ଏ ଧରଣୀ ସୁଖ ମଣି, ବଇକୁଣ୍ଠ ନାହିଁ ଭଲ ଲାଗେ..

ଡ. ହୃଷୀକେଶ ମଲ୍ଲିକ

କବି କାଳିନ୍ଦୀଚରଣ ପାଣିଗ୍ରାହୀ ଥିଲେ ଓଡ଼ିଆ ‘ସବୁଜ ଗୋଷ୍ଠୀ’ର କବିଙ୍କ ମଧ୍ୟରେ ମଧ୍ୟମଣି। ସେ ଏକାଧାରରେ ଥିଲେ କବି, କଥାକାର ଓ ଯୁଗପ୍ରବର୍ତ୍ତକ ଔପନ୍ୟାସିକ। ସବୁଜ ପାଞ୍ଚଜଣଙ୍କ ମଧ୍ୟରେ ଯୁଗକୁ ଅତିକ୍ରମ କରି ଯୁଗାନ୍ତରରେ ତାଙ୍କ ପ୍ରବେଶର ପଥ ପ୍ରଶସ୍ତ କରିଦେଇଥିଲା ‘ମାଟିର ମଣିଷ’ ଉପନ୍ୟାସ। ଫକୀରମୋହନଙ୍କ ପରେ ଅନ୍ୟତମ ଶକ୍ତିଶାଳୀ ଉପନ୍ୟାସ ଭାବେ ସମାଲୋଚକମାନେ ଏହି ଉପନ୍ୟାସକୁ ଯେପରି ଗୁରୁତ୍ୱ ଦିଅନ୍ତି, ତା’ର ସମାନ୍ତରାଳ ଓଡ଼ିଆ ଉପନ୍ୟାସ ଜଗତରେ ବିରଳ। ପ୍ରଖ୍ୟାତ ସମାଲୋଚକ ଡ. ମାୟାଧର ମାନସିଂହ ଲେଖିଥିଲେ: ”Kalindi Charan Panigrahi’s novel ‘Matir Manisha (Man of the Soil) written।n the heyday of the group and many of his stories have been widely deservedly popular…“ (Contemporary।ndian Literature, edited by Dr. Nagendra: Published by Sahitya Akademi) ଓଡ଼ିଆ ସବୁଜ ସାହିତ୍ୟ ଯେତେବେଳେ ମଧ୍ୟାକାଶରେ ତେଜୋଦୀପ୍ତ, ତା’ରି ଜ୍ୟୋତିରୂପ ‘ମାଟିର ମଣିଷ’, ଯାହା କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅମୂଲ୍ୟ ରତ୍ନ ପରି ଆଜି ବି ସାଇତା।
୧୯୬୬ରେ ପ୍ରକାଶିତ ବିଶିଷ୍ଟ ବଙ୍ଗୀୟ ସମାଲୋଚକ ସୁଧାକର ଚଟ୍ଟୋପାଧ୍ୟାୟ ତାଙ୍କର ”ରବୀନ୍ଦ୍ରନାଥ ଓ ଭାରତୀୟ ସାହିତ୍ୟ“ (କୌତୂହଳର ବିଷୟ ଯେ ବହିଟି ବଙ୍ଗଭାଷାର ବିଶିଷ୍ଟ ଲେଖକ ‘ବନଫୁଲ’ ଓ ଓଡ଼ିଆ ଭାଷାର ମହାରଥୀପ୍ରତିମ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କୁ ମିଳିତ ଭାବେ ଉତ୍ସର୍ଗିତ)ରେ କାଳିନ୍ଦୀଚରଣଙ୍କ କବିତା ସମ୍ପର୍କରେ ମତ ଦେବାକୁ ଯାଇ କହିଛନ୍ତି: ”ଆଧୁନିକ ଓଡ଼ିଶାର ଲବ୍ଧପ୍ରତିଷ୍ଠ କଥା ସାହିତି୍ୟକ କାଳିନ୍ଦୀଚରଣ ପାଣିଗ୍ରାହୀ ଏକ କାଳେ କବିତା ରଚନା କରେଛିଲେନ୍‌, ଏବଂ କୋନଓ କୋନଓ ସମାଲୋଚକ ସେ-ସକଲ କବିତାର ବିଶେଷ କାବ୍ୟମୂଲ୍ୟ ସ୍ବୀକାର ନା କରଲେଓ ଆମାଦେର କାଛେ କୟେକଟି କବିତା ନାନା କାରଣେ ଉଲ୍ଲେଖଯୋଗ୍ୟ ବଲେ ମନେ ହଛେ।“ (ପୃ: ୬୮)। ଏହାର କାରଣ ସ୍ବରୂପ ସେ କହିଥିଲେ, ପ୍ରଥମତଃ କାଳିନ୍ଦୀଙ୍କ କବିତା ନିଛକ୍‌ ପଦ୍ୟ ନୁହେଁ, କବିତା। ଦ୍ୱିତୀୟତଃ ସବୁଜ ସାହିତି୍ୟକଙ୍କ ପ୍ରସଙ୍ଗରେ ସବୁଜ କବିତାର ସମ୍ପାଦକ କାଳିନ୍ଦୀଚରଣଙ୍କ ଆଲୋଚନାକୁ କଦାପି ବାଦ୍‌ ଦେଇହେବ ନାହିଁ। ତୃତୀୟତଃ ରବୀନ୍ଦ୍ରନାଥଙ୍କ ଭାବ-ଭାଷା ଓ ଛନ୍ଦର ଧାରାନୁସରଣର ପ୍ରୋଜ୍ଜ୍ୱଳ ଉଦାହରଣ ଥିଲେ କାଳିନ୍ଦୀ। ଏଇ ମତ ସହ କେବଳ ଗୋଟିଏ ଧାଡ଼ି ଯୋଗ କରିବାକୁ ଏଇ ଲେଖକ ଅପରିହାର୍ଯ୍ୟ ମଣେଯେ, କାଳିନ୍ଦୀଚରଣ କେବଳ ରବୀନ୍ଦ୍ର କାବ୍ୟଧାରାର ଉଜ୍ଜ୍ୱଳତମ ଅନୁଗାମୀ ନ ଥିଲେ, ଥିଲେ ଅବିଶ୍ୱସନୀୟ ଭାବେ ଅତିକ୍ରମୀ ବି।
ରବୀନ୍ଦ୍ରନାଥ ଲେଖିଛନ୍ତି: ”ଥାକୋ, ସ୍ବର୍ଗ, ହାସ୍ୟମୁଖେ କରୋ ସୁଧାପାନ,/ ଦେବଗଣ! ସ୍ବର୍ଗ ତୋମାଦେରି ସୁଖସ୍ଥାନ,/ ମୋରା ପରବାସୀ। ମର୍ତ୍ତ୍ୟଭୂମି ସ୍ବର୍ଗ ନହେ,/ ସେ ଯେ ମାତୃଭୂମି…“ କଥା ତାତ୍ତ୍ୱିକ ହେଲେ ବି କେତେ ଗଦ୍ୟ ଗଦ୍ୟ ନ ଲାଗେ ଏସବୁ ଉଚ୍ଚାରଣ, ଯଦିଓ ରବୀନ୍ଦ୍ରଙ୍କ ବିକଳ୍ପ ନାହିଁ ଭାରତୀୟ କବିତାରେ। ଏହି ପ୍ରେକ୍ଷାପଟ୍ଟରେ ଆସନ୍ତୁ ଶୁଣିବା ଆମ କାଳିନ୍ଦୀଚରଣଙ୍କୁ ତାଙ୍କ ‘ପୁରୀ ମନ୍ଦିର’ କବିତାରୁ: ”ବଇକୁଣ୍ଠ ନାହିଁ ଭଲ ଲାଗେ/ ଏ ମର୍ତ୍ତ୍ୟ ଭୁବନ/ ମୋ’ ସ୍ନେହ ସଦନ/ଏ ଧରଣୀ / ସୁଖ ମଣି। X X/ ଲଭିଅଛି ଯେ ସମ୍ପଦ ଏ ମର ଜୀବନେ/ ମିଳଇ ସେ କେବେ କେଉଁ ଅମର ଭୁବନେ?/ ଏ ଜୀବନେ ଲଭିଛି ଯେ ନିଧି/ ତୁଚ୍ଛ କରି ଦିଏ ସ୍ବର୍ଗ ସିଦ୍ଧି;/ ଭୋଗିବାକୁ ତାହା/ ବେଳ ନାହିଁ ଆହା!“
ରବୀନ୍ଦ୍ରନାଥଙ୍କ ‘ସ୍ବର୍ଗ ହତେ ବିଦାୟ’ କବିତାରେ ଉପଲବ୍ଧ ପୟାର ଛନ୍ଦର ଯଦିଓ ଏହା ସମ୍ପ୍ରସାରିତ ରୂପ, ତେବେ ଶବ୍ଦ ବିଧାନ ଓ ଧ୍ୱନି-ସଞ୍ଚାରରେ ଓଡ଼ିଆ ଭାଷାର ଯେଉଁ ସ୍ପନ୍ଦିତ ସାମର୍ଥ୍ୟ ନିହିତ କାଳିନ୍ଦୀଙ୍କର ଏ କବିତାରେ, ତା’ର ପୃଥକ୍‌ ତର୍ଜମା ପ୍ରୟୋଜନୀୟ କି? ‘ପୟାର ଛନ୍ଦ’ ହୁଏତ ଥିଲା ବଂଗାଗତ (ହିନ୍ଦୀରେ ଯାହା ‘ରବର ଛନ୍ଦ’ ବା ‘କେଞ୍ଚୁଆ ଛନ୍ଦ’), କିନ୍ତୁ କାଳିନ୍ଦୀ ସ୍ବଭାଷାର ସାମର୍ଥ୍ୟରେ ତାକୁ କରିଦେଲେ ‘ପ୍ରବହମାନ ପୟାର’। କବିତାରେ ବଡ଼ କଥା ଛନ୍ଦ ନୁହେଁ, ବଡ଼ କଥା ଅନୁସୃତ ସେଇ ଛନ୍ଦର ପ୍ରବହମାନତା। କାଳିନ୍ଦୀଙ୍କ କବିତାରେ ଓଡ଼ିଆ ଭାଷାଯେ ତାଙ୍କର କେତେ ସାଧ୍ୟ, ଏହାହିଁ ତା’ର ପ୍ରମାଣ।
କାଳିନ୍ଦୀଚରଣଙ୍କ କବିତାର ନିରପେକ୍ଷ ଅଧ୍ୟୟନରୁ ମନେହୁଏ ଯେ, କବିଙ୍କର କବିତା ବଙ୍ଗଳା କବିତାର ପ୍ରଭାବକୁ ଆତ୍ମସାତ୍‌ କରି ଓଡ଼ିଆ ଭାଷାର ଗରିମା ପ୍ରତିଷ୍ଠାରେ ନିଜକୁ ଯଥେଷ୍ଟ ସକ୍ଷମ ପ୍ରତିପାଦିତ କରିଛି। ଏପରିକି ପାଠ୍ୟପୁସ୍ତକ ରଚନାକାଳରେ କାଳିନ୍ଦୀ ଯେଉଁ କବିତା ସବୁ ଲେଖିଯାଇଛନ୍ତି, ଓଡ଼ିଆ ସାହିତ୍ୟର ଉଦୟରାଗ ସେଥିରେ ଏପରି ପ୍ରତିଭାତ ଯେ ବୟସ୍କମାନଙ୍କ ସ୍ମୃତିରୁ ବି ସେସବୁ ବିସ୍ମୃତ ହୋଇନାହିଁ। ଓଡ଼ିଆ କବିତାରେ ସରଳତା ଓ ସୌକୁମାର୍ଯ୍ୟର ପ୍ରତିଷ୍ଠା ଦିଗରେ କାଳିନ୍ଦୀଚରଣ କବିତା ରଚନାରେ ହାତ ଦେଲାଦିନୁଁ ଯେପରି ପ୍ରଚେଷ୍ଟା କରିଆସିଛନ୍ତି, ତାହା ସମକ୍ଷରେ ତାଙ୍କ ସାହିତ୍ୟର ସବୁଜ କାଳକୁ ନେଇ ବଙ୍ଗୀୟ ପ୍ରଭାବର ଯେଉଁ ମୋହର ମରାଯାଏ, ତାହା ଗ୍ରହଣୀୟ ନୁହେଁ। ଅପର, ପଡୋଶୀ ଭାଷାକୁ ନୂ୍ୟନ ପ୍ରତିପାଦିତ କରିବା ବଙ୍ଗୀୟ ସମାଲୋଚକଙ୍କର ଏକ ଯୋଜନାବଦ୍ଧ ଅଭ୍ୟାସ, ଯହିଁରୁ ସେମାନେ ସହଜରେ ମୁକୁଳିପାରନ୍ତି ନାହିଁ। କେବଳ ଓଡ଼ିଆ କବିତା ନୁହେଁ, ଅହମିୟା କବିତା ସମ୍ପର୍କରେ ବଙ୍ଗୀୟ ଧାରଣା ମଧ୍ୟ ନିଷ୍ପକ୍ଷ ନୁହେଁ।
ପ୍ରଭାବରେ ଥାଇ ବି ଅନେକ ସ୍ଥଳେ ଓଡ଼ିଆ ଓ ଅହମିୟା କବିତା ପ୍ରଭାବକୁ ଅତିକ୍ରମି ଯାଇଛନ୍ତି, ଯାହା ଅବାଞ୍ଛିତ ଭାବେ ଉପରମୁହଁା କୌଣସି ଭାଷାର ସ୍ବୀକୃତିକୁ ଅପେକ୍ଷା ରଖେନାହିଁ।
‘ନିରୁଦ୍ଦେଶ’ ଓ ‘ସୁଦୂର’ ପ୍ରତି ଆକର୍ଷଣ ସବୁଜ କବିତାର ଅନ୍ୟତମ ବୈଶିଷ୍ଟ୍ୟ ହେଲେ ବି କାଳିନ୍ଦୀଚରଣଙ୍କ କବିତା ଅନ୍ୟ ଭାଷାର ଚାପରେ ପେଷିହୋଇ କଦାପି ସ୍ବଭାଷାର ଗରିମାକୁ ଭୂଲୁଣ୍ଠିତ କରିନାହିଁ। ଗୋଟିଏ ଉଦାହରଣ ଦେଇ ତାଙ୍କର ପବିତ୍ର ଜନ୍ମଦିନରେ ତାଙ୍କୁ ଅଭିନନ୍ଦନ ଜଣାଇବା:
”ଅସ୍ତଗାମୀ ରବିସମ ନିବିଡ଼ ଏ ଅନ୍ଧାର ମୁଖରେ,
ଚାଲିଛି ମୁଁ ଗୋଧୂଳିର ଶୀର୍ଣକ୍ଳାନ୍ତ କ୍ଷୀଣ ମୟୂଖରେ।
ଶୀକର ପବନ ମୋର ଲାଗେ ଗଣ୍ଡେ ଲାଗେ ଭାଲ ଦେଶେ
ଚାଲିଛି ମୁଁ ଆଜି ନିରୁଦ୍ଦେଶେ।“ (ସନ୍ଧ୍ୟାଲୋକେ)
ଓଡ଼ିଆ କବିତାରେ ଆପଣା ତାକତରେ ଏ ବାଟଚଲା ବେଳେ ଲାଗେ କି କବି କାଳିନ୍ଦୀଚରଣ ଆଉ କାହା ହାତରେ ହାତରଖି ଚାଲିଛନ୍ତି? କାଳିନ୍ଦୀ ମାଟିର କବି, ଷୋଳଣା ମାତୃଭାଷାର କବି। ଖୋଲାମନର ଲେଖକ ହୋଇ ବି କଦାପି ପରବୋଲା ନୁହନ୍ତି।
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri