ଗଞ୍ଜାମ,୧୯ା୧୦(ଅଖିଳ ତରାଇ): ୧୬ ନମ୍ବର ଜାତୀୟ ରାଜପଥ ହୁମ୍ମା ଖଜୁରିଆପଲ୍ଲୀ ଛକ ନିକଟରେ ରବିବାର ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ନରେନ୍ଦ୍ର ବାଲି ଗ୍ରାମର ରାମଚନ୍ଦ୍ର ମହାରଣା।
ସୂଚନାନୁଯାୟୀ, ରାମଚନ୍ଦ୍ର ହୁମ୍ମା ହାଟରୁ କିଛି ଜିନିଷ କିଣି ଫେରୁଥିବା ସମୟରେ ଖଜୁରିଆପଲ୍ଲୀ ଛକରେ ବସ୍ ଅପେକ୍ଷା କରୁଥିଲେ। ହଠାତ୍ ଏକ ଦୃତଗାମୀ ପିକଅପ୍ ଭ୍ୟାନ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ ଚାଳକ ଗାଡ଼ି ନେଇ ଫେରାର ହୋଇଛନ୍ତି। ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ସତ୍ୟ ବେଣିଆ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ପଠାଯାଇଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଫେରାର ଚାଳକକୁ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି।