ଯୁବକଙ୍କୁ ପଥରରେ ଛେଚି ହତ୍ୟା: କାରଣ ଖୋଜୁଛି ପୋଲିସ

ଲହୁଣୀପଡ଼ା,୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଧୀନ ଜାମୁଡ଼ିହି ପଞ୍ଚାୟତ କୁଞ୍ଚପାଣି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗ୍ରାମର ସ୍ବର୍ଗତ ଲାକା ମୁଣ୍ଡାଙ୍କ ପୁଅ ବିଲିୟମ ମୁଣ୍ଡା(୩୬)।

ମୃତଦେହ ସତ୍କାର ଲାଗି ଗାଁ ଲୋକଙ୍କ ସହିତ ବିଲିୟମ ଯାଇଥିଲେ। ଲୋକମାନେ ଘରକୁ ଫେରିଥିବାବେଳେ ବିଲିୟମ ଘରକୁ ଫେରି ନ ଥିଲେ। ଫଳରେ ପରିବାର ଲୋକ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶୁକ୍ରବାର ରାସ୍ତା କଡରେ ମୃତଦେହ ପଡିଥିବା କିଛି ଲୋକ ଦେଖି ସୂଚନା ଦେଇଥିଲେ। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବିଲିୟମ ମୃତଦେହ ଚିହ୍ନଟ କରିଥିଲେ। ପରେ କେ. ବଲାଙ୍ଗ ଥାନାକୁ ସୂଚନା ଦେଇଥିଲେ। ଖବରପାଇ କେ.ବଲାଙ୍ଗ ଥାନା ପୋଲିସ ସଦଳବଳେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣୀପଡ଼ା ଡାକ୍ତରଖାନାକୁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛି। ବିଲିୟମ ମୁଣ୍ଡାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଟାଚିହ୍ନ ଥିବାବେଳେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ହତ୍ୟାର କାରଣ ଜଣାପଡି ନ ଥିବାବେଳେ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ତନାଘନା ଜାରି ରଖିଛି।