ଦ୍ୱିତୀୟ ଦିନରେ ୨ ଶତକ, ତାମିଲନାଡୁ ୫୩୦/୮


କଟକ ଅଫିସ,୧୧ା୧୧-ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ତାମିଲନାଡୁ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଦିବସରେ ୩ ଉଇକେଟ ହରାଇ ୨୯୨ରନ୍‌ କରିଥିବା ତାମିଲନାଡୁ ଦ୍ୱିତୀୟ ଦିବସରେ ୨୩୮ରନ୍‌ ଯୋଡ଼ିବା ସହ ୫ଟି ଉଇକେଟ ହରାଇଛି। ବିଜୟ ଶଙ୍କର ଓ ବାବା ଅପରାଜିତଙ୍କ ଶତକ ବଳରେ ଦଳ ୮ ଉଇକେଟ ବିନିମୟରେ ମୋଟ୍‌ ୫୩୦ରନ୍‌ କରି ଇନିଂସ୍‌ ଘୋଷଣା କରିଛି। ଜବାବରେ ଓଡ଼ିଶା ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରି କୌଣସି ଉଇକେଟ ନ ହରାଇ ୩୬ରନ୍‌ କରିଛି। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ବାବା ଇନ୍ଦ୍ରଜିତ ୪୧ରନ୍‌ ଓ ବିଜୟ ଶଙ୍କର ୮ରନ୍‌ରେ ଅପରାଜିତ ଥିଲେ। ଶୁକ୍ରବାର ଖେଳ ଆରମ୍ଭର ୩ୟ ଓଭରରେ ଇନ୍ଦ୍ରଜିତ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ। ଲେଗ୍‌ଷ୍ଟମ୍ପ ଉପରେ ପଡ଼ିଥିବା ଏକ ବଲ୍‌କୁ ଥାର୍ଡମ୍ୟାନ ଅଞ୍ଚଳକୁ ମାରିବାକୁ ଚେଷ୍ଟା କରୁଥିବା ବେଳେ ଇନ୍ଦ୍ରଜିତ ଉଇକେଟ କିପର ରାଜେଶ ଧୂପରଙ୍କ ହାତରେ ଧରାପଡ଼ିଥିଲେ। ସେ ୮୯ବଲ୍‌ରୁ ୪୬ରନ୍‌ କରିଛନ୍ତି। ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଗୋଟିଏ ଉଇକେଟ ହାସଲ କରିବା ପରେ ଓଡ଼ିଶା ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିବା ସହ ଅଳ୍ପ ରନ୍‌ରେ ତାମିଲନାଡୁକୁ ଅଟକାଇବ ବୋଲି ଆଶା କରାଯାଉଥିତ୍ଲା। ମାତ୍ର ପରେ କ୍ରିଜ୍‌କୁ ଆସିଥିବା ବାବା ଅପରାଜିତ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ସହ ମିଶି ତାମିଲନାଡୁ ପାଇଁ ଏକ ବିଶାଳ ସ୍କୋର କରିଥିଲେ। ବିଜୟ ଶଙ୍କର ୧୧୬ବଲ୍‌ରୁ ଓ ଅପରାଜିତ ୧୨୪ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ପରେ ବିଜୟ ଶଙ୍କର ବଡ ଶଟ୍‌ ଖେଳିବା ସହ ୧୮୧ ବଲ୍‌ରୁ ନିଜ ଶତକ ପୂରଣ କରିଥିଲେ। ଦଳୀୟ ସ୍କୋର ୪୭୫ ହୋଇଥିବା ବେଳେ ବିଜୟ ବିପ୍ଳବ ସାମନ୍ତରାୟଙ୍କ ବଲ୍‌ରେ ଏଲ୍‌ବିଡବଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେ ୧୮୩ ବଲରୁ ୧୦୦ରନ୍‌ କରିଥିଲେ। ଉଭୟଙ୍କ ମଧ୍ୟରେ ୧୭୭ରନ୍‌ର ଭାଗିଦାରୀ ହୋଇଥିଲା। କ୍ରିଜକୁ ଆସୁଆସୁ ଗତ ଆଇପିଏଲ ସିଜନ୍‌ର ପୁନେ ସୁପରଜ୍ୟାଣ୍ଟ ପକ୍ଷରୁ ଖେଳିଥିବା ୱାଶିଂଟନ ସୁନ୍ଦର ଓଡ଼ିଶା ବୋଲରଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ମାତ୍ର ବଡଶଟ୍‌ ଖେଳିବାକୁ ଯାଇ ସେ ୧୪ରନ୍‌ରେ ଗୋବିନ୍ଦ ପୋଦ୍ଦାରଙ୍କ ବଲ୍‌ରେ ଉଇକେଟ କିପର ଧୂପରଙ୍କୁ କ୍ୟାଚ୍‌ ଦେଇ ପଡ଼ିଆ ଛାଡ଼ିଥିଲେ। ଦଳୀୟ ସ୍କୋରରେ ୧ ରନ୍‌ ଯୋଡ଼ି ହେବାପରେ କ୍ରିଜକୁ ଆସିଥିବା ୟୋ ମହେଶ ଖାତା ଖୋଲିବା ପୂର୍ବରୁ ବିପ୍ଳବଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ। ଅପରାଜିତଙ୍କ ଶତକ ପରେ ତାମିଲନାଡୁ ଇନିଂସ୍‌ ଘୋଷଣା କରିବ ବୋଲି ଆଶା କରାଯାଉଥିଲା। ଅପରାଜିତ ୨୨୧ ବଲ ସମ୍ମୁଖୀନ ହୋଇ ନିଜ ଶତକ ପୂରଣ କରିଥିଲେ। ଦଳୀୟ ସ୍କୋର ୫୨୧ ବେଳେ ତାମିଲନାଡୁ ୮ମ ଉଇକେଟ ହରାଇଥିଲା। କେ.ବିଘ୍ନେଶଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ବୋଲ୍ଡ କରିବା ସହ ଓଡ଼ିଶା ପାଇଁ ଏହି ଇନିଂସ୍‌ରେ ସର୍ବାଧିକ ଉଇକେଟ ହାସଲକାରୀ ସାବ୍ୟସ୍ତ ହୋଇଥିଲେ। ବାବା ଅପରାଜିତ ୧୦୯ରନ୍‌ ଓ ରାହିଲ ସାହ ୪ରନ୍‌ରେ ଅପରାଜିତ ଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୨୫ ଓଭର ବୋଲିଂ କରି ୭୫ରନ୍‌ ବିନିମୟରେ ୩ଟି ଉଇକେଟ ନେଇଥିବା ବେଳେ ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ୨ଟି ଲେଖାଏ ଉଇକେଟ ମିଳିଥିଲା। ଆଲୋକ ସାହୁ, ଧୀରଜ ସିଂ ଓ ବସନ୍ତ ମହାନ୍ତିଙ୍କୁ କୌଣସି ଉଇକେଟ ମିଳି ନ ଥିବା ବେଳେ ଦଳର ନବାଗତ ବ୍ୟାଟ୍ସମ୍ୟାନ ଶାନ୍ତନୁ ମିଶ୍ର ୨ ଓଭର ଉପଯୋଗୀ ବୋଲିଂ କରିଥିଲେ। ତାମିଲନାଡୁ ଇନିଂସ୍‌ ୫୩୦ ରନ୍‌ରେ ଶେଷ ହେବା ପରେ ଓଡ଼ିଶା ପ୍ରଥମ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଥିଲା। ୧୩ ଓଭର ହୋଇଥିବା ଖେଳରେ ଓଡ଼ିଶା ୩୬ରନ୍‌ ସଂଗ୍ରହ କରିଛି। ଓପନର ସନ୍ଦୀପ ପଟ୍ଟନାୟକ ୧୫ ଓ ନଟରାଜ ବେହେରା ୧୭ରନ୍‌ରେ ଅପରାଜିତ ଅଛନ୍ତି। ଓଡ଼ିଶା ଦଳ କୋଚ୍‌ ଶିବସୁନ୍ଦର ଦାସ କହିଛନ୍ତି, ପିଚ୍‌ରେ ବୋଲରଙ୍କୁ କିଛି ଫାଇଦା ମିଳିବା ଭଳି ଅନୁଭବ ହୋଇନି। ଓଡ଼ିଶା ପ୍ରଥମ ଇନିଂସ୍‌ ମଧ୍ୟ ଭଲଭାବେ ଆରମ୍ଭ କରିଛି। ୩ୟ ଦିବସରେ ଅଧିକରୁ ଅଧିକ ସମୟ ବ୍ୟାଟ୍ସମ୍ୟାନ କ୍ରିଜରେ ବିତାଇବା ସହ ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରାଯିବ ବୋଲି ଦାସ କହିଛନ୍ତି। ବସନ୍ତଙ୍କୁ କମେଣ୍ଟ ତାମିଲନାଡୁ ବ୍ୟାଟିଂ ଚାଲିଥିବା ବେଳେ ଓଡ଼ିଶା ପେସ୍‌ ବୋଲର ବସନ୍ତ ମହାନ୍ତି ଥାର୍ଡମ୍ୟାନ ଅଞ୍ଚଳରେ ଫିଲ୍ଡିଂ କରୁଥିଲେ। ମାତ୍ର ହଠାତ୍‌ ବସନ୍ତ ପଡ଼ିଆ ବାହାରକୁ ଯାଇ କିଛି ପିଲାଙ୍କୁ ତାଗିଦ୍‌ କରୁଥିବା ଦେଖିବାକୁ ମିଳିଥିଲା। ସେଠାରେ ଉକ୍ତ କଲେଜର କିଛି ଛାତ୍ର ବସିବା ସହ ବସନ୍ତଙ୍କୁ କମେଣ୍ଟ ମାରୁ୍‌ଥିଲେ ବୋଲି ଜଣାପଡ଼ିଛି। ବସନ୍ତ ତାଗିଦ୍‌ କରିବା ପରେ ସେମାନେ ଚୁପ୍‌ ନ ହେବାରୁ ବାଧ୍ୟହୋଇ ପଡ଼ିଆ ବାହାରକୁ ଯାଇଥିଲେ। କିଛି ସମୟ ପାଇଁ ଖେଳ ବନ୍ଦ ରହିଥିଲା। ପରେ ପୋଲିସ ଉକ୍ତ ଛାତ୍ରଙ୍କ ମଧ୍ୟରୁ ଜଣଙ୍କୁ ଆଣି ଅଟକ ରଖି ଛାଡ଼ିଦେଇଥିବା ଜଣାପଡ଼ିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri