ନକ୍‌ଆଉଟରେ ଫ୍ରାନ୍ସ, ଇଂଲଣ୍ଡ


କଲିକତା, ୧୧।୧୦(ପି.ଟି.)- କ୍ରମାଗତ ଦ୍ୱିତୀୟ ବିଜୟ ସହ ଫ୍ରାନ୍ସ ଓ ଇଂଲଣ୍ଡ ଚଳିତ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛନ୍ତି। ଗ୍ରୁପ‘ଇ’ ମ୍ୟାଚରେ ଫ୍ରାନ୍ସ ୨-୧ ଗୋଲରେ ଜାପାନକୁ ହରାଇଥିବାବେଳେ ଗ୍ରୁପ‘ଏଫ’ରେ ଇଂଲଣ୍ଡ ୩-୨ ଗୋଲରେ ମେକ୍ସିକୋକୁ ପରାସ୍ତ କରିଛି। ଗୁଆହାଟୀରେ ଅନୁଷ୍ଠିତ ମ୍ୟାଚରେ ଆର୍ସେନଲର ଟାର୍ଗେଟରେ ଥିବା ଅମିନ ଗୁଇରିଙ୍କ ଡବଲ ଗୋଲ ଫ୍ରାନ୍ସକୁ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚାଇଛି। ଗୁଇରି ମ୍ୟାଚର ୧୩ତମ ମିନିଟରେ ଗୋଟିଏ ଗୋଲ ଦେଇ ଫ୍ରାନ୍ସକୁ ଅଗ୍ରଣୀ କରାଇଥିଲେ। ଜାପାନ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ପ୍ରଥମାର୍ଦ୍ଧରେ ଗୋଲଟି ପରିଶୋଧ କରିପାରି ନ ଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ କଡ଼ା ଟକ୍କର ହୋଇଥିଲା। ତେବେ ୭୧ତମ ମିନିଟରେ ଗୁଇରି ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇ ଫ୍ରାନ୍ସ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ୭୩ତମ ମିନିଟରେ ତାଇସେଇ ମିୟାଶିରୋ ଜାପାନ ପକ୍ଷରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଏହାପରି ଉଭୟ ଦଳର ଖେଳାଳି ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଥିଲେ ହେଁ କେହି ଗୋଲ ଦେଇପାରି ନ ଥିଲେ। ଫଳରେ ପୂର୍ବତନ ଚାମ୍ପିୟନ ଫ୍ରାନ୍ସ ବିନା ଦ୍ୱିଧାରେ ନକ୍‌ଆଉଟରେ ପ୍ରବେଶ କରି ଯାଇଥିଲା। ୮ ତାରିଖରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଫ୍ରାନ୍ସ ୭-୧ ଗୋଲରେ ନ୍ୟୁ କାଲେଡୋନିଆକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। ପରାଜିତ ହୋଇଥିଲେ ହେଁ ଜାପାନର ଆଶା ଶେଷ ହୋଇ ଯାଇନାହିଁ। ଗ୍ରୁପ‘ଇ’ରେ ଏହାର ପ୍ରଥମ ମ୍ୟାଚରେ ଜାପାନ ୬-୧ ଗୋଲରେ ହଣ୍ଡୁରାସକୁ ପରାସ୍ତ କରିଥିଲା। କଲିକତାରେ ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଦୁଇଥର ଚାମ୍ପିୟନ ମେକ୍ସିକୋକୁ ହରାଇବାରେ ସକ୍ଷମ ହୋଇଛି। ସଲ୍ଟଲେକ୍‌ ଷ୍ଟାଡିୟମରେ ୪୦,୬୨୦ ଦର୍ଶକଙ୍କ ସମ୍ମୁଖରେ ଇଂଲଣ୍ଡ ପ୍ରଥମ ଏକ ଘଣ୍ଟା ପ୍ରଭାବୀ ରହିଥିଲା। ମାତ୍ର ଦ୍ୱିତୀୟାର୍ଦ୍ଧରେ ମେକ୍ସିକୋ ଲଢ଼ୁଆ ପ୍ରଦର୍ଶନ କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମ ୩୦ ମିନିଟରେ ଅନେକ ସୁଯୋଗ ହାତଛଡ଼ା ହେବାପରେ ୩୯ତମ ମିନିଟରେ ଲିଭରପୁଲ ୟଙ୍ଗଷ୍ଟର ରିଆନ ବ୍ରିଷ୍ଟର ପ୍ରଥମ ଗୋଲଟି ଦେଇ ଇଂଲଣ୍ଡକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭର ୪ର୍ଥ ମିନିଟରେ ଫିଲିପ ଫୋଡେନ ଦଳ ପକ୍ଷରୁ ଦ୍ୱିତୀୟ ଗୋଲଟି ଦେଇଥିଲେ। ଯୁବ ଦଳର ତାରକା ଖେଳାଳି ଜାଡନ ସାଞ୍ଚୋ ୫୭ତମ ମିନିଟରେ ଏକ ପେନାଲ୍ଟି ହାସଲ କରିଥିଲେ ଏବଂ ତାହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ଇଂଲଣ୍ଡ ୩-୦ରେ ଅଗ୍ରଣୀ ହାସଲ କରିଥିଲେ ହେଁ ସହଜରେ ହାର ମାନି ନ ଥିଲା ମେକ୍ସିକୋ। ଅବଶିଷ୍ଟ ସମୟର ଖେଳକୁ ଇଂଲଣ୍ଡ ନିଜ ନିୟନ୍ତ୍ରଣରେ ରଖିବା ଉଦ୍ୟମରେ ଥିବାବେଳେ ମେକ୍ସିକୋର ଡିଏଗୋ ଲାଇନେଜ୍‌ ୬୫ ଓ ୭୨ତମ ମିନିଟରେ ୨ଟି ଗୋଲ ଦେଇ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ଏହା ପରେ ଶତଚେଷ୍ଟା ସତ୍ତ୍ୱେ ଦଳ ପକ୍ଷରୁ ଆଉ ଗୋଲ ହୋଇ ନ ପାରିବାରୁ ଇଂଲଣ୍ଡ ବିଜୟୀ ହୋଇଥିଲା। ୭ ଥର କନ୍‌କାକାଫ୍‌ ଚାମ୍ପିୟନ ମେକ୍ସିକୋ ଏହାର ପ୍ରଥମ ମ୍ୟାଚକୁ ଇରାକ ସହିତ ୧-୧ ଗୋଲରେ ଡ୍ର ରଖିଥିଲା। ମେକ୍ସିକୋ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଚିଲିକୁ ଭେଟିବ। ହଣ୍ଡୁରାସ, ଇରାକ ବିଜୟୀ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପର ବୁଧବାର ଅନ୍ୟ ୨ଟି ମ୍ୟାଚରେ ହଣ୍ଡୁରାସ ୫-୦ ଗୋଲରେ ନ୍ୟୁ କାଲେଡୋନିଆକୁ ଏବଂ ଇରାକ ୩-୦ ଗୋଲରେ ଚିଲିକୁ ପରାସ୍ତ କରିଛି। ଗୁଆହାଟିରେ ଅନୁଷ୍ଠିତ ମ୍ୟାଚରେ ହଣ୍ଡୁରାସ ପକ୍ଷରୁ କାର୍ଲୋସ ମେଜିଆ ୨୫ ଓ ୪୨ ଏବଂ ପ୍ୟାଟ୍ରିକ ପାଲାସିଅସ ୫୧ ଓ ୮୮ତମ ମିନିଟରେ ୨ଟି ଲେଖାଏ ଏବଂ ଜୋଶୁଆ କାନାଲେସ ୨୭ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ସେହିପରି କଲିକତାରେ ଅନୁଷ୍ଠିତ ମ୍ୟାଚରେ ଇରାକ ପକ୍ଷରୁ ମହମ୍ମଦ ଦାଉଦ ୬ଷ୍ଠ ଓ ୬୮ତମ ମିନିଟରେ ୨ଟି ଗୋଲ ଦେଇଥିବାବେଳେ ଚିଲିର ଡିଏଗୋ ଭାଲନ୍ସିଆ ୮୧ତମ ମିନିଟରେ ଗୋଟିଏ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri