ଭାରତ ଓ ଆଣବିକ ଶକ୍ତି

ଇଂ. ମାୟାଧର ସ୍ବାଇଁ
ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ ରାଷ୍ଟ୍ର ଭାବେ ଘୋଷଣା କରି ଇତିହାସ ସୃଷ୍ଟି କରିଥିଲା। ଏହି କୃତିତ୍ୱ ପରେ ପ୍ରତିବର୍ଷ ମେ ୧୧ ତାରିଖକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ବାସ୍ତବରେ ଏହା ଭାରତର ପ୍ରଥମ ଆଣବିକ ପରୀକ୍ଷା ନ ଥିଲା। ଏହା ପୂର୍ବରୁ ୧୯୭୪ ମସିହାରେ ଏକ ପରୀକ୍ଷା କରାଯାଇଥିଲା। କିନ୍ତୁ ଦୁଇଟିର ଉଦ୍ଦେଶ୍ୟ ଓ ପ୍ରଭାବ ଅଲଗା ଥିଲା।
୧୯୪୪ ମସିହାରେ ବମ୍ବେଠାରେ ହୋମି ଜାହାଙ୍ଗୀର ଭାବାଙ୍କ ପ୍ରଚେଷ୍ଟାରେ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହେବା ପରେ ଭାରତରେ ଆଣବିକ ଗବେଷଣା ଆରମ୍ଭ କରାଯାଇଥିଲା। ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ୧୯୪୮ ମସିହାରେ ପରମାଣୁ ଶକ୍ତି ଆଇନ ଗୃହୀତ ହୋଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଆଣବିକ ଶକ୍ତି ଉପରେ ଗବେଷଣା ଚାଲିଥିଲା ବେଳେ ଭାରତ ଏଥିରେ ପଛରେ ରହି ନ ଥିଲା। ଭାରତ ୧୯୬୮ ମସିହାରେ ଆଣବିକ ଅପ୍ରସାରଣ ଚୁକ୍ତି (ଏନ୍‌ପିଟି)ରେ ଦସ୍ତଖତ କରିବାକୁ ମନା କରିଦେଲା। ଏହି ଚୁକ୍ତି ଅନୁଯାୟୀ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରଗୁଡିକ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ଆଣବିକ ପରୀକ୍ଷା କରିପାରିବ ନାହିଁ। ଏହି ବିଭେଦପୂର୍ଣ୍ଣ ଚୁକ୍ତିରେ ଭାରତ ଆଜି ପର୍ଯ୍ୟନ୍ତ ମଧ୍ୟ ସ୍ବାକ୍ଷର କରିନାହିଁ।
୧୯୭୪ ମସିହା ମେ ୧୮ତାରିଖରେ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ରାଜା ରମଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଟେଲିଫୋନରେ ଜଣାଇଲେ ଯେ, ‘ଶେଷରେ ବୁଦ୍ଧ ହସିଛନ୍ତି’। ଏହି ଗୁପ୍ତ ସଙ୍କେତର ଅର୍ଥ ଥିଲା, ଭାରତର ପ୍ରଥମ ପରମାଣୁ ପରୀକ୍ଷା ସଫଳ ହୋଇଛି। ସଂଯୋଗବଶତଃ ଏହା ଥିଲା ବୁଦ୍ଧପୂର୍ଣ୍ଣିମା ତିଥି, ରାଜସ୍ଥାନର ଥର୍‌ ମରୁଭୂମିର ପୋଖରାନଠାରେ ଏହି ପରୀକ୍ଷା କରାଯାଇଥିଲା। ପୃଥିବୀର ବଡ ବଡ ଦେଶ ଏଥିରେ ସ୍ତବ୍ଧ ହୋଇ ଯାଇଥିଲେ। କେହି କଳ୍ପନା କରି ନ ଥିଲେ ଯେ ଭାରତ ଏତେ ଶୀଘ୍ର ସଫଳ ପରମାଣୁ ପରୀକ୍ଷା କରିପାରିବ। ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ନ ଥିବା କୌଣସି ଦେଶ ଏହି ପରୀକ୍ଷା କରିବା ପ୍ରଥମ ଥିଲା। ଯଦିଓ ଭାରତ ଏହାକୁ ‘ଶାନ୍ତିପୂର୍ଣ୍ଣ ଆଣବିକ ବିସ୍ଫୋରଣ’ ନାମ ଦେଇଥିଲା, ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ରାଷ୍ଟ୍ର ଭାରତ ଉପରେ ଅର୍ଥନୈତିକ ଓ ବୈଜ୍ଞାନିକ ପ୍ରତିବନ୍ଧକ ଲଗାଇଲେ। ଭାରତ ସେତେବେଳେ ଆମେରିକା ଓ ଜାପାନ ଭଳି ଧନୀ ରାଷ୍ଟ୍ରଠାରୁ ଖାଦ୍ୟ ସହାୟତା ଓ ଅନ୍ୟ ଅର୍ଥନୈତିକ ସାହାଯ୍ୟ ପାଉଥିଲା। ଅର୍ଥନୈତିକ ପ୍ରତିବନ୍ଧକର ସମ୍ଭାବନା ଥିବା ଜାଣି ମଧ୍ୟ ଭାରତ ନିଜର ସ୍ବାଭିମାନ ପାଇଁ ଏହି ପରୀକ୍ଷା କରିଥିଲା।
ପ୍ରଥମ ଆଣବିକ ପରୀକ୍ଷା ପରେ ବିଭିନ୍ନ ଦେଶର ଅର୍ଥନୈତିକ ପ୍ରତିବନ୍ଧକ ଓ ଅନ୍ୟାନ୍ୟ ଚାପ ପରେ ଭାରତ ପୁନର୍ବାର ଆଣବିକ ପରୀକ୍ଷା କରିବା ପାଇଁ ସାହସ କରି ନ ଥିଲା। ପି.ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୯୫ ମସିହାରେ ଭାରତ ଅନ୍ୟ ଏକ ଆଣବିକ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଚଳାଇଥିଲା। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ଗୋଇନ୍ଦା ସଂସ୍ଥା ଏହା ଜାଣିପାରିବା ପରେ ଚାପ ପକାଇ ଏହାକୁ ବନ୍ଦ କରି ଦିଆଗଲା।
୧୯୯୮ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ରାଜସ୍ଥାନର ସେହି ପୋଖରାନଠାରେ ଓ ପୁନଶ୍ଚ ବୁଦ୍ଧ ପୂର୍ଣ୍ଣିମା ତିଥିରେ ମେ ୧୧ ତାରିଖରେ ତିନୋଟି ଆଣବିକ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ଦୁଇଟି ‘ଆଣବିକ ବିଭାଜନ ବୋମା’ ଓ ଗୋଟିଏ ‘ଆଣବିକ ସଂଯୋଜନ ବୋମା’ ଥିଲା। ଏହାର ଦୁଇଦିନ ପରେ ଦୁଇଟି ଆଣବିକ ବିଭାଜନ ବୋମାର ପରୀକ୍ଷା କରାଗଲା। ଏହି ପ୍ରକଳ୍ପର ନାମ ‘ଅପରେଶନ ଶକ୍ତି’ ରଖାଯାଇଥିଲା। ପରୀକ୍ଷା ପୂର୍ବରୁ ଏହାକୁ ଅତି ଗୋପନ ରଖାଯାଇଥିଲା, ଫଳରେ ବାହାର ଦେଶର ଗୋଇନ୍ଦା ସଂସ୍ଥା ଏହାର ଆଭାସ ସୁଦ୍ଧା ପାଇପାରି ନ ଥିଲେ। ଏପରି କି ବାଜପେୟୀଙ୍କ ମନ୍ତ୍ରିମଣ୍ଡଳର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ନାଣ୍ଡିଜ୍‌ ଏହାକୁ ପ୍ରଥମ ବିସ୍ଫୋରଣ ପରେ ଜାଣିଥିଲେ। ଏହାର ନେତୃତ୍ୱ ନେଇଥିଲେ ଭାରତ ସରକାରଙ୍କ ମୁଖ୍ୟ ବିଜ୍ଞାନ ପରାମର୍ଶଦାତା ତଥା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାର ଡାଇରେକ୍ଟର ଜେନେରାଲ ଏ.ପି.ଜେ. ଅବଦୁଲ୍‌ କଲାମ୍‌ (ପରେ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଭାରତର ରାଷ୍ଟ୍ରପତି) ଏବଂ ଭାବା ପରମାଣୁ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ରାଜଗୋପାଳ ଚିଦାମ୍ବରମ୍‌। ଏହାକୁ ପୋଖରାନ୍‌-୨ ପରୀକ୍ଷା ଏବଂ ୧୯୭୪ ମସିହାର ପରୀକ୍ଷାକୁ ପୋଖରାନ୍‌-୧ ପରୀକ୍ଷା କୁହାଗଲା।
୧୯୭୪ ମସିହାରେ ଭାରତ ପୋଖରାନ୍‌-୧ ପରୀକ୍ଷାକୁ ଶାନ୍ତିପୂର୍ଣ୍ଣ ପରୀକ୍ଷା କହିଥିବା ବେଳେ ୧୯୯୮ ମସିହାରେ ଭାରତ ନିଜକୁ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଅନ୍ୟ ଅର୍ଥରେ ଭାରତ ପାଖରେ ଆଣବିକ ଅସ୍ତ୍ର ରହିଥିବା ଏହା ଦମ୍ଭର ସହିତ ଜଣାଇଲା। ଭାରତ ଏପରି ଘୋଷଣା କରିବାର କାରଣ ଥିଲା ଯେ ଏହା ୧୯୭୪ ମସିହା ଭଳି ଦୁର୍ବଳ ନ ଥିଲା ଏବଂ ଉଭୟ ବିଜ୍ଞାନ ଓ ଅର୍ଥନୈତିକ ଦୃଷ୍ଟିରୁ ଏହା ଅନେକ ପ୍ରଗତି କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ଦେଶ ଭାରତ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇଥିଲେ ସୁଦ୍ଧା ଏହା ଅଧିକ ଦିନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିପାରିଲା ନାହିଁ। ଭାରତର ଦ୍ରୁତ ଆର୍ଥିକ ବିକାଶ ଏବଂ ଏସିଆ ମହାଦେଶରେ ଏହାର ଶକ୍ତି ଓ ଗୁରୁତ୍ୱକୁ ଦେଖି ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ଭାରତ ସହିତ କଥାବାର୍ତ୍ତା କରିବା ପାଇଁ ବାଧ୍ୟ ହୋଇଥିଲେ ଏବଂ ୨୦୦୧ ମସିହାରେ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଥିଲେ।
ବାସ୍ତବରେ ଆମ ପଡୋଶୀ ରାଷ୍ଟ୍ର ଚାଇନା ଗୋଟିଏ ଆଣବିକ ରାଷ୍ଟ୍ର ଥିବାବେଳେ ଅନ୍ୟ ଏକ ପଡୋଶୀ ରାଷ୍ଟ୍ର ପାକିସ୍ତାନ ମଧ୍ୟ ଗୁପ୍ତରେ ଆଣବିକ ଅସ୍ତ୍ର ନିର୍ମାଣ ପାଇଁ କାର୍ଯ୍ୟ କରୁଥିବାର ଖବର ପାଇ ଆମର ଏହି ଦୁଇ ଚିରାଚରିତ ଶତ୍ରୁ ରାଷ୍ଟ୍ର ବିପକ୍ଷରେ ନିଜକୁ ସଜାଗ ରଖିବା ପାଇଁ ଭାରତ ଏହି ପରୀକ୍ଷା କରିଥିଲା। କେତେକ ଦେଶର ବିରୋଧ ସତ୍ତ୍ୱେ ଭାରତ ଓ ଆମେରିକା ମଧ୍ୟରେ ୨୦୦୮ ମସିହାରେ ‘ବେସାମରିକ ଆଣବିକ ସହଯୋଗ ଚୁକ୍ତି’ ସ୍ବାକ୍ଷରିତ ହୋଇଛି। ଭାରତ ମଧ୍ୟ ନିଜଆଡୁ ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାହିଁ ବୋଲି ଘୋଷଣା କରିଛି। ଆଣବିକ ଅପ୍ରସାର ଚୁକ୍ତିରେ ସ୍ବାକ୍ଷର କରି ନ ଥିଲେ ସୁଦ୍ଧା ଭାରତକୁ ଆଜି ଗୋଟିଏ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ମାନ୍ୟତା ଦିଆଯାଉଛି। ଭାରତ ମଧ୍ୟ ‘କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ନିୟନ୍ତ୍ରଣ ପ୍ରାଧିକରଣ’ ଏବଂ ପାରମ୍ପରିକ ଅସ୍ତ୍ର ଓ ଦ୍ୱୈତ-ବ୍ୟବହୃତ ସାମଗ୍ରୀ ଓ ପ୍ରଯୁକ୍ତିବିଦ୍ୟା ପାଇଁ ରପ୍ତାନି ନିୟନ୍ତ୍ରଣ ନିମିତ୍ତ ଗଠିତ ‘ଓ୍ବାସେନାର୍‌ ବ୍ୟବସ୍ଥା’ ଭଳି କେତେକ ଅନୌପଚାରିକ ଗ୍ରୁପ୍‌ର ସଦସ୍ୟ ହୋଇଛି।
ଭାରତ ପରେ ପରେ ପାକିସ୍ତାନ ମଧ୍ୟ ୧୯୯୮ ମସିହାରେ ଆଣବିକ ପରୀକ୍ଷା କରିଛି ଏବଂ ଆଣବିକ ବୋମା ମହଜୁଦ କରି ରଖିଛି। ଉତ୍ତମ ସମ୍ପର୍କ ନ ଥିବା ଦୁଇ ପଡୋଶୀ ରାଷ୍ଟ୍ର ହାତରେ ଅଛି ବ୍ରହ୍ମାସ୍ତ୍ର। ପାକିସ୍ତାନ ଏହାକୁ ନେଇ ଅନେକଥର ଭାରତକୁ ମଧ୍ୟ ଧମକ ଦେଇଛି। ଆମ ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାରେ ପ୍ରକାଶ କରିଛନ୍ତି ଯେ ଭାରତ ଦୀପାବଳି ପାଇଁ ଏହି ବାଣ ରଖିନାହିଁ। ଏହାର ଜବାବରେ ପାକିସ୍ତାନ କିଛି କହିବା ପୂର୍ବରୁ ଜମ୍ମୁ ଓ କଶ୍ମୀରର ଜଣେ ନେତା କହିଲେଣି ଯେ ପାକିସ୍ତାନ ମଧ୍ୟ ଇଦ୍‌ ପାଇଁ ଏହା ରଖିନାହିଁ। ପୁରାଣ ଯୁଗରେ ବିବେକବାନ୍‌ ବ୍ୟକ୍ତିଙ୍କ ହାତରେ ବ୍ରହ୍ମାସ୍ତ୍ର ଥିଲା। ଯଦି କୌଣସି ଅବିବେକୀ ବ୍ୟକ୍ତି ହାତରେ ଆଧୁନିକ ଯୁଗର ବ୍ରହ୍ମାସ୍ତ୍ର ରହେ, ତା’ହେଲେ ପୃଥିବୀର ଅବସ୍ଥା କ’ଣ ହେବ? ପୃଥିବୀର ସମସ୍ତ ଦେଶରୁ ଆଣବିକ ବୋମାକୁ ନଷ୍ଟ କରି ଆଣବିକ ଶକ୍ତିକୁ କେବଳ ଶକ୍ତି ଉଦ୍ଦେଶ୍ୟରେ ବ୍ୟବହାର କରିବା ଉଚିତ।
(ରାଷ୍ଟ୍ରୀୟ ପ୍ରଯୁକ୍ତି ଦିବସ ଉପଲକ୍ଷେ)
୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?