YouTube କଣ୍ଟେଣ୍ଟ କ୍ରିଏଟର୍ସ ହେବେ ମାଲାମାଲ: ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧: YouTube କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଖୁସିଖବର। ଚଳିତବର୍ଷ କଣ୍ଟେଣ୍ଟ କ୍ରିଏଟର୍‌ଙ୍କ ଉପରେ ହେବ ଟଙ୍କା ବର୍ଷା। ସେମାନଙ୍କୁ ଅଧିକ ରୋଜଗାର କରିବାରେ ସାହାଯ୍ୟ କରିବା ପାଇଁ YouTube ଅନେକ ନୂତନ ଉପାୟ ପ୍ରଚଳନ କରୁଛି। YouTube ସିଇଓ ନିଆଲ ମୋହନ ଏହି ବର୍ଷ ପାଇଁ କମ୍ପାନୀର ଯୋଜନା ଶେୟାର କରିଛନ୍ତି। ଏଥିରେ କ୍ରିଏଟରଙ୍କ ରୋଜଗାର ବୃଦ୍ଧି କରିବା, AI ଉପରେ ଧ୍ୟାନ ଦେବା, Shorts କୁ ଅଧିକ ଆକର୍ଷଣୀୟ କରିବା ସହ ପିଲା ଏବଂ କିଶୋରମାନଙ୍କ ପାଇଁ ସୁରକ୍ଷାକୁ ସୁଦୃଢ଼ କରିବା ସାମିଲ ଅଛି।

ଗତ ଚାରି ବର୍ଷ ମଧ୍ୟରେ, YouTube କ୍ରିଏଟର, କଳାକାର ଏବଂ ମିଡିଆ କମ୍ପାନୀଗୁଡ଼ିକୁ ସେମାନଙ୍କ ବିଷୟବସ୍ତୁ ପାଇଁ ୧୦୦ ଡଲାର ବିଲିୟନରୁ ଅଧିକ ଦେୟ ଦେଇଛି। ଏହି ଧାରା ଏହି ବର୍ଷ ଜାରି ରହିବ। ୨୦୨୬ରେ, YouTube କ୍ରିଏଟରମାନଙ୍କ ପାଇଁ ବିଭିନ୍ନ ଉପାର୍ଜନକ୍ଷମତା ପଦ୍ଧତିରେ ବିପୁଳ ପରିମାଣରେ ନିବେଶ କରିବାକୁ ଯୋଜନା କରୁଛି, ଯାହା ସେମାନଙ୍କୁ ଶପିଂ ଏବଂ ବ୍ରାଣ୍ଡ ଡିଲ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଅନୁମତି ଦେବ। ବର୍ତ୍ତମାନ ଲିଙ୍କ ହୋଇଥିବା ଉତ୍ପାଦ କିଣିବା ପାଇଁ ୟୁଜର୍ସମାନଙ୍କୁ ଅନ୍ୟ ପ୍ଲାଟଫର୍ମକୁ ଯିବାକୁ ପଡେ, କିନ୍ତୁ ଖୁବ ଶୀଘ୍ର ୟୁଜର୍ସମାନେ YouTube ରେ ସିଧାସଳଖ ଉତ୍ପାଦ କିଣିପାରିବେ।

YouTube କହିଛି ଯେ, ଡିସେମ୍ବରରେ ୧୦ ଲକ୍ଷରୁ ଅଧିକ ଚ୍ୟାନେଲ ଏହାର AI ସୃଷ୍ଟି ଉପକରଣ ବ୍ୟବହାର କରିଥିଲେ। ଏହି ବର୍ଷ ୟୁଜର୍ସମାନେ AI ସାହାଯ୍ୟରେ ସର୍ଟ ଏବଂ ଗେମ୍ସ ମଧ୍ୟ ତିଆରି କରିପାରିବେ। କମ୍ପାନୀ ଏହାର ପ୍ଲାଟଫର୍ମରୁ AI ସହିତ ସୃଷ୍ଟି ହୋଇଥିବା କ୍ଷତିକାରକ ବିଷୟବସ୍ତୁକୁ ହଟାଇବା ପାଇଁ ମଧ୍ୟ ଚେଷ୍ଟା କରିବ। ଏହି ବର୍ଷ ୟୁଜର୍ସମାନେ YouTube ରେ ଅନେକ ନୂତନ AI ଫିଚର୍ସ ଦେଖିବାକୁ ପାଇବେ।

YouTube ଏହି ବର୍ଷ ଶିଶୁ ଏବଂ କିଶୋର ୟୁଜର୍ସଙ୍କ ପାଇଁ ଏହାର ପ୍ଲାଟଫର୍ମକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି ଏବଂ ଏହି ପ୍ରକ୍ରିୟା ପୂର୍ବରୁ ଆରମ୍ଭ ହୋଇସାରିଛି। ସମ୍ପ୍ରତି YouTube ନୂତନ ଅଭିଭାବକ ନିୟନ୍ତ୍ରଣ ପ୍ରଚଳନ କରିଛି, ଯେଉଁଥିରେ ମାତାପିତାମାନେ ସେମାନଙ୍କ ଛୋଟ ପିଲାମାନଙ୍କ ପାଇଁ ସର୍ଟ ଦେଖିବା ପାଇଁ ସମୟ ସ୍ଥିର କରିପାରିବେ।

 

Dharitri – Odisha’s No.1 Odia Daily