ପାକିସ୍ତାନ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି


ଭୁବନେଶ୍ୱର, ୭।୧୨(କ୍ରୀଡ଼ା ପ୍ରତିନିଧି)-୨୦୧୮ ହକି ବିଶ୍ୱକପ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଭାଗ ନେବ। ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ହେଁ ପାକିସ୍ତାନର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି ରହିଛି ବୋଲି ବୁଧବାର ସୂଚନା ଦେଇଛନ୍ତି ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ। ୨୦୧୪ ଚାମ୍ପିୟନ୍ସ ଟ୍ରଫି ସମୟରେ ଭାରତକୁ ହରାଇବାପରେ ପାକିସ୍ତାନ ଖେଳାଳିମାନେ ଜର୍ସି ଖୋଲି ନାଚିବା ସହ ଦର୍ଶକଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏଥିପାଇଁ ହକି ଇଣ୍ଡିଆ ପାକିସ୍ତାନ ହକି ବୋର୍ଡଠାରୁ ଲିଖିତଭାବେ କ୍ଷମା ଦାବି କରିଛି। ମାତ୍ର ପାକିସ୍ତାନ ବୋର୍ଡ ଏହାକୁ ଅସ୍ବିକାର କରି ଚାଲିିଛି। ସୀମାରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବାରୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ସମ୍ଭବ ହେଉନାହିଁ। ଯେଉଁଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ବିପୁଳ କ୍ଷତି ସହୁଛି। ୨୦୧୬ରେ ଲକ୍ଷ୍ନୌରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପ ପାଇଁ ପାକିସ୍ତାନ ଯୋଗ୍ୟତା ଅର୍ଜନ କରିଥିଲେ ହେଁ ଭାଗନେଇ ପାରି ନଥିଲା। ନିୟମ ଅନୁସାରେ ମାସେ ପୂର୍ବରୁ ପାକିସ୍ତାନ ଭିଜା ଆବେଦନ କରିଥିଲା। ମାତ୍ର ଭାରତ ସରକାର ଶେଷ ପର୍ଯ୍ୟନ୍ତ ଝୁଲାଇ ରଖି ଭିଜା ଦେଇ ନ ଥିଲେ। ହକି ବିଶ୍ୱକପ ପାଇଁ ପାକିସ୍ତାନକୁ ଭିଜା ମିଳିବ କି ନାହିଁ ତାହା ଆସନ୍ତା ୩ ମାସ ମଧ୍ୟରେ ଜଣା ପଡ଼ିବ ବୋଲି ନର୍ମାନ କହିଛନ୍ତି। ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଭାରତ ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୩୦ଦିନ ସମୟ ନେଇଛନ୍ତି। ଏହାପରେ ସମ୍ଭବତଃ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri