ସବୁଠାରୁ ଧନୀ ଅଭିନେତାଙ୍କୁ ବ୍ରାଣ୍ଡ ଆମ୍ବାସାଡର କଲା ଜୋମାଟୋ

ନୂଆଦିଲ୍ଲୀ,୯।୮: ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ଶୁକ୍ରବାର ଦିନ ବଲିଉଡର ‘ବାଦଶାହ’ ଶାହାରୁଖ ଖାନଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିବାର ଘୋଷଣା କରିଛି। ଜୋମାଟୋ ଏକ ବୟାନରେ କହିଛି ଯେ ଶାହାରୁଖ ନିକଟରେ କମ୍ପାନୀର ‘ଫ୍ୟୁଏଲ ଇୟୋର ହସଲ’ ଅଭିଯାନରେ ନଜର ଆସିଥିଲେ। ଏହି ଅଭିଯାନ ଓ ଏହି ସହଯୋଗ ମାଧ୍ୟମରେ ଜୋମାଟୋର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଏମିତି ବ୍ୟକ୍ତିଙ୍କ ସହ ଯୋଡ଼ିହେବା ଯେଉଁମାନେ କଠିନ ପରିଶ୍ରମ ଓ ନିରନ୍ତରତାରେ ବିଶ୍ୱାସ କରନ୍ତି। ଯେଉଁମାନେ ଖାଦ୍ୟ ମାଧ୍ୟମରେ ସେମାନଙ୍କ ଯାତ୍ରାକୁ ସମର୍ଥନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୃଢ଼ କରନ୍ତି।

ଜୋମାଟୋର ମାର୍କେଟିଂ ମୁଖ୍ୟ ସାହିବଜିତ ସିଂହ ସାହାନୀ କହିଛନ୍ତି ଯେ ଶାହାରୁଖ ଖାନ ଲକ୍ଷ ଲକ୍ଷ ଲୋକଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଅନ୍ତି ଏବଂ ସେମାନଙ୍କ ଉଚ୍ଚାକାଂକ୍ଷାକୁ ବଢ଼ାଇଥାନ୍ତି। ଶାହାରୁଖ କହିଛନ୍ତି, ଜୋମାଟୋର କାହାଣୀ ହେଉଛି କଠିନ ପରିଶ୍ରମ, ନବୋନ୍ମେଷ ଓ ଲୋକଙ୍କୁ ସେମାନଙ୍କର ପ୍ରିୟ ଜିନିଷ ଅର୍ଥାତ ଉତ୍ତମ ଖାଦ୍ୟର ନିକଟତର କରାଇବାର ଏକ କାହାଣୀ। ଏହା ଏକ ଏମିତି ଯାତ୍ରା ଯାହା ମୋ ସହିତ ଗଭୀର ଭାବେ ଜଡ଼ିତ। ମୁଁ ଏକ ଏମିତି ବ୍ରାଣ୍ଡର ଅଂଶ ହେବାକୁ ନେଇ ଖୁସି ଯାହା ସମଗ୍ର ଭାରତରେ ଏକ ଘରୋଇ ନାମ ହୋଇପାରିଛି।

ଏସକ୍ୱାୟାର ମ୍ୟାଗାଜିନର ରିପୋର୍ଟ ଅନୁସାରେ, ଶାହାରୁଖ ଖାନଙ୍କର ମୋଟ ସମ୍ପତ୍ତି ପ୍ରାୟ ୭,୫୦୦ କୋଟି ଟଙ୍କା (ପ୍ରାୟ ୮୭୬.୫ ମିଲିୟନ ଡଲାର), ଯାହା ସଲମାନ ଖାନ ଓ ଅମିତାଭ ବଚ୍ଚନ ପରି ବଡ଼ ତାରକାଙ୍କଠାରୁ ବହୁତ ଅଧିକ। ସେ ବିଶ୍ୱର ଚତୁର୍ଥ ଧନୀ ଚଳଚ୍ଚିତ୍ର ଅଭିନେତା ମଧ୍ୟ ଅଟନ୍ତି। ଏହି ତାଲିକାରେ ତାଙ୍କଠାରୁ ଆଗରେ କେବଳ ଆର୍ନଲ୍ଡ ଶ୍ୱାର୍ଜେନେଗର, ଡେୱନ ଜନସନ ଓ ଟମ କ୍ରୁଜ ଅଛନ୍ତି।

Share