କୋକସରା,୨୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ପୁରୁଣା ଫରେଷ୍ଟ କ୍ବାଟର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଖସି ପଡ଼ିଥିଲେ ଜଣେ ଯୁବକ। ମଙ୍ଗଳବାର ବିଳମ୍ବିତ ରାତିରେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅକ୍ଲାନ୍ତ ଉଦ୍ୟମ କରି ଗଭୀର କୂଅରେ ପଡିଥିବା ଉକ୍ତ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକ ହେଲେ ଆମପାଣି ଗ୍ରାମର କୁନୁ ପରାଭୋଇ(୪୨)। ତାଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ରାତିରେ ସେ ପରିତ୍ୟକ୍ତ କୂଅରେ ପଡି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଜରୁରୀକାଳୀନ ୧୧୨ ନମ୍ବରରେ ଯୋଗାଯୋଗ କରିଥିଲେ। ଖବର ପାଇ ବିଳମ୍ବିତ ରାତିରେ ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି କୂଅରୁ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କୋକସରା ସ୍ବାସ୍ଥ୍ୟକେନ୍ଦ୍ରରେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଠିକ ଥିବା ଜଣାପଡିଛି।