ସରକାରୀ ଚାକୀରିଆଙ୍କୁ ୟୁଟ୍ୟୁବରଙ୍କ ଟକ୍କର: ବିବାହରେ ମିଳିଲା ୭୧ ଲକ୍ଷ ଟଙ୍କା, ୨୧ ତୋଳା ସୁନା

ମୁମ୍ବାଇ,୩।୨: ଆଗରୁ ବାହାଘର ପାଇଁ ସରକାରୀ ଚାକିରିଆଙ୍କ ପ୍ରବଳ ଡିମାଣ୍ଡ ଥିଲା। ଏବେ ୟୁଟ୍ୟୁବର ମଧ୍ୟ ଏହି ରେସରେ ସାମିଲ ହୋଇଯାଇଛନ୍ତି। ଜଣେ ଲୋକପ୍ରିୟ ଭାରତୀୟ ୟୁଟ୍ୟୁବରଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଏବେ ଜୋରଦାର ଚର୍ଚ୍ଚା ଓ ବିବାଦ ଆରମ୍ଭ ହୋଇଛି। ପ୍ରାୟ ୨.୪ ମିଲିୟନ୍ ସବସ୍କ୍ରାଇବର୍ସ ଥିବା ୟୁଟ୍ୟୁବର ଅରୁଣ ପନୱାର ବିବାହରେ ବିପୁଳ ପରିମାଣର ଯୌତୁକ ନେଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ତାଙ୍କୁ ୭୧ ଲକ୍ଷ ଟଙ୍କା ନଗଦ ଏବଂ ୨୧ ତୋଳା ସୁନା ଉପହାର ସ୍ୱରୂପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

ଭାଇରାଲ ହେଉଥିବା ଭିଡିଓରେ ଅରୁଣ ଏହାକୁ ‘ଦାନ’ ବୋଲି କହୁଥିବା ବେଳେ ୟୁଜର୍ସମାନେ ଏହାକୁ ଖୋଲାଖୋଲି ଯୌତୁକ ପ୍ରଥାର ପ୍ରୋତ୍ସାହନ ବୋଲି ସମାଲୋଚନା କରିଛନ୍ତି। ଦାବି କରାଯାଉଛି ଯେ ଅରୁଣ ନିଜ ୟୁଟ୍ୟୁବ୍ ଚ୍ୟାନେଲରୁ ମାସିକ ୨୦ ରୁ ୨୫ ଲକ୍ଷ ଟଙ୍କା ଆୟ କରନ୍ତି। ଏହା ସତ୍ତ୍ୱେ ବିବାହରେ ଏତେ ପରିମାଣର ଅର୍ଥ ଓ ସୁନା ନେବାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ତେବେ ଆଜିର ଦିନରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ମଧ୍ୟ ଯୌତୁକ ପ୍ରଥାକୁ ଏପରି ଭାବେ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅନେକ ୟୁଜର୍ସ ମତ ଦେଇଛନ୍ତି।

ଭାରତୀୟ ଆଇନ ଅନୁଯାୟୀ, ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଅନୁସାରେ ଯୌତୁକ ନେବା ଓ ଦେବା ଉଭୟ ଅପରାଧ। ଭିଡିଓଟି ଭାଇରାଲ ହେବା ପରେ ୟୁଟ୍ୟୁବରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହେଉଛି। ତେବେ ବର୍ତ୍ତମାନ ସୁଦ୍ଧା ଅରୁଣଙ୍କ ପକ୍ଷରୁ ଏହି ବିବାଦକୁ ନେଇ କୌଣସି ଆଧିକାରିକ ସ୍ପଷ୍ଟିକରଣ ମିଳିନାହିଁ।

Share