ଉଡ଼ନ୍ତା ବିମାନରେ ଭରାଗଲା ଇନ୍ଧନ


ନୂଆଦିଲ୍ଲୀ,୩୦।୧୧: ଭାରତୀୟ ବାୟୁସେନା (ଆଇଏଏଫ୍‌) ଗୁରୁବାର ଏକ ବଡ଼ ସଫଳତା ଅର୍ଜନ କରିଛି। ଏୟାରବର୍ନ ଅର୍ଲି ଓ୍ବାନିର୍ଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍‌ (ଏଇଡବ୍ଲ୍ୟୁ ଆଣ୍ଡ ସି) ପାଇଁ ଉଦ୍ଦିଷ୍ଟ ବାୟୁସେନାର ସ୍ବତନ୍ତ୍ର ଏମ୍ବ୍ରୟର୍‌ ପରିବହନକାରୀ ବିମାନରେ ଉଡ଼ନ୍ତା ଅବସ୍ଥାରେ ଇନ୍ଧନ ଭର୍ତ୍ତି କରାଯାଇଛି। ଏୟାର ଟୁ ଏୟାର (ଏଏଆର୍‌) ଅର୍ଥାତ୍‌ ଆକାଶରେ ଉଡୁଥିବା ସମୟରେ ହିଁ ଅନ୍ୟ ଏକ ବିମାନ ସାହାଯ୍ୟରେ ଏମ୍ବ୍ରୟର ବିମାନରେ ଇନ୍ଧନ ଭରାଯାଇଛି। ପରୀକ୍ଷାମୂଳକ ଭାବେ ସଫଳତାର ସହ ଇନ୍ଧନ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ବିମାନ ଉଡ଼ାଣ ଚାଲିଥିଲାବେଳେ ସତର୍କତାର ସହ ଏହି କାର୍ଯ୍ୟ ସମ୍ପନ୍ନ ପାଇଁ ସ୍ବତନ୍ତ୍ର ଦକ୍ଷତାସମ୍ପନ୍ନ ପାଇଲଟଙ୍କୁ ନିୟୋଜିତ କରାଯିବ। କାରଣ ଇନ୍ଧନ ଭରିବାବେଳେ ଉଭୟ ବିମାନକୁ ନିର୍ଦ୍ଦିଷ୍ଟ ବ୍ୟବଧାନ ମଧ୍ୟରେ ଉଡ଼ାଣ କରିବାକୁ ପଡ଼ିବ। ମଝି ଆକାଶରେ ଇନ୍ଧନ ସରି ଆସିଲେ ଟ୍ୟାଙ୍କରରେ ପୁଣି ଇନ୍ଧନ ଭରିବାକୁ ୧୦ ମିନିଟ୍‌ ସମୟ ଲାଗିବ ଏବଂ ଏହାପରେ ବିମାନଟି ଆଉ ଚାରିଘଣ୍ଟା ଉଡ଼ାଣ କରିପାରିବ। ଏହି ପ୍ରକ୍ରିୟାକୁ କୁହାଯାଉଛି ‘ପ୍ରୋବ୍‌ ଆଣ୍ଡ ଡ୍ରୋଗ୍‌’। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏମ୍ବ୍ରୟର ବିମାନରେ ପ୍ରଥମଥର ପାଇଁ ଏଭଳି ଇନ୍ଧନ ଭରାଯିବା ପରେ ବାୟୁସେନାର ଶକ୍ତି ବଢ଼ିଯାଇଛି। ଏଣିକି ଜରୁରୀ ପରିସ୍ଥିତିରେ ଆଉ ବିମାନକୁ ଭୂପୃଷ୍ଠରେ ଅବତରଣ ନ କରାଇ ଆକାଶରେ ହିଁ ଇନ୍ଧନ ଭର୍ତ୍ତି କରିହେବ। ଉଚିତ୍‌ ସମୟରେ ଶତ୍ରୁକୁ କଡ଼ା ଯବାବ ଦେବାରେ ବାୟୁସେନା ପାଇଁ ଏହା ବେଶ ସହାୟକ ହେବ। ଚଳିତବର୍ଷ ଫେବୃୟାରୀରେ ବାଙ୍ଗାଲୋରର ୟେଲାହଙ୍କା ବାୟୁସେନା ଘାଟିରେ ଅନୁଷ୍ଠିତ ଏରୋ ଇଣ୍ଡିଆ ଶୋ’ବେଳେ ‘ଏଇଡବ୍ଲ୍ୟୁ ଆଣ୍ଡ ସି’ ଶ୍ରେଣୀର ଏହି ପ୍ରଥମ ସ୍ବତନ୍ତ୍ର ବିମାନ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା। ଯୁଦ୍ଧବେଳେ ତୁରନ୍ତ ରଣକୌଶଳ ପରିବର୍ତ୍ତନ ପାଇଁ ଏୟାରବର୍ନ ସର୍ଭିଲାନ୍ସ ସିଷ୍ଟମ ଅନେକ ସହାୟକ ହେବ। ଶତ୍ରୁପକ୍ଷକୁ ସାମ୍ନା କରିବାବେଳେ ସତର୍କ ହେବା ଲାଗି ଏଥିରେ ରହିଛି ସ୍ବତନ୍ତ୍ର ବ୍ୟବସ୍ଥା। ବିମାନରେ ଲାଗିଥିବା ସେନ୍ସର ଜରିଆରେ ସୂଚନା ସଂଗ୍ରହ ଏବଂ ଆକାଶର ସ୍ଥିତି ସମ୍ପର୍କିତ ଫଟୋ ଉତ୍ତୋଳନ ଲାଗି ଏକ ସଫ୍ଟଓ୍ବେର ବ୍ୟବହାର ହୋଇଛି। ଖାଲି ସେତିକି ନୁହେଁ ବିମାନ ଉଡ଼ାଣ ଚାଲିଥିଲାବେଳେ ଭିତରୁ ଥାଇ ନେଟଓ୍ବର୍କ ସିଷ୍ଟମ୍‌ ମାଧ୍ୟମରେ ଯୁଦ୍ଧ ପରିଚାଳନା କରିହେବ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (ଡିଆର୍‌ଡିଓ) ଏବଂ ବାୟୁସେନାର ମିଳିତ ଉଦ୍ୟମରେ ‘ଏଇଡବ୍ଲ୍ୟୁ ଆଣ୍ଡ ସି’ ବିକଶିତ ହୋଇଛି। ସବୁ ପ୍ରକାର ପାଗରେ ଏହା କାର୍ଯ୍ୟକ୍ଷମ ହୋଇପାରିବ ବୋଲି ପରୀକ୍ଷାମୂଳକ ଉଡ଼ାଣରୁ ଜଣାପଡ଼ିଛି। ସବୁ ପ୍ରକାର ପରୀକ୍ଷାନିରୀକ୍ଷା ପରେ ଏହି ଏମ୍ବ୍ରୟର ବିମାନ ବାୟୁସେନା ଦ୍ୱାରା ଗ୍ରହଣ ହୋଇଛି। ଏହି ଶକ୍ତିବୃଦ୍ଧିରେ ବିଶ୍ୱର ଅଳ୍ପ କେତେକ ରାଷ୍ଟ୍ରର ବାୟୁସେନା ମଧ୍ୟରେ ଭାରତୀୟ ବାୟୁସେନା ଅନ୍ୟତମ ଭାବେ ଆତ୍ମପ୍ରକାଶ କରିଛି। ତେଣୁ ଭାରତ ପାଇଁ ଏହା ଏକ ଗୌରବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri