‘କେବଳ ପ୍ରଧାନ ବିଚାରପତି କୋର୍ଟର ମାଷ୍ଟର’


ନୂଆଦିଲ୍ଲୀ,୧୦।୧୧(ଆଇଏଏନ୍‌ଏସ୍‌): ଜଣେ ପୂର୍ବତନ ହାଇକୋର୍ଟ ବିଚାରପତିଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିବା ଲାଞ୍ଚ ମାମଲାକୁ ନେଇ ସୁପ୍ରିମ୍‌କୋର୍ଟରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମାମଲାର ଶୁଣାଣି ପାଇଁ ଏକ ପାଞ୍ଚ ବିଚାରପତି ବିଶିଷ୍ଟ ସାମ୍ବିଧାନିକ ପୀଠ ଗଠନ ହେବ ବୋଲି ସୁପ୍ରିମ୍‌କୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଦେଇଥିଲେ। କିନ୍ତୁ ଦିନକ ପରେ ମାମଲା ଆଉ ଏକ ମୋଡ଼ ନେଇଛି। ଜଷ୍ଟିସ୍‌ ଜେ. ଚେଲାମେଶ୍ୱର ଏବଂ ଏସ୍‌. ଅବ୍‌ଦୁଲ ନାଜିରଙ୍କ ଖଣ୍ଡପୀଠ ଦେଇଥିବା ରାୟକୁ ପ୍ରଧାନ ବିଚାରପତି ଦୀପକ ମିଶ୍ର ରଦ୍ଦ କରିଦେଇଛନ୍ତି। ପ୍ରଧାନ ବିଚାରପତି ହେଉଛନ୍ତି କୋର୍ଟ ମାଷ୍ଟର। ସେ ବିଭିନ୍ନ ମାମଲା ଲଢ଼ିବାକୁ ଖଣ୍ଡପୀଠ ଗଠନ କରିପାରିବେ। ଦୁଇଜଣିଆ କିମ୍ବା ତିନିଜଣିଆ ବିଚାରପତି ତାଙ୍କୁ ଏକ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଶୁକ୍ରବାର ଏକ ଜରୁରୀ ଶୁଣାଣି କରି ଜଷ୍ଟିସ୍‌ ମିଶ୍ର ଅଧ୍ୟକ୍ଷତା କରୁଥିବା ପାଞ୍ଚଜଣିଆ ଖଣ୍ଡପୀଠ ଏହା କହିଛନ୍ତି। ତେବେ ଏହି ମାମଲାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଭିତରେ ବିବାଦ ତେଜୁଛି । ବିଚାରପତିମାନଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ସାନି ଶୁଣାଣି କରି ବୃହତ୍‌ ଖଣ୍ଡପୀଠ କହିଛନ୍ତି, ପ୍ରଧାନବିଚାରପତିଙ୍କ ବିନା ଅନୁମତିରେ କୌଣସି ଖଣ୍ଡପୀଠ ଏକ ମାମଲାର ବିଚାର କରିପାରିବେ ନାହିଁ। ଏହା ହେଉଛି ଆଇନର ନିୟମ, ନ୍ୟାୟିକ ଶୃଙ୍ଖଳା ଏବଂ କୋର୍ଟ ମର୍ଯ୍ୟାଦା। ୧୯୯୮ରେ ସର୍ବୋଚ୍ଚ ଅଦାଲତ ଦେଇଥିବା ଏକ ରାୟରେ ଏହା ଦର୍ଶାଯାଇଛି। ସେହିପରି ବିଚାରପତିଙ୍କ ନଁାରେ ଲାଞ୍ଚ ମାମଲାରେ ଗଣମାଧ୍ୟମକୁ ରିପୋର୍ଟ ପ୍ରକାଶ ପାଇଁ ବିରୋଧ କରାଯାଉଛି। ଏହାକୁ ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଖଣ୍ଡପୀଠ ନାପସନ୍ଦ କରିଛନ୍ତି। ବାକ୍‌ ସ୍ବାଧୀନତା ଉପରେ ରୋକ୍‌ ଲଗାଇବା ଉଚିତ ନୁହେଁ ବୋଲି ଅଦାଲତ କହିଛନ୍ତି। ଏନ୍‌ଜିଓ ‘କ୍ୟାମ୍ପେନ୍‌ ଫର୍‌ ଜୁଡିସିଆଲ ଆକାଉଣ୍ଟେବିଲିଟି’ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଆଇନଜୀବୀ କାମିନୀ ଜୟସ୍ବାଲଙ୍କ ଉପରେ ଖଣ୍ଡପୀଠ ବର୍ଷିଛନ୍ତି। ପ୍ରଧାନବିଚାରପତି କହିଛନ୍ତି ଯେ, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଆଇ.ଏମ୍‌. କୁଦ୍ଦୁସିଙ୍କ ବିରୋଧରେ ହୋଇଥିବା ଲାଞ୍ଚ ମାମଲାରେ ତାଙ୍କ (ଜଷ୍ଟିସ୍‌ ମିଶ୍ର) ବିରୋଧରେ ଭୂଷଣ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହା ଅତି ଚିନ୍ତାଜନକ ବିଷୟ। ତେବେ ଉକ୍ତ ମାମଲାର ଶୁଣାଣି ପାଇଁ ଦୁଇ ସପ୍ତାହ ମଧ୍ୟରେ ଏକ ଖଣ୍ଡପୀଠ ଗଠନ ହେବ ବୋଲି ପ୍ରଧାନବିଚାରପତି ସ୍ପଷ୍ଟ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri