ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ମୋହନା ବ୍ଲକରେ ଗୁଣି ସନ୍ଦେହରେ ହତ୍ୟା l ଜିରାଙ୍ଗ ପଞ୍ଚାୟତ କମଳାପୁର ଗାଁର କରୁଣାକର ଦଳାଇ(୩୦)ଙ୍କୁ କୁସୁମପୁର ଗାଁର କେତେଜଣ ଯୁବକ ମିଶି ହତ୍ୟା କରିବା ପରେ ପୋତି ଦେଇଥିବା ନେଇ ପରିବାର ଲୋକେ ମୋହନା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରି ଏଥିରେ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିଛି। ପରେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ମାଟିତଳୁ ପୋତାଯାଇଥିବା ମୃତଦେହ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମଣ ମଳିକ, କିଶୋର ମଳିକ, ବନମାଳି ମଳିକ, ମୋହନ ମଳିକ, କାଳିଆ ମଳିକ, ସନ୍ତୋଷ ମଳିକ, ଚୈତନ୍ୟ ମଳିକ, ତୁମ୍ବନାଥ ମଳିକ ଓ ଦାମୋଦର ମଳିକ। ନିକଟରେ ଗୁଣି ଗାରେଡି ସନ୍ଦେହରେ ବ୍ଲକରେ ଏକ ହତ୍ୟା ଘଟଣା ଘଟିଥିବା ବେଳେ ପୁଣି ଏକ ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି।
ଖବରରୁ ଜଣାପଡିଛି, କମଳାପୁର ଗାଁର କରୁଣାକର ଦଳାଇ ପ୍ରାୟ ୮ ମାସ ହେବ କୁସୁମପୁର ଗାଁରେ ରହି ଆସୁଥିଲେ। ଗାଁରେ ରହି ସେ କାହାର ସ୍ବାସ୍ଥ୍ୟ ଖରାପ ହେଲେ ତାଙ୍କ ନିକଟକୁ ଆସିଲେ ଲୋକଙ୍କୁ ଚେରମୂଳି ଔଷଧ ଦେଉଥିଲେ। କିଛି ଦିନ ତଳେ କୁସୁମପୁର ଗାଁର ଜଣେ ବ୍ୟକ୍ତିଙ୍କ ୧୨ ବର୍ଷର ପୁଅର ମୃତ୍ୟୁ ଘଟିଥିଲା। ଏଥିପାଇଁ ଗ୍ରାମବାସୀ କରୁଣାକର ହିଁ ଗୁଣି କରି ତାଙ୍କୁ ମାରିଦେଇଥିବା ସନ୍ଦେହ କରିଥିଲେ। ଏହାକୁ ନେଇ ଜୁଲାଇ ୨୮ରେ ଗ୍ରାମର କେତେଜଣ ବ୍ୟକ୍ତି ଅଙ୍ଗନଓ୍ବାଡି କେନ୍ଦ୍ରରେ କରୁଣାକରଙ୍କୁ ଅଟକ ରଖି ତାଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ। ପ୍ରବଳ ମାଡ଼ ମାରି ତାଙ୍କୁ ହତ୍ୟା କରିବା ପରେ ଗାଁ ନିକଟସ୍ଥ ଜଙ୍ଗଲରେ କରୁଣାକରଙ୍କୁ ପୋତି ଦେଇଥିବା ତାଙ୍କ ଭାଉଜ ସବିତା ଦଳାଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ. ୧୧୮/୨୫) ରୁଜୁ କରି ଗାଁରେ ପହଞ୍ଚି ତନାଘନା କରି କରୁଣାକରଙ୍କୁ ହତ୍ୟା କରିଥିବା ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଗୁରୁବାର ପୋଲସ ସାଇଣ୍ଟିଫିକ ଟିମ ଏବଂ ତହସିଲଦାର ଚକ୍ରଧର ପାଢ଼ୀଙ୍କ ଉପସ୍ଥିତିରେ ମାଟି ଖୋଳି ମୃତଦେହ ଜବତ କରାଯାଇଥିଲା। ପରେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି।