷ୍ଠ କିପର ବୋଲି କୋହଲି କହିଛନ୍ତି। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ସେ ଗତ ଡିସେମ୍ବରରେ ଆଡିଲେଡ୍‌ରେ ଶେଷଥର ପାଇଁ ଟେଷ୍ଟ ଖେଳିଥିଲେ। ସେ ମଧ୍ୟ ଗତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଦଳରେ ସାମିଲ ହୋଇ ନ ଥିଲେ। ଭାରତ ଦୁଇ ଜଣ ଲେଖାଏ ଦ୍ରୁତ ବୋଲର ଓ ସ୍ପିନରଙ୍କୁ ଦଳରେ ସାମିଲ କରିଛି। ଯଦି ବଲ୍‌ ଟର୍ନ କରେ ତାହାଲେ ତୃତୀୟ ସ୍ପିନର ଭାବେ ହନୁମା ବିହାରୀ ଦାୟିତ୍ୱ ତୁଲାଇବେ।
ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ଅନୁପସ୍ଥିତି ଦଳ ପାଇଁ ଝଟ୍‌କା ସଦୃଶ ହୋଇଛି। ତେବେ ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ଏହା ସତ୍ତ୍ୱେ ଦାୟିତ୍ୱ ସମ୍ଭାଳିବେ। ରବୀନ୍ଦ୍ର ଜାଡେଜା ଓ ଅଶ୍ୱିନ୍‌ ସ୍ପିନ୍‌ ବିଭାଗରେ ଦାୟିତ୍ୱ ସମ୍ଭାଳିବେ।
ନବଗଠିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଏହି ସିରିଜରେ ଫେଭରାଇଟ୍‌ ବିବେଚିତ ହେଉଛି। ୪ବର୍ଷ ତଳରେ ଦକ୍ଷିଣ ଆଫ୍ରିକା ଭାରତ ଆସି ୩-୦ରେ ଟେଷ୍ଟ ସିରିଜ ପରାଜୟବରଣ କରିଥିଲା। ଅଧିନାୟକ ଫାଫ୍‌ ଡୁପ୍ଲେସିଙ୍କ ସମେତ ୫ଜଣ ଖେଳାଳି ଏହି ଦଳରେ ସଦସ୍ୟ ରହିଥିଲେ। ଅଭ୍ୟାସ ମ୍ୟାଚ୍‌ରେ ଓପନର ଏଡେନ ମାରକ୍ରାମ ଓ ଟେମ୍ବା ବଭୁମା ଭଲ ପ୍ରଦର୍ଶନ କରିଥିଲେ। ବଲ୍‌ ଟର୍ନ କଲେ ଏହି ଦୁଇ ବ୍ୟାଟ୍ସମ୍ୟାନ ଭଲ ଖେଳିବେ ବୋଲି ଆଶା କରାଯାଉଛି। ୩ ଦ୍ରୁତ ବୋଲର କାଗିସୋ ରାବାଡ଼ା, ଭର୍ନନ ଫିଲାଣ୍ଡର ଓ ଲୁନ୍‌ଗି ଏନ୍‌ଗିଡି ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବେ। ଆକାଶ ମେଘୁଆ ରହିବା ସହିତ ବେଳକୁ ବେଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ୩ ଦ୍ରୁତ ବୋଲର ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି।
ଏହି ସିରିଜରେ ବାଜିମାରିଲେ ଭାରତ ଘରୋଇ ପରିବେଶରେ କ୍ରମାଗତ ୧୧ତମ ସିରିଜ ଜିତି ରେକର୍ଡ କରିବ। ଦକ୍ଷିଣ ଆଫ୍ରକାର ଏହି ୩ ଦ୍ରୁତ ବୋଲରଙ୍କ ପ୍ରତି ଭାରତୀୟ ବ୍ୟାଟ୍ସମ୍ୟାନ ସତର୍କତା ଅବଲମ୍ବନ କରିବେ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ, ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମି ଓ ଇଶାନ୍ତ ଶର୍ମା।
ଦକ୍ଷିଣ ଆଫ୍ରିକା: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଟେମ୍ବା ବଭୁମା, ଥେଉନିସ ଡି ବ୍ରୁଏନ, କ୍ୱିଣ୍ଟନ ଡି କକ୍‌, ଡିନ୍‌ ଏଲଗାର, ଜେବେର ହମ୍‌ଜା, କେଶବ ମହରାଜ, ଏଡେନ ମାରକ୍ରାମ, ସେନୁରାନ ମୁଥୁସାମି, ଲୁନ୍‌ଗି ଏନ୍‌ଗିଡି, ଅନରିଚ୍‌ ନୋର୍ଜ, ଭର୍ନନ ଫିଲାଣ୍ଡର, ଡେନ୍‌ ପିଟ୍‌, କାଗିସେ ରାବାଡ଼ା ଓ ରୁଡି ସେକେଣ୍ଡ।
ସମୟ: ୯.୩୦
ସ୍ଥାନ : ବିଶାଖାପାଟଣା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଳାତ୍କାର ଅଭିଯୁକ୍ତ କୋଚ୍‌ଙ୍କୁ ବ୍ୟାନ କଲା ଏସ୍‌ଏଫ୍‌ଆଇ

ନୂଆଦିଲ୍ଲୀ,୬।୯(ପିଟି): ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଶୁକ୍ରବାର ଗୋଆ ଆସୋସିଏଶନ ଦ୍ୱାରା ବିଦା ହୋଇଥିବା କୋଚ୍‌ ସୁରଜିତ ଗାଙ୍ଗୁଲିଙ୍କୁ ବାସନ୍ଦ କରିଛି। ଗୋଆ ସୁଇମିଂ...

ଆଇପିଏଲ୍‌ ମିଡିଆ ରାଇଟ୍‌ ପାଇଁ ୩୩ ହଜାର କୋଟି

ବେଙ୍ଗାଲୁରୁ,୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସାରଣ ଅଧିକାର ପାଇଁ ୩୩ ହଜାର କୋଟି ଟଙ୍କାର ବେସ୍‌ ପ୍ରାଇସ ଧାର୍ଯ୍ୟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ଇଂଲଣ୍ଡ ଆଗରେ ୨୯୬ ରନ୍‌ର ବିଜୟ ଲକ୍ଷ୍ୟ

ହେଡିଂଲେ,୨୬।୬: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨୯...

‘୫୦ ଲୋକ ମଧ୍ୟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ ଆସି ନ ଥିଲେ’:

ନୂଆଦିଲ୍ଲୀ, ୨।୯- କିଙ୍ଗଷ୍ଟନ ସାବିନା ପାର୍କରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଭାରତ ଦୃଢ଼ସ୍ଥିତିରେ ରହିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର...

ପରାଜୟରେ ନିଜକୁ ଉତ୍ତରଦାୟୀ କରିଥାନ୍ତି ଧୋନୀ: ମୋହିତ

ନୂଆଦିଲ୍ଲୀ,୨୬।୫ (ପି.ଟି.): ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ଦ୍ରୁତ ବୋଲର ମୋହିତ ଶର୍ମା। ସେ ଜଣେ ପ୍ରକୃତ ଅଧିନାୟକ।...

ଆଇପିଏଲ୍‌ ପାଇଁ ଆଗ୍ରହ ଦେଖାଇ ନାହିଁ ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୦ା୭ (ପି.ଟି.)-ଚଳିତବର୍ଷ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ପାଇଁ ନ୍ୟୁଜିଲାଣ୍ଡ ଆଗ୍ରହ ପ୍ରକାଶ କରିଥିବା ଯାହା ଶୁଣାଯାଉଛି ତାହା ଠିକ୍‌...

ଅର୍ଜୁନ ପୁରସ୍କାର: ଅଙ୍କିତା, ଶରନଙ୍କ ନାମ ସୁପାରିସ କଲା ଏଆଇଟିଏ

ନୂଆଦିଲ୍ଲୀ,୧୭।୫ (ପି.ଟି.): ଏସିଆନ ଗେମ୍ସ ପଦକ ବିଜେତା ତଥା ଟେନିସ୍‌ ତାରକା ଅଙ୍କିତା ରାଇନା ଓ ଦିଭିଜ ଶରନଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ୍‌...

ସୁଦିରମାନ କପ୍‌: ଚାଇନା ଚାମ୍ପିୟନ

ନାନ୍ନିଂ(ଚାଇନା), ୨୬।୫(ଏଏଫ୍‌ପି)-ବିଶ୍ୱର ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ପୁରୁଷ ସିଙ୍ଗଲ୍ସ ଖେଳାଳି କେଣ୍ଟୋ ମୋମୋଟାଙ୍କ ବିପକ୍ଷରେ ଶି ୟୁକିଙ୍କ ଚମକପ୍ରଦ ବିଜୟ ହାସଲ କରିଥିବା ବେଳେ ଚାଇନା ୧୧ତମ...

Advertisement
Archives

Model This Week