ଚିନ୍ତାରେ ପକାଉଛି ଭୋଟ ବିଭାଜନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ୨୧ ଲୋକ ସଭା ଏବଂ ୧୪୬ ବିଧାନସଭା ଆସନର ଫଳାଫଳ ଆସିସାରିଛି। ଭାଜପା ଚଳିତ ନିର୍ବାଚନରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ୨୩ ବିଧାନସଭା ଓ ୮ ଲୋକ ସଭା ଆସନରେ ଭାଜପାକୁ ସଫଳତା ମିଳିଛି। ଅନ୍ୟପଟେ ଦୀର୍ଘଦିନ ଧରି ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇ ଆସୁଥିବା କଂଗ୍ରେସ ୯ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ପାଇ ତୃତୀୟ ସ୍ଥାନକୁ ଖସିଛି। ଅପରପକ୍ଷରେ ବିଜେଡି ୧୧୨ ବିଧାନସଭା ଏବଂ ୧୨ ଲୋକ ସଭା ଆସନରେ ବିଜୟୀ ହୋଇଛି। ରାଜ୍ୟରେ ବିଜେଡି ପୂର୍ଣ୍ଣବହୁମତ ପାଇ ଗୁରୁବାର ସରକାର ଗଠନ କରିବ। ତେବେ ୨୦୧୪ ନିର୍ବାଚନରେ ଗୋଟିଏ ଲୋକ ସଭା ଆସନରେ ବିଜୟଲାଭ କରିଥିବା ଭାଜପା ଏଥର ୮ ଆସନରେ ବିଜୟୀ ହୋଇଥିବାରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଥିବା କଥାକୁ ଅସ୍ବୀକାର କରି ହେବନାହିଁ। ସେହିପରି ବିଧାନସଭା ନିର୍ବାଚନରେ ଭାଜପା ବିଧାୟକମାନେ ପାଇଥିବା ଭୋଟ ପ୍ରତିଶତକୁ ଦେଖିଲେ ତୃଣମୂଳସ୍ତରରେ ମଧ୍ୟ ଶାସକ ଦଳକୁ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଲୋଚନା ଜୋର ଧରିଛି। ବିଜ଼େଡି ପୁନର୍ବାର ସରକାରକୁ ଫେରିଥିଲେ ମଧ୍ୟ ରାଜ୍ୟରେ ଭୋଟ ବିଭାଜନକୁ ରୋକିପାରି ନାହିଁ। ଯାହାକି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ରାଜ୍ୟରେ ସରକାର କରିଥିଲା। ସେତେବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାଜପାକୁ ତୃତୀୟ ସ୍ଥାନ ମିଳିଥିଲା। ବିଜେଡି ୪୩.୪ପ୍ରତିଶତ, କଂଗ୍ରେସ ୨୫.୭ ଏବଂ ଭାଜପା ୧୮ପ୍ରତିଶତ ଭୋଟ ପାଇଥିଲା। ଏଥର କିନ୍ତୁ ରାଜ୍ୟ ରାଜନୀତିର ଦୃଶ୍ୟପଟ ବଦଳିଯାଇଛି। ପୂର୍ବଥର ଭାଜପାର ମାତ୍ର ୧୦ ବିଧାୟକ ବିଧାନସଭା ଯାଇଥିବାବେଳେ ଏଥର ୨୩ ବିଧାୟକ ନିର୍ବାଚିତ ହୋଇଛନ୍ତି। ବିଶେଷକରି ଭାଜପାର ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧି ପାଇଛି। ପୂର୍ବଥର ୧୮ପ୍ରତିଶତ ଭୋଟ ପାଇଥିବାବେଳେ ଏଥର ବଢି ୩୨.୫ପ୍ରତିଶତ ହୋଇଛି। ସେହିପରି ବିଜେଡିର ପୂର୍ବଥର ଅପେକ୍ଷା ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ପାଇ ୪୪.୭ରେ ପହଞ୍ଚତ୍ଛି। ମାତ୍ର କଂଗ୍ରେସକୁ ବଡ଼ ବିପର୍ଯ୍ୟୟର ସାମ୍‌ନା କରିବାକୁ ପଡ଼ିଛି। ଏଥର ମାତ୍ର ୧୬.୧୨ପ୍ରତିଶତ ଭୋଟ କଂଗ୍ରେସକୁ ମିଳିଛି। ବିଧାନସଭା ନିର୍ବାଚନରେ ବିଜେଡିକୁ ମୋଟ ୧କୋଟି ୪ଲକ୍ଷ ୭୦ହଜାର ୯୪୧ ଖଣ୍ଡ ଭୋଟ ମିଳିଥିବା ବେଳେ, ଭାଜପାକୁ ୭୬ ଲକ୍ଷ ୯ହଜାର ୫୮୧ ଏବଂ କଂଗ୍ରେସକୁ ୩୭ଲକ୍ଷ ୭୫ହଜାର ୩୨୦ଖଣ୍ଡ ଭୋଟ ମିଳିଛି। ୧୪୬ ବିଧାନସଭା କ୍ଷେତ୍ର ମଧ୍ୟରୁ ଭାଜପା ୭୬ଟି ଆସନରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛି। ସେହିପରି ୨୧ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୧ଟିରେ ଦ୍ୱିତୀୟ ସ୍ଥାନରେ ରହିଛି।
