ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ ସେ ଆସନ୍ତା ୨୦୩୦ ପର୍ଯ୍ୟନ୍ତ ଲାଇଭ୍ ସୋ’ରୁ ବିରତି ନେଉଥିବା ଘୋଷଣା କରିଛନ୍ତି। ହାଇଦ୍ରାବାଦରେ ଏକ ଶୋ’ ସମୟରେ ସେ ଏହି ସୂଚନା ଦେଇଛନ୍ତି।
ଜାକିରଙ୍କ ଟିମ୍ର ସୂଚନା ଅନୁଯାୟୀ, ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ମଞ୍ଚ ପ୍ରଦର୍ଶନରୁ ଦୂରେଇ ରହିବେ। ତାଙ୍କ କହିବା ଅନୁଯାୟୀ, ଜୁନ୍ ୨୦ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଟି ଶୋ’ ତାଙ୍କ ପାଇଁ ଏକ ଉତ୍ସବ ସଦୃଶ।
ଇନଷ୍ଟାଗ୍ରାମରେ ଏହି ନିଷ୍ପତ୍ତି ବିଷୟରେ ଜଣାଇ ସେ ଲେଖିଛନ୍ତି ଯେ, “ଏଥର ମୁଁ ଅଧିକ ସହରକୁ ଯାଇପାରିବି ନାହିଁ, ତେଣୁ ଆପଣମାନେ ଟିକେ କଷ୍ଟ କରି ଶୋ’ ଦେଖିବାକୁ ଆସନ୍ତୁ।”
ଗତବର୍ଷ ଜାକିର ନ୍ୟୁୟର୍କର ପ୍ରସିଦ୍ଧ ‘ମାଡିସନ୍ ସ୍କୋୟାର ଗାର୍ଡେନ’ରେ ହିନ୍ଦୀରେ କମେଡି ପ୍ରଦର୍ଶନ କରି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଥିଲେ। ୬,୦୦୦ ଦର୍ଶକଙ୍କ ସମ୍ମୁଖରେ ସେ ଏହି ସଫଳତା ପାଇଥିଲେ।
୨୦୧୨ରେ ‘ଇଣ୍ଡିଆଜ୍ ବେଷ୍ଟ ଷ୍ଟାଣ୍ଡ-ଅପ୍’ ପ୍ରତିଯୋଗିତା ଜିତିବା ପରେ ଜାକିର ଖାନ ରାତାରାତି ଲୋକପ୍ରିୟ ହୋଇଥିଲେ। ନିଜର ‘ସଖ୍ତ ଲୌଣ୍ଡା’ ଅନ୍ଦାଜ ପାଇଁ ପରିଚିତ ଜାକିରଙ୍କ ‘ହକ୍ ସେ ସିଙ୍ଗଲ୍’ ଏବଂ ‘କକ୍ଷା ଗ୍ୟାରଭି’ ଭଳି ଶୋ’ ଦର୍ଶକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି।