Posted inଜାତୀୟ

ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟ ; ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ କର

ନୂଆଦିଲ୍ଲୀ,୫ା୧୧(ସ୍ବ.ପ୍ର.): ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ମଧ୍ୟବର୍ତ୍ତିକାଳୀନ ରାୟ ସୋମବାର ପ୍ରକାଶ ପାଇଛି। ଜଷ୍ଟିସ ଅରୁଣ ମିଶ୍ର, ଏମ୍‌.ଆର. ଶାହ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ୨୨ଟି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଓ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ରିପୋର୍ଟ ଆଧାରରେ ଖଣ୍ଡପୀଠ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଶ୍ରୀମନ୍ଦିର ପରିଚାଳନା ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କରିବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ଦାୟିତ୍ୱରେ ଓଏଏସ୍‌ ଅଧିକାରୀ ନିଯୁକ୍ତ ହେଉଥିଲେ। ପରବର୍ତ୍ତୀ ସମୟରେ ଆର୍‌ଡିସି ଏବଂ ସଚିବ ର଼୍ୟାଙ୍କର ଅଧିକାରୀଙ୍କୁ ପ୍ରଶାସକ ଦାୟିତ୍ୱ ଦିଆଗଲା। କିନ୍ତୁ ସେମାନଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ମିଳୁ ନ ଥିଲା। ଫଳରେ ଧୀରେ ଧୀରେ ମନ୍ଦିର ପରିଚାଳନାରେ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହେଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି କରିବାକୁ କହିଛନ୍ତି। ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ରହିଲେ ଶ୍ରୀମନ୍ଦିର ପରିଚାଳନା ଠିକ୍‌ ଭାବେ ହୋଇପାରିବ। ଏପରି କି ମହାପ୍ରଭୁଙ୍କ ନୀତିକାନ୍ତିକୁ ନେଇ ଯେଉଁଭଳି ବିଭ୍ରାଟ ଏବଂ ବିଳମ୍ବ ହେଉଛି ସେଥିରେ ମଧ୍ୟ ସୁଧାର ଆସିପାରିବ।
ଠାକୁରଙ୍କ ରୀତିନୀତିରେ ବାଧା ସୃଷ୍ଟି କରିବା କାହାର ଅଧିକାର ନାହିଁ ବୋଲି ଖଣ୍ଡପୀଠ ଗୁରୁତ୍ୱର ସହ କହିଛନ୍ତି। ଗତବର୍ଷ ଡିସେମ୍ବର ୨୮ରେ ସେବାୟତ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତିରେ ବିଭ୍ରାଟ ହୋଇଥିଲା। ମହାପ୍ରଭୁ ୧୨ ଘଣ୍ଟା ଉପବାସରେ ରହିଥିଲେ। ଏ ସମ୍ପର୍କରେ ଆମିକସ୍‌ କ୍ୟୁରି କୋର୍ଟଙ୍କୁ ଅବଗତ କରାଇଥିଲେ। ଏହାକୁ ଗମ୍ଭୀରତାର ସହ ବିଚାରକରି ସର୍ବୋଚ୍ଚ ଅଦାଲତ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିରେ ଯେଉଁ ସେବାୟତ ଦାୟୀ ଥିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ଠିକ୍‌ ସମୟରେ ଏବଂ ବିଧି ଅନୁଯାୟୀ କରାଯିବ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଶ୍ରୀମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର, ଲୁଟ୍‌, ପକେଟ୍‌ମାର ଭଳି ଘଟଣା ଘଟିଛି। ଏହାକୁ ଦୃଷ୍ଟିରେ ରଖି କୌଣସି ଶ୍ରଦ୍ଧାଳୁ ଯେଭଳି ହଇରାଣ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ
ଦେଇଛନ୍ତି। ବିଶେଷକରି ମହିଳା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଉତ୍ତମ ବ୍ୟବସ୍ଥା କରିବା ଏବଂ ସମସ୍ତଙ୍କ ପାଇଁ ବାଧାମୁକ୍ତ ଦର୍ଶନ ନିମନ୍ତେ ବିଶେଷଜ୍ଞମାନଙ୍କ ସହାୟତାରେ ସୁଚିନ୍ତିତ ଯୋଜନା କରିବାକୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ରାୟରେ କୁହାଯାଇଛି।
ରୋଷଘର ଯେଭଳି ସବୁବେଳେ ସଫାସୁତରା ରହିବ ଏବଂ ସ୍ବାସ୍ଥ୍ୟପ୍ରଦ ପରିବେଶରେ ମହାପ୍ରସାଦ ପ୍ରସ୍ତୁତି ଓ ରଖାଯାଇପାରିବ ସେନେଇ ପଦକ୍ଷେପ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସେବାୟତ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ବ୍ୟବସ୍ଥା କରିବା ପାଇଁ ଖଣ୍ଡପୀଠ କହିଛନ୍ତି।
ଠାକୁରଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କ ନିମନ୍ତେ ରହଣି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୬୦ ହଜାର ଭକ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ପୁରୀ ସହରର ନାଳନର୍ଦ୍ଦମା ପାଣି ପାଇଁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ବସାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଏହି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ତିଆରି କରିବାକୁ କୋର୍ଟ କହିଛନ୍ତି।
ମହାପ୍ରଭୁଙ୍କ ରାଜ୍ୟ ତଥା ରାଜ୍ୟ ବାହାରେ ସମ୍ପତ୍ତି ରହିଛି। ହେଲେ ଏହି ସମ୍ପତ୍ତିର ପରିମାଣ କେତେ ତାହା ଠିକ୍‌ ଭାବେ ଆକଳନ କରାଯାଇ ପାରିନାହିଁ। ଅନେକ ଜାଗାରେ ମହାପ୍ରଭୁଙ୍କ ଜମି ଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନର ଏହା ଉପରେ ଅଙ୍କୁଶ ନାହିଁ। ଲୋକେ ଜମିକୁ ଭୋଗଦଖଲ କରୁଥିଲାବେଳେ ଶ୍ରୀମନ୍ଦିରକୁ ଟଙ୍କାଟିଏ ରାଜସ୍ବ ଆସୁନାହିଁ। ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଅନୁଯାୟୀ ଶ୍ରୀମନ୍ଦିରର ୬୦,୪୧୮ ଏକର ଜମି ରହିଛି। କିନ୍ତୁ ସେଥିମଧ୍ୟରୁ ମାତ୍ର ୩୪,୨୦୦ ଏକର ଜମିର ସ୍ବତ୍ୱଲିପି ପ୍ରସ୍ତୁତ କରାଯାଇପାରିଛି। ଆସନ୍ତା ୬ ମାସ ମଧ୍ୟରେ ବଳକା ଜମିର ସ୍ବତ୍ୱଲିପି ପ୍ରସ୍ତୁତ କରିବାକୁ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିର ବିବରଣୀ, ରକ୍ଷଣାବେକ୍ଷଣ, ଏଥିରୁ କେତେ ଆୟ ଆସୁଛି ଏବଂ କ’ଣ ଖର୍ଚ୍ଚ କରାଯାଉଛି ତାହାର ବିବରଣୀ ସତ୍ୟପାଠ ମାଧ୍ୟମରେ ଦେବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ସେହିପରି ଶ୍ରୀମନ୍ଦିର ନାମରେ ଥିବା ଖଣିର ତାଲିକା, ସେଗୁଡ଼ିକରୁ ହେଉଥିବା ଆୟ ଓ ବକେୟା ସମ୍ପର୍କରେ ମଧ୍ୟ ଜଣାଇବାକୁ କୁହାଯାଇଛି।
ଶ୍ରୀମନ୍ଦିରର ମୂଲ୍ୟବାନ ସାମଗ୍ରୀ ଓ ଭକ୍ତମାନେ ଦାନରେ ଦେଉଥିବା ସାମଗ୍ରୀର ତାଲିକା ଏବଂ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସେସବୁର ତାଲିକା କିଭଳି କରାଯାଇଛି ଏବଂ ସୁରକ୍ଷା ପାଇଁ କ’ଣ ପ୍ରସ୍ତାବ ରହିଛି ତାହା ଜଣାଇବାକୁ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନକୁ କହିଛନ୍ତି।
ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଆବାସିକ ସ୍କୁଲ କରାଯିବାକୁ କୋର୍ଟ ରାୟ ଦେଇଛନ୍ତି। ଓଡ଼ିଶାର ଏକ ମାମଲାରେ ୫ କୋଟି ଟଙ୍କା ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଅଛି। ବର୍ତ୍ତମାନ ତାହା ସୁଧମୂଳ ହୋଇ ସାଢେ ୬ କୋଟି ଟଙ୍କା ହେଲାଣି। ଏହି ଟଙ୍କା କୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ଏଥିରେ ସ୍କୁଲ ତିଆରି କରାଯିବ। ମନ୍ଦିର ପ୍ରଶାସନ ଏଥିପାଇଁ ଜମି ଯୋଗାଇଦେବ। ବିଶେଷକରି ଉକ୍ତ ସ୍କୁଲ ସେବାୟତ ପରିବାରର ପିଲାମାନଙ୍କୁ ସହାୟକ ହୋଇପାରିବ।
ମହିଳା ଓ ପୁରୁଷ ଶ୍ରଦ୍ଧାଳୁଙ୍କ ପାଇଁ ପୃଥକ୍‌ ଭାବେ ଶୌଚାଳୟ ଆବଶ୍ୟକ ଥିବା ଆମିକସ୍‌ କ୍ୟୁରି ରିପୋର୍ଟରେ ଉଲ୍ଲେଖ କରିଥିଲେ। ତେଣୁ ହାରାହାରି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟାକୁ ଆଧାର କରି ପୃଥକ୍‌ ଭାବେ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା କରିବା ଏବଂ ସେଗୁଡ଼ିକୁ ସବୁବେଳେ ସଫାସୁତରା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭକ୍ତଙ୍କ ପାଇଁ ଆବଶ୍ୟକ ମୁତାବକ ସାମାନ ଘର, ମୋଟର ଷ୍ଟାଣ୍ଡ ଆଦି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ରାୟରେ କୁହାଯାଇଛି।
ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୮ରେ ଧାର୍ଯ୍ୟ କରିଛନ୍ତି। ଉପରୋକ୍ତ ନିର୍ଦ୍ଦେଶନାମା ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇଥିବା ତାହା ରିପୋର୍ଟ ମାଧ୍ୟମରେ ଦାଖଲ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସୁପ୍ରିମ୍‌କୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ରାୟ ନିଶ୍ଚିତ ସ୍ବାଗତଯୋଗ୍ୟ। ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ଭକ୍ତଙ୍କ ଦର୍ଶନ ସବୁକିଛି ଯେଭଳି ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ ହେବ ତାହା ଉପରେ ଧ୍ୟାନ ଦିଆଯାଇଛି। ସବୁଠୁ ବଡ଼ ନିଷ୍ପତ୍ତି ହେଉଛି ଶ୍ରୀମନ୍ଦିର ପରିଚାଳନା ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି। ଏହା ବହୁ ଆଗରୁ ଦରକାର ଥିଲା। ଜଣେ ପ୍ରଶାସକ ଯଦି ସମ୍ପୂର୍ଣ୍ଣ ମନ୍ଦିର ପରିଚାଳନା କଥା ବୁଝିବେ ତେବେ କୌଣସି ପ୍ରକାର ବିଭ୍ରାଟ ହେବ ନାହିଁ ବୋଲି ଆଶା କରୁଛି। କିନ୍ତୁ ନିର୍ଦ୍ଦେଶଗୁଡ଼ିକ ଠିକ୍‌ ଭାବେ ପାଳନ କରାଯିବା ଦରକାର ବୋଲି ଦାସମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

‘ଏନ୍‌ଇଇଟି’ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି

ନୂଆଦିଲ୍ଲୀ,୨୧।୮(ପି.ଟି.): ଚଳିତବର୍ଷ ଜୁଲାଇ ୨୦ରେ ହୋଇଥିବା ପାର୍ଲାମେଣ୍ଟ ଘେରାଉ ଆନ୍ଦୋଳନ ବେଳେ ଛାତ୍ରୀଛାତ୍ର ଏବଂ ଯୁବବର୍ଗଙ୍କ ଉପରେ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପରବର୍ତ୍ତୀ ସମୟରେ…

ମେଘାନ ଓ ପିଲାଙ୍କ ସହ ବ୍ରିଟେନ ଫେରିବେ ପ୍ରିନ୍ସ ହ୍ୟାରୀ

ଲଣ୍ଡନ,୨୧।୮: ପ୍ରିନ୍ସ ହ୍ୟାରୀ ଏବଂ ତାଙ୍କ ପତ୍ନୀ ମେଘାନ ମାର୍କେଲ ଚଳିତ ମାସ ଶେଷ ଆଡ଼କୁ ସେମାନଙ୍କ ଦୁଇ ସନ୍ତାନଙ୍କ ସହ ବ୍ରିଟେନକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।…

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

୧୬.୨ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ହାତଲେଖା ପାଣ୍ଡୁଲିପି

ନୂଆଦିଲ୍ଲୀ,୨୧।୮(ପି.ଟି.): ସାଫ୍ରୋନ୍‌ଆର୍ଟ ନିଲାମୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଲାମୀରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲିଖିତ ୬୮୮ଟି ଆତ୍ମଚିନ୍ତନ ଓ ବିଚାର ସମ୍ପର୍କିତ ପାଣ୍ଡୁଲିପି ୧୬ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri