ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର: ମାମଲା ରୁଜୁ କଲା ପୋଲିସ 

ଦିଗପହଣ୍ଡି,୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି.ସଞ୍ଜୟ ରେଡ୍ଡୀଙ୍କୁ ତାଙ୍କ ପଡୋଶୀ ଜି. ଡୋରା ରେଡ୍ଡୀ ଓ ତାଙ୍କ ସମ୍ପର୍କୀୟ ମାନେ ସଂଘବଦ୍ଧ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।ସଞ୍ଜୟ ଏନେଇ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୩୧/୨୫ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏସ.ଆଇ ସୋଫିଆ ମିଶ୍ରଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ରାତି ପ୍ରାୟ ୮ ଟାରେ ସଞ୍ଜୟ ରାତ୍ରି ଭୋଜନ ସାରି ଘର ବାରଣ୍ଡାରେ ଶୋଇଥିବା ବେଳେ ପଡୋଶୀ ଡୋରା ରେଡ୍ଡୀ ନିଶାସକ୍ତ ଅବସ୍ଥାରେ ତାଙ୍କ ଛୋଟ ପୁଅ ପ୍ରତ୍ୟୁଷଙ୍କୁ ଘର ସମ୍ମୁଖରେ ମାଡ଼ ମାରିବାରୁ ସେ ବିକଳରେ କାନ୍ଦିଥିଲେ। କାନ୍ଦ ଶୁଣି ସଞ୍ଜୟ ଛଡ଼ାଇବାକୁ ଯିବାରୁ ଡୋରା ଏକ ଲୁହାଛଡ଼ରେ ସଞ୍ଜୟଙ୍କ ମୁଣ୍ଡକୁ ମାଡ଼ ମାରିଥିଲେ।

ସେ ତଳେ ପଡିଯିବାରୁ ଡୋରାଙ୍କ ଶ୍ଵଶୁର କେ. ଦେବରାଜ ରେଡ୍ଡୀ, ଡୋରାଙ୍କ ସ୍ତ୍ରୀ ଅପରାଜିତା ରେଡ୍ଡୀ ଠେଙ୍ଗା ଓ କାଠ ଫାଳିଆରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସାହି ପଡୋଶୀ ଦୌଡ଼ି ଆସିବାରୁ ସେମାନେ ତାଙ୍କୁ ଧମକ ଦେଇ ସେଠାରୁ ପଳାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ହେବା ପରେ ଘଟଣାର ପରଦିନ ସଞ୍ଜୟ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିବା ପୋଲିସ କହିଛି।

Share
Tags: digapahandi