ଭୁବନେଶ୍ୱର ଓ ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ ଲକ୍ଷ୍ୟ କଲେ ଭିନ୍ନ ସନ୍ଦେଶ ଆସୁଛି। ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର, ଜଟଣୀ, ଖୋର୍ଦ୍ଧା ଏବଂ ବେଗୁନିଆ ବିଧାନସଭାମଣ୍ଡଳୀରେ ଭାଜପା ପ୍ରାର୍ଥୀମାନେ ପରାଜିତ ହୋଇଛନ୍ତି। ଏଥିରୁ ୬ଟି ଆସନ ବିଜେଡି ଖାତାକୁ ଯାଇଥିଲା ବେଳେ ଗୋଟିଏ କଂଗ୍ରେସ ଖାତାକୁ ଚାଲିଯାଇଛି। ହେଲେ ଭାଜପା ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏଠାରୁ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସମାନଭାବେ ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ ବିଧାନସଭାମଣ୍ଡଳୀ ଯଥା, ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଏବଂ ଝାରସୁଗୁଡ଼ା ଆସନରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ଏଥିରୁ ଗୋଟିଏ ବି ଆସନ ଅନ୍ୟ ଦଳ ହାତକୁ ଯାଇନାହିଁ। ବିଜେପୁର ଆସନରୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ୱ ସତ୍ତ୍ୱେ ବରଗଡ଼ ଲୋକ ସଭା ଆସନ ଭାଜପା ନିଜ ଅକ୍ତିଆରକୁ ନେଇପାରିଛି।
ସେହିପରି ବିଜେଡିର ବହୁ ବରିଷ୍ଠ ନେତା ଯେଉଁମାନେ ୨୦୧୪ ନିର୍ବାଚନରେ ପ୍ରାୟ ୭୦ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେଇଥିଲେ ସେମାନେ ଏଥର ମାତ୍ର ୧୦ରୁ ୧୫ ହଜାର ଭୋଟରେ ଜିତିଛନ୍ତି। କେନ୍ଦ୍ରରେ ପୁନର୍ବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ହେବାକୁ ଯାଉଥିବାରୁ ଓଡ଼ିଶାରେ ମଧ୍ୟ ଭାଜପାର ପ୍ରଭାବ ରହିବ। ଆସନ୍ତା ୨ମାସ ମଧ୍ୟରେ ପୌର ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ପୌର ନିର୍ବାଚନରେ ଏଥର ଭାଜପାକୁ ସମ୍ମୁଖୀନ ହେବା ବିଜେଡି ପାଇଁ କଷ୍ଟସାଧ୍ୟ ହେବ ବୋଲି ଏବେଠୁ ଆଲୋଚନା ଜୋର୍‌ ଧରିଛି। ଯାହାକୁ ଶାସକ ଦଳର କେତେକ ନେତା ମଧ୍ୟ ସ୍ବୀକାର କରିଛନ୍ତି। ଏଭଳିସ୍ଥିତିରେ ଭୁବନେଶ୍ୱର ସଙ୍ଗଠନ ଦାୟିତ୍ୱ ବିଜେଡି ବର୍ତ୍ତମାନ କାହାକୁ ଦେବ ସେନେଇ ବିଚାର ବିମର୍ଶ ଆରମ୍ଭ କରିଲାଣି। ଏପରି କି ଦଳର ସୁପ୍ରିମୋ ପରାଜିତ ନେତାଙ୍କୁ ଡକାଇ ଦଳର ଖରାପ ପ୍ରଦର୍ଶନ କାରଣ ସମ୍ପର୍କରେ ସମୀକ୍ଷା ଆରମ୍ଭ କରିସାରିଲେଣି। ଅପରପକ୍ଷରେ ଏହି ବିଭାଜିତ ଜନମତରୁ ଆଗାମୀ ଦିନରେ ଭାଜପା କେତେଦୂର ଫାଇଦା ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri