କ୍ଷମତା ବିଷ ପିଇବାକୁ ପ୍ରସ୍ତୁତ ରାହୁଲ


ନୂଆଦିଲ୍ଲୀ,୫।୧୨(ପି.ଟି.)କ୍ଷମତା ବିଷ ସଦୃଶ। ୨୦୧୩ ଜାନୁୟାରୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଅ ରାହୁଲ ଗାନ୍ଧୀଙ୍କୁ ଏହା କହିଥିଲେ। ଏହା ପରେ କଂଗ୍ରେସ ଉପାଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କୁ ଚୟନ କରାଯାଇଥିଲା। ଜୟପୁରରେ ଏକ ସଭାରେ ଉଦ୍‌ବୋଧନ ଦେଇ ମା’ଙ୍କ କଥା କହି ଭାବବିହ୍ବଳ ହୋଇଉଠିଥିଲେ ରାହୁଲ। ଏବେ ସେ ସେହି କ୍ଷମତା ରୂପୀ ବିଷକୁ ପିଇବାକୁ ପ୍ରସ୍ତୁତ। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅନ୍ୟ କେହି ପ୍ରତିଦ୍ୱନ୍ଦ୍ୱୀ ନ ଥିବାରୁ ଆସନ୍ତା ସପ୍ତାହରେ ସେ ଦଳର ମଙ୍ଗ ଧରି ମା’ ସୋନିଆଙ୍କ ପଦାଙ୍କ ଅନୁସରଣ କରିବେ। ଅପ୍ରତ୍ୟାଶିତ ନ ହେଲେ ବି ଏହି ବିଷୟ ଏବେ ଜାତୀୟସ୍ତରର ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। କିଏ କହେ ତାଙ୍କୁ ‘ଶେହଜାଦା’ ଆଉ କିଏ ‘ପପ୍ପୁ’ ବୋଲି ସମ୍ବୋଧନ କରନ୍ତି। ଜେଜେ ମା’ ଏବଂ ବାପାଙ୍କ ହତ୍ୟା ପରେ ସେହି ଦୁଃଖକୁ ମର୍ମେ ମର୍ମେ ଅନୁଭବ କରିଥିବା ରାହୁଲ ପ୍ରଥମେ କଂଗ୍ରେସର ନେତୃତ୍ୱ ନେବାକୁ କୁଣ୍ଠିତ ହୋଇଥିଲେ। ତେଣୁ ଗାନ୍ଧୀ ପରିବାରର ଦାୟାଦ ରାହୁଲଙ୍କୁ କିଏ କେତେ ନାମ ଦେଇଛନ୍ତି। ଜେଜେ ମା’ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚିତା ଜଳିବାବେଳେ ବାପା ରାଜୀବ ଗାନ୍ଧୀଙ୍କୁ ଜାବୁଡ଼ି ଧରିଥିବା ସେହି କୁନି ବାଳକ ଏବେ ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ବୟସ ବଢ଼ିବା ସହ ରାଜନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସେ ଧୀରେ ଧୀରେ ପରିପକ୍ୱ ହେଉଛନ୍ତି। ଏବେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରିବାକୁ ଯାଉଛନ୍ତି। ଏନେଇ ଚିତ୍ର ସ୍ପଷ୍ଟ ହୋଇଯିବା ପରେ ତାଙ୍କ ଉପରେ ସମସ୍ତଙ୍କ ଧ୍ୟାନ କୈନ୍ଦ୍ରିତ ହୋଇଛି। ଏହି ଦାୟିତ୍ୱ ନେବାରେ ରାହୁଲ ହେବେ ଗାନ୍ଧୀ-ନେହେରୁ ‘ବଂଶ’ର ଷଷ୍ଠ ସଦସ୍ୟ। ମୋତିଲାଲ ନେହେରୁଙ୍କଠାରୁ ଏହି ଧାରା ଆରମ୍ଭ ହୋଇଥିଲା। ରାହୁଲ ସହଜରେ ପଦୋନ୍ନତି ପାଇ କଂଗ୍ରେସ ଅଧ୍ୟକ୍ଷ ହେବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ। କାରଣ ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କଠାରୁ ଅନ୍ୟ ଜଣେ କ୍ଷମତା ଭାର ଗ୍ରହଣ କରନ୍ତୁ ବୋଲି ଦଳୀୟ ନେତାଙ୍କ ଚିନ୍ତାଧାରା ରହିଆସିଛି। ରାଜନୀତିକୁ ଆସିବାକୁ ଇଚ୍ଛା କରନ୍ତୁ କିମ୍ବା ନ କରନ୍ତୁ, କିନ୍ତୁ ଏହା ରାହୁଲଙ୍କ ରକ୍ତରେ ନିହିତ ହୋଇ ରହିଛି। ଘରେ ଶିକ୍ଷା ଗ୍ରହଣ ପରେ ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ ଷ୍ଟିଫେନ୍ସ କଲେଜ, ପରେ ଫ୍ଲୋରିଡାର ହାଭାର୍ଡ ଓ ରଲିନ୍ସ କଲେଜ ଏବଂ କ୍ୟାମ୍ବ୍ରିଜ୍‌ସ୍ଥିତ ଟ୍ରିନିଟି କଲେଜରେ ଶିକ୍ଷା ସେ ଗ୍ରହଣ କରିଛନ୍ତି। ଏସବୁ ସତ୍ତ୍ୱେ ତାଙ୍କ ଚୂଡ଼ାନ୍ତ ଲକ୍ଷ୍ୟ କ’ଣ ହେବ, ତାହା ସମସ୍ତଙ୍କୁ ଜଣାଥିଲା। ଲଣ୍ଡନର ଏକ କନ୍‌ସଲ୍ଟିଂ ଗ୍ରୁପ୍‌ ମନିଟର ଗ୍ରୁପ୍‌ରେ ତିନିବର୍ଷ କାର୍ଯ୍ୟ କରିଥିଲେ ରାହୁଲ। ଏହାପରେ ସେ ଭାରତ ଫେରିଆସିଲେ ଏବଂ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଗଲା। କିନ୍ତୁ ପ୍ରଥମେ ପ୍ରଥମେ ସେ ଖାମ୍‌ଖିଆଲ ଭଳି କାମ କଲେ। ତେଣୁ ତାଙ୍କୁ ଦଳ ଏବଂ ଦଳ ବାହାରେ ଅନେକେ ନେତା ଭାବେ ଗ୍ରହଣ କରିପାରିଲେ ନାହିଁ। ୨୦୦୪ ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ଅମେଠି ଆସନରେ ଜିତି ରାହୁଲ ପାର୍ଲାମେଣ୍ଟ ସଦସ୍ୟ (ଏମ୍‌ପି) ବନିଗଲେ। ୨୦୦୭ରେ ସେ ଭାରତୀୟ ଯୁବ କଂଗ୍ରେସର ଜାତୀୟ ସଭାପତି ହୋଇଥିଲେ। ରାଜନେତା ଭାବେ ରାହୁଲ କେତେବେଳେ କୌଣସି ପ୍ରସଙ୍ଗକୁ ନେଇ ସାମ୍ନାକୁ ଆସନ୍ତି, ତ ଆଉ କେବେ ଚିତ୍ର ବାହାରେ ରହନ୍ତି। ଅଚାନକ ଲୋକଲୋଚନରୁ ଅନେକ ଦିନ ମଧ୍ୟ ଦୂରେଇ ରହିଛନ୍ତି। ରାହୁଲ ବିଦର୍ଭର କୃଷି ସଙ୍କଟ ପ୍ରସଙ୍ଗକୁ ନେଇ ସ୍ବର ଉଠାଇଛନ୍ତି, ଉତ୍ତରପ୍ରଦେଶର ଜଣେ ଦଳିତଙ୍କ ଘରେ ରାତି ବିତାଇଛନ୍ତି। ତାଙ୍କ ସହ ଥିଲେ ତତ୍କାଳୀନ ବ୍ରିଟିଶ୍‌ ବୈଦେଶିକ ସଚିବ ଡେଭିଡ୍‌ ମିଲ୍ଲିବଣ୍ଡ। ତେବେ ସକ୍ରିୟ ରାଜନୀତି ପ୍ରତି ଅନାଗ୍ରହ, ଠିକ୍‌ ସମୟରେ ଆଗକୁ ନ ଆସିବା ଏବଂ ହଠାତ୍‌ ମଇଦାନରୁ ଗାଏବ ହୋଇଯିବା ଯୋଗୁ ମଧ୍ୟ ସେ ନିଜ ପ୍ରତିଛବି ଖରାପ କରିଥିଲେ। ୨୦୧୫ରେ ରାହୁଲ ୫୬ ଦିନ ପାଇଁ କୁଆଡ଼େ ଗାଏବ ହୋଇଗଲେ। ଜୁନ୍‌ ମାସ ଜନ୍ମଦିନରେ ଏବଂ ନୂଆବର୍ଷ ସମୟରେ ମଧ୍ୟ ରାହୁଲଙ୍କ ଦେଖା ମିଳିଲା ନାହିଁ। ପରେ ଜାଣିବାକୁ ମିଳେ ସେ ବିଦେଶ ଗସ୍ତ କରିଥିଲେ। ଭାରତ ବାହାରକୁ ରାହୁଲ ଅୟସ କରିବାକୁ ଯାଉଛନ୍ତି ବୋଲି କହି ବିରୋଧୀ ଦଳଗୁଡ଼ିକ ତାଙ୍କୁ ସମାଲୋଚନା କରିଥିଲେ। ୧୯୭୦ ଜୁନ୍‌ ୧୯ରେ ଜନ୍ମିତ ରାହୁଲ ଦଳର ମଙ୍ଗ ଧରୁ ଧରୁ ଏକ ବଡ଼ ପରୀକ୍ଷା ଦେବେ। ତାହା ହେଉଛି ଦୁଇଟି ପର୍ଯ୍ୟାୟରେ ଡିସେମ୍ବର ୯ ଏବଂ ୧୪ରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ। ୧୮ ତାରିଖରେ ଗୁଜରାଟ ଏବଂ ହିମାଚଳପ୍ରଦେଶର ଭୋଟ ଫଳାଫଳ ଘୋଷଣା ହେବ। ତେବେ ଗୁଜରାଟରେ ଯଦି କଂଗ୍ରେସର ବିଜୟ ହୁଏ, ତା’ହେଲେ ରାହୁଲଙ୍କ ନେତୃତ୍ୱ ଦକ୍ଷତା ବୃଦ୍ଧି ହୋଇଛି ବୋଲି କୁହାଯିବ। ଦଳର ଶକ୍ତି ମଧ୍ୟ ବଢ଼ିବ। ୨୦୧୩ରେ ଯେ କଂଗ୍ରେସ ଉପାଧ୍ୟକ୍ଷ ହେବାଠାରୁ ବିଭିନ୍ନ ରାଜ୍ୟର ନିର୍ବାଚନରେ ଦଳକୁ ନିରାଶ ହେବାକୁ ପଡ଼ିଛି। ଏବେ କେବଳ ପଞ୍ଜାବ, ପଣ୍ଡିଚେରୀ, ମେଘାଳୟ, କର୍ନାଟକ ଏବଂ ହିମାଚଳପ୍ରଦେଶରେ କଂଗ୍ରେସ ଶାସନ ଚାଲିଛି। ତଥାପି ରାହୁଲଙ୍କ ଆତ୍ମବିଶ୍ୱାସ କମିନାହିଁ। ଏବେ ସେ କଟାକ୍ଷ ଛଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଛନ୍ତି, ଲୋକଙ୍କ ସହ ସେଲ୍‌ଫି ନେଉଛନ୍ତି । ଟୁଇଟରରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ୪.୭୧ ନିୟୁତ ଛୁଇଁଲାଣି। ସୋମବାର କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ପରେ ରାହୁଲଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ରାହୁଲ କଂଗ୍ରେସର ଡାର୍ଲିଂ (ଅତିପ୍ରିୟ)। ସେହିପରି ଭବିଷ୍ୟତରେ ରାହୁଲ ଜଣେ ଭଲ ପ୍ରଧାନମନ୍ତ୍ରୀ ହୋଇପାରିବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ କହିଛନ୍ତି। ଏବେ ରାହୁଲଙ୍କୁ ନିଜ ନେତୃତ୍ୱ ଦକ୍ଷତା ପ୍ରମାଣ କରିବାର ସମୟ ଉପନୀତ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri