ଜୋନାଲ୍‌ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ: ଭାଗ ନେଇଛନ୍ତି ୪ ଜୋନର ୭ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ଗଞ୍ଜାମ,୬ା୯(ବିଦ୍ୟାଧର ସାହୁ)-ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ହାଇସ୍କୁଲ ପକ୍ଷରୁ ମିନି ଷ୍ଟାଡିୟମରେ ବ୍ଲକର ଜୋନାଲସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି। ୪ଟି ଜୋନ ରମ୍ଭା ହାଇସ୍କୁଲ, ସୁବଳୟା ହାଇସ୍କୁଲ, ଖଣ୍ଡଦେଉଳୀ ହାଇସ୍କୁଲ ଏବଂ ଗଞ୍ଜାମ ଭାରତୀ ବିଦ୍ୟାପୀଠର ପ୍ରାୟ ୭ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଶୁକ୍ରବାର ରମ୍ଭା ଓ ଗଞ୍ଜାମ ଜୋନ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଶନିବାର ସୁବଳୟା ଓ ଖଣ୍ଡଦେଉଳି ଜୋନକୁ ନେଇ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର ଓ ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତା ହୋଇଛି। କବାଡି, ଲଙ୍ଗଜମ୍ପ, ହାଇଜମ୍ପ, ଶଟଫୁଟ, ଡିସ୍‌କସ୍‌ ଥ୍ରୋ ଆଦି ପ୍ରତିଯୋଗିତା ମଧ୍ୟ ହୋଇଥିଲା। ଜୋନ ସ୍ତରରେ ମନୋନୀତ କୃତୀ ପ୍ରତିଯୋଗୀ ବ୍ଲକ ସ୍ତରକୁ ଏବଂ ବ୍ଲକ ସ୍ତରର କୃତୀ ପ୍ରତିଯୋଗୀ ଜିଲା ସ୍ତରର ପ୍ରତିଯୋଗିତାରେ ଭାଗ ନେବେ ବୋଲି ଭାରତୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ କହିଛନ୍ତି। ବିଇଓ ପ୍ରସନ ବେହେରା, ଏବିଇଓ ସଂଯୁକ୍ତା ବେହେରା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଗଞ୍ଜାମ ବାଳିକା ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷୟିତ୍ରୀ ଛନ୍ଦାରାଣୀ ସାହୁ, ରାଧାକୃଷ୍ଣ ଦଳାଇ, ସୁଶାନ୍ତ ସାହୁ, ସୁରେଶ ପାତ୍ର, ହରେଶ ଚନ୍ଦ୍ର ସ୍ବାଇଁ, ସୁଧାଂଶୁ ଶେଖର ଦାସ, ଶ୍ରୀହରି, ଜନକ ଜେନା କ୍ରୀଡା ପରିଚାଳନା ଦାୟୀତବରେ ଅଛନ୍ତି। ଆସନ୍ତା ୧୫ ରୁ ୧୮ ପର୍ଯ୍ୟନ୍ତ ଜିଲାସ୍ତରୀୟ ଖୋକ ପ୍ରତିଯୋଗିତା ମିନି ଷ୍ଟାଡିୟମରେ ହେବାକୁ ସ୍ଥିର ହୋଇଛି। ଏନେଇ ଜିଲା ଶିକ୍ଷାଧିକାରୀ ଅଜୟ ପାତ୍ର, ଡିପିଇଓ ଭାଗୀରଥି ସ୍ବାଇଁ ମିନି ଷ୍ଟାଡିୟମ ପରିଦର୍ଶନ କରି ଗଞ୍ଜାମ ବ୍ଲକ ଅଞ୍ଚଳରେ ଜିଲା ସ୍ତରୀୟ କ୍ରୀଡା ପାଇଁ ଅନୁମତି ଦେଇଛନ୍ତି।

Share
Tags: odisha