ଚେନ୍ନାଇ,୧୩ା୭: ତାମିଲନାଡୁ ଉତ୍ତର ଭାଗରେ ଥବା ତିରୁଭଲ୍ଲୁରଠାରେ ରବିବାର ଡିଜେଲ ନେଉଥିବା ଏକ ମାଲ୍ବାହୀ ଟ୍ରେନ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ଚେନ୍ନାଇ-ଅରାକ୍କୋନମ୍ ରୁଟ୍ରେ ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଥିବା ସଦର୍ନ ରେଲ୍ଓ୍ବେ ପକ୍ଷରୁ କୁହାଯାଇଛି।
ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ତେବେ ଷ୍ଟେଶନରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ରାଜ୍ୟ ପରିବହନ ନିଗମ ପକ୍ଷରୁ ସ୍ବତନ୍ତ୍ର ବସ୍ ଚଳାଚଳ କରାଯାଉଛି। ରେଲ୍ଓ୍ବେ ଅଧିକାରୀଙ୍କ କହିବା ଅନୁଯାୟୀ, ଗୁଡ୍ସ ଟ୍ରେନ୍ ତିରୁଭଲ୍ଲୁର ଷ୍ଟେଶନ ଛାଡ଼ୁଥିବାବେଳେ ଡିଜେଲ ଥିବା କେତେକ ଓ୍ବାଗନରେ ନିଆଁ ଲାଗିଯାଇଥିଲା।
ତୃତୀୟ ଓ୍ବାଗନରେ ନିଆଁ ଲାଗି ଏହା ପଛରେ ଥିବା ଅନ୍ୟ ଓ୍ବାଗନଗୁଡ଼ିକୁ ବ୍ୟାପିଯାଇଥିଲା। ୧୮ଟି ଓ୍ବାଗନ ସମ୍ପୂର୍ଣ୍ଣ ଜଳିଯାଇଛି। ନିଆଁ ଦେଖି ଲୋକୋ ପାଇଲଟ୍ ତୁରନ୍ତ ଜରୁରୀ ବ୍ରେକ୍ ଚାପିବା ସହ ତିରୁଭଲ୍ଲୁର ଷ୍ଟେଶନମାଷ୍ଟର ସୁରକ୍ଷା ପଦକ୍ଷେପ ସ୍ବରୂପ ଓଭରହେଡ୍ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଥିଲେ।
ଟ୍ରେନ୍ଟି ଚେନ୍ନାଇ ହାର୍ବରରୁ ଓ୍ବାଲାଜା ରୋଡ୍ ସାଇଡିଂକୁ ଯାଉଥିଲା। ଅଗ୍ନିକାଣ୍ଡ ଫଳରେ ବହୁ ଉଚ୍ଚ ପର୍ଯ୍ୟନ୍ତ ବହଳ ଧୂଆଁ ଉଠୁଥିବା ଦେଖାଯାଇଛି। ନିଆଁଲିଭା କାର୍ଯ୍ୟରେ ବହୁସଂଖ୍ୟାରେ ଅଗ୍ନିଶମ ଦମକଳକୁ ନିୟୋଜିତ କରାଯାଇଛି। ଷ୍ଟେଶନ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଚେନ୍ନାଇ-ଆରାକୋନମ୍ ସେକ୍ସନରେ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଛି।


