ପୋଲାଭରମ୍‌: କେନ୍ଦ୍ରକୁ ଜରିମାନା


ନୂଆଦିଲ୍ଲୀ, ୭।୧୧ (ପି.ଟି./ସ୍ବ.ପ୍ର.): ଇନ୍ଦିରା ସାଗର ପ୍ରକଳ୍ପ ବା ପୋଲାଭରମ୍‌କୁ ନେଇ ଆଗତ ଏକ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ନୋଟିସର ଉତ୍ତର ଦେଉ ନ ଥିବାରୁ ଅଦାଲତ କେନ୍ଦ୍ର ସରକାରଙ୍କ ଉପରେ ୨୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଛନ୍ତି। ଉତ୍ତର ଦେବାରେ ବିଳମ୍ବ କାରଣରୁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ୨ ସପ୍ତାହ ମଧ୍ୟରେ ଜରିମାନା ଅର୍ଥ କୋର୍ଟରେ ଆଇନ ସହାୟତା କମିଟିରେ ପଇଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିବାଦୀୟ ପୋଲାଭରମ୍‌ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ଦୀର୍ଘ ବର୍ଷ ହେଲା ଚାଲୁଛି। ମଙ୍ଗଳବାର ହୋଇଥିବା ଶୁଣାଣିରେ ବିଚାରପତି ମଦନ ବି. ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ଏହି ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଛତିଶଗଡ଼ ଏବଂ ତେଲେଙ୍ଗାନାକୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଖଣ୍ଡପୀଠ ଅନୁମତି ଦେଇଛନ୍ତି। ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ମାଲକାନାଗିରି ଜିଲାର କେତେକ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହେବ। ଏଥିସହିତ ଛତିଶଗଡ଼ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହେବ ବୋଲି ଦର୍ଶାଇ ଓଡ଼ିଶା ସରକାର ୨୦୦୭ରୁ ଏହି ପ୍ରକଳ୍ପକୁ ଜୋରଦାର ବିରୋଧ କରି ଆସୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ବ୍ୟତୀତ ପାର୍ଲାମେଣ୍ଟ ବାହାରେ ଏବଂ ଭିତରେ ମଧ୍ୟ ଲଗାତାର ବିରୋଧ ହୋଇଆସୁଛି। ଏହି ପ୍ରକଳ୍ପ ପାଇଁ ପରିବେଶ ମଞ୍ଜୁରୀ ନ ମିଳିଥିବା, କ୍ଷତିଗ୍ରସ୍ତ ଅଞ୍ଚଳରେ ଜନଶୁଣାଣି ହୋଇ ନ ଥିବା ତଥା ଡ୍ୟାମ୍‌ର ଉଚ୍ଚତା ବୃଦ୍ଧି ହୋଇଥିବା ବିରୋଧରେ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ମଧ୍ୟ ମାମଲା ଚାଲିଛି। ପ୍ରକାଶ ଯେ, କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଛନ୍ତି । ଏହା ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଏବଂ ପୂର୍ବଗୋଦାବରୀ ଜିଲାରେ ନିର୍ମାଣାଧୀନ ରହିଛି । ଏହାର ଜଳଭଣ୍ଡାର ଓଡିଶା ଓ ଛତିଶଗଡର କିଛି ଅଂଶ ପର୍ଯ୍ୟନ୍ତ ବ୍ୟାପିବ। ପୋଲାଭରମ ପ୍ରକଳ୍ପ ଦ୍ୱାରା ଜନଜାତି ଏବଂ ବନବାସୀଙ୍କ ଅଧିକାରର ଉଲ୍ଲଂଘନ ହେଉଛି ବୋଲି ଦର୍ଶାଇ ଅନ୍ୟ ଏକ ଆବେଦନ ସର୍ବୋଚ୍ଚ ଅଦାଲତରେ କରାଯାଇଥିଲା । ଏହି ଆବେଦନ ଉପରେ ଅଦାଲତ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ମାତ୍ର କେନ୍ଦ୍ର ଅଦ୍ୟାବଧି ଉକ୍ତ ନୋଟିସର ଉତ୍ତର ଦେଇନାହିଁ । ଆବେଦନରେ ଦର୍ଶାଇଯାଇଥିଲା ଯେ, ପୋଲାଭରମ ପ୍ରକଳ୍ପ ଫଳରେ ଓଡିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ୮୦୦୦ ଏକର ଜଙ୍ଗଲ ଏବଂ ୫୦୦ ଏକର ବନ୍ୟଜନ୍ତୁ ଅଭୟାରଣ୍ୟ ବୁଡିଯିବ । ତେଣୁ ଜାତୀୟ ପରିବେଶ ପ୍ରାଧିକରଣ ୨୦୦୭ରେ ପ୍ରକଳ୍ପର ପରିବେଶ ମଞ୍ଜୁରୀକୁ ରଦ୍ଦ କରିଦେଇଥିଲେ । ମାତ୍ର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହା ଉପରେ ରହିତାଦେଶ ଜାରି କରିଥିଲେ । ୨୦୧୧ ଫେବୃୟାରୀ ୮ରେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପରେ ସେହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri