ଥମିନି ଶ୍ରମିକ ଶୋଷଣ ନୀତି: ଏବେ ବି ଅବହେଳିତ ଠିକା ଶ୍ରମିକ

(ଉପେନ୍ଦ୍ର ରାଉତ)

ବଅଁରପାଳ, ୧।୫- ଶ୍ରମିକ ବିକାଶର ବାହକ। ପ୍ରଗତିର ପ୍ରମୁଖ ଭାଗୀଦାର। ସେମାନଙ୍କ ସହଯୋଗ ବିନା ଦେଶର ଉନ୍ନତି ସମ୍ଭବ ନୁହେଁ। ହେଲେ ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ ପ୍ରଗତି ରଥର ଏହି ସାରଥିମାନେ ଅନେକ ସମୟରେ ଅବହେଳାର ଶିକାର ହେଉଛନ୍ତି। ଦୀର୍ଘ ବର୍ଷର କାର୍ଯ୍ୟ କୁଶଳତା ସତ୍ତ୍ବେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି। ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଯାଉନି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲାର ଠିକା ଶ୍ରମିକମାନେ। ନାଲ୍‌କୋ, ଏନ୍‌ଟିପିସି ପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସହ ଏଠାରେ ଗଢ଼ି ଉଠିଥିବା ଅନେକ ଘରୋଇ ଶିଳ୍ପରେ ହଜାର ହଜାର ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏଯାଏ ହୋଇପାରୁ ନ ଥିବା ବେଳେ ଅବହେଳା ଅଭିଯୋଗମାନ ବୃଦ୍ଧି ପାଉଛି। କେବଳ ନାଲ୍‌କୋର ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ ଅଛନ୍ତି। ନାଲ୍‌କୋ ନିର୍ମାଣରେ ସେମାନଙ୍କ ଅବଦାନ ସର୍ବଦା ସ୍ମରଣୀୟ। ତଥାପି ସ୍ଥାୟୀ ଶ୍ରମିକମାନଙ୍କ ତୁଳନାରେ ଏମାନେ ଅବହେଳିତ, ଉପେକ୍ଷିତ। ଶ୍ରମିକ ଦିବସ ଅବସରରେ ଏସବୁ ପ୍ରସଙ୍ଗକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

କୁଶଳୀଙ୍କୁ ଅଣକୁଶଳୀ ପ୍ରାପ୍ୟ

ପ୍ଲାଣ୍ଟ ପରିସରରେ ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ କୁଶଳୀ ଶ୍ରମିକ କାମ କରୁଛନ୍ତି। ଅନେକ ସମୟରେ କେତେଜଣ କୁଶଳୀଙ୍କୁ ଅଣକୁଶଳୀଙ୍କ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି। ସେହିପରି କୁଶଳୀ ଓ ଅର୍ଦ୍ଧକୁଶଳୀ ନିଜ କାର୍ଯ୍ୟ ତୁଲାଉଥିଲେ ବି କେତୋଟି ଠିକା କମ୍ପାନୀ ସେମାନଙ୍କୁ ଅଣକୁଶଳୀ ଶ୍ରମିକଙ୍କ ମଜୁରି ପ୍ରଦାନ କରୁଛି।

ଜାରିରହିଛି ଛଟେଇ ପ୍ରଥା

ନାଲ୍‌କୋରେ ଅନେକ ସମୟରେ ଠିକା ଶ୍ରମିକମାନଙ୍କୁ ଛଟେଇ କରାଯାଉଛି। ଫଳରେ ପ୍ଲାଣ୍ଟରେ କାର୍ଯ୍ୟ କରି ପରିବାର ଭରଣ ପୋଷଣ କରୁଥିବା ଏହି ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ସିପିପି ମିଲ୍‌ ସାଇଡ୍‌ରେ କାର୍ଯ୍ୟ କରୁଥିବା ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକଙ୍କୁ ଡ୍ୟୁଟି ଦିଆଯାଉ ନ ଥିବାରୁ ୨ ମାସ ହେଲା ସେମାନେ ଫାଟକ ସମ୍ମୁଖରେ ବସି ରହିଛନ୍ତି।

ସୁରକ୍ଷା ବ୍ୟବସ୍ଥା ଢିଲା

ସ୍ଥାୟୀ କର୍ମଚାରୀଙ୍କୁ ନାଲ୍‌କୋ କର୍ତ୍ତୃପକ୍ଷ ସିଧାସଳଖ ସୁରକ୍ଷା ସରଞ୍ଜାମ ଯୋଗାଇ ଦେଉଛନ୍ତି। ଠିକା ଶ୍ରମିକମାନଙ୍କୁ ଠିକା ସଂସ୍ଥା ପକ୍ଷରୁ ତାହା ଯୋଗାଣ ହେଉଛି। କିନ୍ତୁ ଅନେକ ସମୟରେ ଠିକା ସଂସ୍ଥା ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖାଯାଉଛି। ଫଳରେ କେତେଜଣ ଶ୍ରମିକ ନିମ୍ନମାନର ସରଞ୍ଜାମ ପିନ୍ଧି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।

କାର୍ଯ୍ୟକ୍ଷମ ହେଉନି କ୍ରେଚ୍‌

ଫ୍ୟାକ୍ଟ୍ରି ଆକ୍ଟ ପ୍ରୋଭିଜନ ୧୯୪୮ ଅନୁଯାୟୀ କାରଖାନାର ମହିଳା ଶ୍ରମିକଙ୍କ ଶିଶୁଙ୍କ ଲାଳନ ପାଳନ ପାଇଁ କାରଖାନା ପକ୍ଷରୁ ସାଧାରଣ ଶିଶୁ ପାଳନ ଗୃହ(କ୍ରେଚ୍‌) ନିର୍ମାଣ ବାଧ୍ୟତାମୂଳକ। ଏଠାରେ ଖେଳ ଉପକରଣ ସହ ନିୟୋଜିତ ଧାଈ ମହିଳା ଶ୍ରମିକଙ୍କ ପିଲାମାନଙ୍କ ଦେଖାଶୁଣା କରିଥାନ୍ତି। କିନ୍ତୁ ନାଲ୍‌କୋ କାରଖାନାରେ ମହିଳା ଶ୍ରମିକମାନଙ୍କ ଉନ୍ନତି ପାଇଁ ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ କାହାରି ଆନ୍ତରିକତା ନ ଥିବା ପରି ମନେହୁଏ। କାରଣ ୨୦୦୯-୨୦୧୦ରୁ ସିପିପି ଓ ସ୍ମେଲଟରରେ ଦୁଇଟି କ୍ରେଚ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ସେଥିରେ ଆରମ୍ଭରୁ ତାଲା ଝୁଲୁଥିବା ଦେଖାଯାଉଛି।

ଫାଙ୍କୁଛନ୍ତି ଠିକା ସଂସ୍ଥା

ପ୍ଲାଣ୍ଟରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ପାଉଣାରୁ ଭବିଷ୍ୟନିଧି ପାଣ୍ଠି ବାବଦ ଅର୍ଥ କଟାଯିବା ବ୍ୟବସ୍ଥା ରହିଛି। ଠିକା ସଂସ୍ଥା ଓ ଠିକା ଶ୍ରମିକମାନେ ଏଥିପାଇଁ ଟଙ୍କା ଜମା କରିବେ। ମାତ୍ର କେତେକ ଠିକା ସଂସ୍ଥା ଟଙ୍କା ଜମା କରୁ ନ ଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଶ୍ରମିକ ମହଲରେ ଅସନ୍ତୋଷ ଦେଖା ଦେବା ସହ ବହୁ ସମୟରେ ଧର୍ମଘଟ ମଧ୍ୟ କରାଯାଉଛି।

କମୁଛି ମ୍ୟାନ୍‌ ପାୱାର

ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ଧୀରେ ଧୀରେ ମ୍ୟାନ ପାୱାର କମୁଛି। ପ୍ରତ୍ୟେକ ମାସରେ କର୍ମଚାରୀ ଅବସର ନେଉଛନ୍ତି। ଫଳରେ ବହୁ ସମସ୍ୟା ଉପୁଜୁଛି। କିନ୍ତୁ ନୂତନ ନିଯୁକ୍ତି କ୍ଷେତ୍ରରେ ନାଲ୍‌କୋ କର୍ତ୍ତୃପକ୍ଷ ସ୍ଥାୟୀ ପ୍ରତିକାର କରିପାରୁ ନ ଥିବାରୁ ଠିକା ଶ୍ରମିକମାନଙ୍କ ଉପରେ କାର୍ଯ୍ୟ ବୋଝ ବଢ଼ୁଛି।

ଶ୍ରମନୀତି ପରିବର୍ତ୍ତନ ଏକ ଚକ୍ରାନ୍ତ

ନାଲ୍‌କୋ କଂଗ୍ରେସ ଶ୍ରମିକ ୟୁନିୟନ୍‌ କାର୍ଯ୍ୟକାରୀ ସଭାପତି ବିଭବ ଜେନା କୁହନ୍ତି, ସିପିପିରେ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା ଆଇନ ଚଳାଇଛନ୍ତି। କୌଣସି ଶ୍ରମିକ ସମାଜ ନ୍ୟାଯ୍ୟ ଦାବି ହାସଲ ପାଇଁ ସ୍ବର ଉତ୍ତୋଳନ କଲେ କାମରୁ ବାହାର କରି ଦିଆଯିବ ବୋଲି ଧମକ ଦିଆଯାଉଛି। ଠିକା ଶ୍ରମିକଙ୍କୁ ଛଟେଇ କରାଯାଉଥିବାରୁ ସେମାନେ ଆର୍ଥତ୍କ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନେପୁ ସାଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ କୁହନ୍ତି, କେନ୍ଦ୍ର ସରକାର ଶ୍ରମନୀତିରେ ପରିବର୍ତ୍ତନ ପାଇଁ ଯେଉଁ ଚକ୍ରାନ୍ତ କରୁଛନ୍ତି ତାହାଦ୍ୱାରା ଶ୍ରମିକଙ୍କ ମୌଳିକ ଅଧିକାର କ୍ଷୂଣ୍ଣ ହେବ। ୨୦୧୯ ବର୍ଷରେ ୬ ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ଅବସର ନେବେ। ତଥାପି ନୂତନ ନିଯୁକ୍ତି କ୍ଷେତ୍ରରେ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ଠିକା ମଜଦୁର ସଭା ସଭାପତି ବାବୁଲି ସେଠୀ କୁହନ୍ତି, ବହୁ ଠିକା ସଂସ୍ଥା ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ପିଏଫ୍‌ ଓ ଇଏସ୍‌ଆଇ ଜମା କରିବାରେ ଫାଙ୍କୁଛନ୍ତି। ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନଙ୍କୁ ଛଟେଇ ମଧ୍ୟ କରାଯାଉଛି।

କ’ଣ କୁହନ୍ତି ନାଲ୍‌କୋ ପ୍ରଶାସନିକ ଅଧିକାରୀ

ନାଲ୍‌କୋ ମାନବ ସମ୍ବଳ ମହାପ୍ରବନ୍ଧକ ଦାୟିତ୍ୱରେ ଥିବା ଏସ୍‌.ଏନ୍‌. ସାହୁ କହିଛନ୍ତି, କୌଣସି ଶ୍ରମିକଙ୍କୁ ଅବହେଳା କରାଯାଉ ନାହିଁ। ଅନ୍ୟ କମ୍ପାନୀ ଅପେକ୍ଷା ଏଠିକାର ଠିକା ଶ୍ରମିକମାନଙ୍କ ମଜୁରି ମଧ୍ୟ ଉଚିତ୍‌ ଭାବେ ଦିଆଯାଉଛି। ମହିଳା ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର କ୍ରେଚ୍‌ ନିର୍ମାଣ ହୋଇଛି। ହେଲେ ମହିଳା ଠିକା ଶ୍ରମିକମାନେ ସେଠାକୁ ଯିବା ପାଇଁ ଅମଙ୍ଗ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri