Posted inଜାତୀୟ

ପେଟ୍ରୋଲ, ଡିଜେଲରେ ମାଡ଼: ସବୁଥିରେ ଦର ବଢ଼ିବ

ନୂଆଦିଲ୍ଲୀ,୬।୭ (ପି.ଟି.): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ପାଳିରେ ପୂର୍ଣ୍ଣକାଳୀନ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ସୀତାରାମନ୍‌ ୨୭,୮୬,୩୪୯ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ଖର୍ଚ୍ଚ ଅଟକଳ ପ୍ରସ୍ତାବ ଦେଇଛନ୍ତି। ସେହିଭଳି ରେଲଓ୍ବେକୁ ୬୫, ୮୩୭ କୋଟି ଟଙ୍କାର ବଜେଟ ସହାୟତା ଦିଆଯାଇଛି। ତେବେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବୃଦ୍ଧି କରାଯାଇଥିବାରୁ ଏଣିକି ସବୁଥିରେ ଦର ବଢ଼ିବ ବୋଲି ନିଶ୍ଚିତ ହୋଇଯାଇଛି। ଧନୀ

ଙ୍କ ଠାରୁ ଅତିରିକ୍ତ ସରଚାର୍ଜ ଆଦାୟ କରିବା ସହ କ୍ୟାସ୍‌ଲେସ୍‌ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାକୁ ଯାଇ ଉଚ୍ଚ ମୂଲ୍ୟର ନଗଦ ଉଠାଣ ଉପରେ ଦୁଇ ପ୍ରତିଶତ ଟିଡିଏସ୍‌ ଆଦାୟ ପାଇଁ ସେ ବଜେଟରେ ପ୍ରସ୍ତାବ ଦେଇଛନ୍ତି। ଟିକସ କ୍ଷେତ୍ରରେ ଅଧିକ ରିହାତି ଆଶା କରୁଥିବା ମଧ୍ୟବିତ୍ତ ଶ୍ରେଣୀଙ୍କୁ ସୀତାରାମନଙ୍କ ବଜେଟରୁ ନିରାଶ ହେବାକୁ ପଡିଛି। ଚଳିତ ବଜେଟରେ ଆୟକର ରିଟର୍ନ ଦାଖଲ ନେଇ ନୂଆ ବ୍ୟବସ୍ଥା କରାଯାଇଛି। ଏବେଠୁ ପାନ୍‌ ନ ଥିଲେ ଆଧାର ମାଧ୍ୟମରେ ରିଟର୍ନ ଦାଖଲ କରିହେବ। ଅର୍ଥାତ୍‌ ଆଧାର କାର୍ଡ ବ୍ୟବହାରକୁ ଅଧିକ ଶକ୍ତିଶାଳୀ କରିବାକୁ ଚାହିଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେହିପରି ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଭାରତରେ ପଦାର୍ପଣ କରିବା ମାତ୍ରେ ସେମାନଙ୍କୁ ତୁରନ୍ତ ଆଧାର

କାର୍ଡ ପ୍ରଦାନ କରାଯିବ। ଆଉ ପୂର୍ବ ଭଳି ସେମାନଙ୍କୁ ୧୮୦ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ପରମ୍ପରା ଭଙ୍ଗ କରି ବ୍ରିଫ୍‌କେସ୍‌ ବଦଳରେ ବହିଖାତା ଧରି ସୀତାରାମନ ଗୃହକୁ ପ୍ରବେଶ କରିଥିଲେ। ତାଙ୍କର ୨ ଘଣ୍ଟା ୧୫ ମିନିଟ୍‌ର ଭାଷଣ ବେଳେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୧ ଟଙ୍କା ବଢ଼ାଇବାକୁ ଘୋଷଣା କରି ସେ ସମସ୍ତଙ୍କୁ ଚକିତ କରିଛନ୍ତି। ଖାଲି ସେତିକି ନୁହେଁ, ଏହି ଦୁଇ ପେଟ୍ରୋ ଉତ୍ପାଦ ପରେ ୧ ଟଙ୍କାର ଇନ୍‌ଫ୍ରାଷ୍ଟ୍ରକଚର ସେସ୍‌ ବସିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୨ ଟଙ୍କା ୫୦ ଓ ୨ଟଙ୍କା ୩୦ ପଇସା ବୃଦ୍ଧି ପାଇବ। ପେଟ୍ରୋ ଉତ୍ପାଦକୁ ଜିଏସ୍‌ଟି ଅଧୀନକୁ ଆଣିବା ଲାଗି ଦାବି ହୋଇଆସୁଥିବା ବେଳେ ବଜେଟ୍‌ରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଟିକସ୍‌ ବୃଦ୍ଧି ନେଇ ଘୋଷଣା କରିବା ଦେଶବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି। ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବେ ସର୍ବନିମ୍ନ ସ୍ତରରେ ଥିବାରୁ ଏହାର ସୁଯୋଗ ନେବାକୁ ସେ ଚାହୁଁଛନ୍ତି ବୋଲି ଅର୍ଥମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ସବୁ ପ୍ରକାର ସାମଗ୍ରୀ ଦର ବଢ଼ିବା ସହିତ ମାଲ୍‌ ଭଡା ବଢ଼ିବ। ଫଳସ୍ବରୂପ ମୁଦ୍ରାସ୍ଫୀତି ବୃଦ୍ଧି ପାଇବା କାରଣରୁ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ସଂଶୋଧନ କରିବାକୁ ବାଧ୍ୟ ହେବେ।
ଅନ୍ୟପକ୍ଷରେ ଅଣବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥାଗୁଡ଼ିକ ଏବେ ନଗଦ ସଙ୍କଟର ସାମ୍ନା କରୁଥିବାବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ୭୦ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବଜେଟରେ ଘୋଷଣା କରିଛନ୍ତି। ସେହିପରି ରାଷ୍ଟ୍ରାୟତ୍ତ ପ୍ରତିଷ୍ଠାନଗୁଡ଼ିକର ଘରୋଇକରଣ ମାଧ୍ୟମରେ ବଜେଟରେ ଘୋଷିତ ଯୋଜନାଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହର ବ୍ୟବସ୍ଥା ହୋଇଛି। ତେବେ ଚଳିତ ବଜେଟରେ ଟିକସ ଛାଡ଼ ଲାଗି ଆଶା ବାନ୍ଧିଥିବା ମଧ୍ୟବିତ୍ତ ଶ୍ରେଣୀଙ୍କୁ ନିରାଶ ହେବାକୁ ପଡିଛି। ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଅନ୍ତରୀଣ ବଜେଟରେ ଘୋଷିତ ଟିକସ ବ୍ୟବସ୍ଥାକୁ ସୀତାରାମନ ପରିବର୍ତ୍ତନ କରି ନ ଥିବା ବେଳେ କେବଳ ଘର କିଣା ଉପରେ ସାମାନ୍ୟ ଟିକସ ଛାଡ଼ ଘୋଷଣା କରିଛନ୍ତି। କେବଳ ୨୦୨୦ ମାର୍ଚ୍ଚ ସୁଦ୍ଧା ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର କିଣା ଉପରେ ସୁଧ ହାରରେ ଅତିରିକ୍ତ ୧.୫ ଲକ୍ଷ ଟଙ୍କା ଆୟକର ଛାଡ଼ ଘୋଷଣା କରାଯାଇଛି। ଅର୍ଥାତ୍‌ ଜଣେ ମଧ୍ୟବିତ୍ତ ଆୟକାରୀ ଶସ୍ତା ଘର କିଣିବାକୁ ଚାହିଁଲେ ତାଙ୍କୁ ମୋଟ୍‌ରେ ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ ଟିକସ ଛାଡ଼ ସୁବିଧା ମିଳିବ। ଏହି ଘୋଷଣା ଦ୍ୱାରା ରିଏଲ ଇଷ୍ଟେଟ ସେକ୍ଟରକୁ ବିଶେଷ ଫାଇଦା ମିିଳିବା ସମ୍ଭାବନା ନାହିଁ। ଅପରପକ୍ଷରେ ଅର୍ଥମନ୍ତ୍ରୀ ସୀତାରାମନ୍‌ କର୍ପୋରେଟ ଜଗତକୁ ଖୁସି କରିବାକୁ ଚେଷ୍ଟା କରି ଟିକସ ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ୨୫୦ କୋଟି ଟଙ୍କାର ବାର୍ଷିକ କାରବାର କରୁଥିବା କମ୍ପାନୀଙ୍କୁ ୨୫% ଟିକସ ଦେବାକୁ ପଡୁଥିଲା। ଏହା ଉପରେ ଅଧିକ କାରବାର କରୁଥିଲେ ୩୦% ଟିକସ ଆଦାୟ କରାଯାଉଛି। ଅର୍ଥମନ୍ତ୍ରୀ ଉକ୍ତ ସୀମାକୁ ବୃଦ୍ଧି କରି ବାର୍ଷିକ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ସମସ୍ତ କମ୍ପାନୀଙ୍କୁ ୨୫%ର ସର୍ବନିମ୍ନ ହାରରେ କର୍ପୋରେଟ ଟିକସ ଦେବାକୁ ପଡିବ ବୋଲି ବଜେଟରେ ପ୍ରସ୍ତାବ ଦେଇଛନ୍ତିି। ଏହାଦ୍ୱାରା ପଞ୍ଜୀକୃତ ୯୯.୩ ପ୍ରତିଶତ କମ୍ପାନୀଙ୍କୁ ଫାଇଦା ମିଳିବ। ବଜେଟରେ ସୀତାରାମନ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ଅନ୍ତରୀଣ ବଜେଟରେ ଘୋଷଣା କରାଯାଇଥିବା ସ୍ଲାବ୍‌ କାଏମ ରଖିଛନ୍ତି। କିନ୍ତୁ ସରକାରଙ୍କ ଆୟ ବଢ଼ାଇବାକୁ ଯାଇ ଧନିକ ଶ୍ରେଣୀଙ୍କ ଉପରେ ସେ ଅଧିକ ଟିକସ ବୋଝ ଲଦିଛନ୍ତି। ଆଗକୁ ବାର୍ଷିକ ୨ରୁ ୫ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ଠାରୁ ସରଚାର୍ଜ ବାବଦରେ ୩% ଏବଂ ୫ କୋଟି ଟଙ୍କାରୁ ଅଧିକ ଆୟକାରୀଙ୍କ ଠାରୁ ୭% ଆଦାୟ କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ବ୍ୟାଙ୍କ ଆକାଉଣ୍ଟରୁ ବାର୍ଷିକ ୧ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଉଠାଣ ଉପରେ ୨% ଟିଡିଏସ୍‌ ଆଦାୟ କରିବାକୁ ବଜେଟରେ ଘୋଷଣା କରି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଉପଲବ୍ଧତା ବଢ଼ାଇବା ସହ ଡିଜିଟାଲ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାକୁ ଚାହିଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?