ହୋମଗାର୍ଡ ପରୀକ୍ଷାବେଳେ ଯୁବକ ଗୁରୁତର: ଗଞ୍ଜାମର ୪ ସ୍ଥାନରେ ଚାଲିଛି ପରୀକ୍ଷା

ଭଞ୍ଜନଗର,୭।୨(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଶନିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଚାଲିଛି। ଆଜି ସକାଳ ୫ଟାରୁ ପରୀକ୍ଷା ଚାଲିଛି। ଏହା ପୁର୍ବରୁ ଆବେଦନକାରୀମାନଙ୍କ ସୁଗାର, ବିପି, ହାର୍ଟ ଯାଞ୍ଚ ହେଉଛି। ଗଞ୍ଜାମ ପୋଲିସ ଜିଲାର ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ରେ ଆଜି ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଚାଲିଛି । ଏମବିଏ, ବିଟେକ ଆବେଦନକାରୀ ପରୀକ୍ଷା ଦେଉଛନ୍ତି।
ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା କଡ଼ାସୁରକ୍ଷା ମଧ୍ୟରେ ପରୀକ୍ଷା ଚାଲିଛି। ଗଞ୍ଜାମ ପୋଲିସ ଜିଲାରେ ୧୩୫ଟି ପଦବୀ ପାଇଁ ୭୫୦୦ରୁ ଉର୍ଦ୍ଧ୍ୱ ଆବେଦନ କରିଥିଲେ। ସେଥିମଧ୍ୟରୁ ଅଧିକାଂଶ ପ୍ରାର୍ଥି କଟି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଆଜି ପରୀକ୍ଷା ସରିବା ପରେ ଆଗାମୀ ଦିନରେ viva ପରୀକ୍ଷା ହେବ। ଏହାପରେ ଚୁଡାନ୍ତ ପରୀକ୍ଷା ଫଳ ପ୍ରକାଶିତ ହେବ।

ଚଳିତ ମାସ ଶେଷ ସୁଦ୍ଧା ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡ଼ିଆରେ ମଧ୍ୟ ଆଜି କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ଚାଲିଛି। ଏଠି ୧୦୪ ଜଣ ଆବେଦନକାରୀ ଭାଗ ନେଇଛନ୍ତି। ଭଞ୍ଜନଗର ଏଏସପି ରଞ୍ଜନ କୁମାର ଦେ, ଏସଡିପିଓ ଡ. ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ତାରସିଂ ଥାନା ଅଧିକାରୀ ସୁଭଲକ୍ଷ୍ମି ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ପରୀକ୍ଷା ଚାଲିଛି।

୧୩୫ଟି ପଦବୀ ମଧ୍ୟରୁ ୧୦୧ ପୁରୁଷ ଏବଂ ୩୪ ଜଣ ମହିଳା ଗୃହରକ୍ଷୀ ଚୟନ ହେବେ। ସେଥିମଧ୍ୟରୁ ସାମୁଦ୍ରିକ ଥାନା ପାଇଁ ୧୫ ଜଣ, ସାଧାରଣ ଡ୍ୟୁଟି ୫୫ ଜଣ, କମ୍ପ୍ୟୁଟର ୪୦, ଡ୍ରାଇଭର ୧୦, ରୋଷେୟା ୬, ବୈଦ୍ୟୁତିକ ମିସ୍ତ୍ରୀ ୨, ମେସ ସହାୟକ ୨ ଓ ଧୋବୀ, ବାରିକ, ଦରଜୀ, ପାଣି ପାଇପ ମିସ୍ତ୍ରୀ, ମୋଚି ପଦବୀ ପାଇଁ ଜଣେ ଲେଖାଁଏ ନିଯୁକ୍ତି ହେବେ। ଆସ୍କା, ପୁରୁଷୋତ୍ତମପୁର, ଭଞ୍ଜନଗର , ଛତ୍ରପୁର କେନ୍ଦ୍ରରେ ଆଜି ସାଧରଣ ଡ୍ୟୁଟି ପାଇଁ ପରୀକ୍ଷା ଚାଲିଛି। ଭଞ୍ଜନଗର କେନ୍ଦ୍ରରେ ୨୦୦ ମିଟର ଦୌଡ଼ିବା ସମୟରେ ଜଣେ ପ୍ରାର୍ଥୀ ତଳେ ପଡ଼ି ଆହତ ହୋଇଛନ୍ତି। ସେହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ କେଳାପଙ୍କା ଗ୍ରାମର ସୁନିଲ କୁମାର ପରିଡ଼ା। ତାଙ୍କର ଡାହାଣ ହାତ ଖଞ୍ଜା ଖସିଯାଇଛି । ଏହାପରେ ସେଠାରେ ଉପସ୍ଥିତ ଥିବା ଅଧିକାରୀମାନଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ନିଆଯାଇଛି। ଅଧିକାରୀମାନେ ମେଡ଼ିକାଲରେ ରହି ତାଙ୍କର ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି। ଏସଡିପିଓ ଡ. ଦୀପକ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି। ଯୁବକ ଜଣଙ୍କ ସାମାନ୍ୟ ଆହତ ହୋଇଛନ୍ତି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।
ଆଜି ସାଧାରଣ ଡ୍ୟୁଟି ସରିବା ପରେ ଆଗାମୀ ଦିନରେ ଆଗାମୀ ଦିନରେ ଅନ୍ୟାନ୍ୟ
ଟ୍ରେଡ ଯଥା କମ୍ପ୍ୟୁଟର, ଡ୍ରାଇଭର, ରୋଷେୟା ସମେତ ଅନ୍ୟାନ୍ୟ ପରୀକ୍ଷା ହେବ। ଅପରପକ୍ଷେ ଆଜି ପରୀକ୍ଷା ଦେବା ସମୟରେ କେତେକ ଆବେଦନକାରୀ ଏଠାରେ କହିଛନ୍ତି ଯେ ଆମେ ସାଧାରଣ ଡ୍ୟୁଟିି ପାଇଁ ଆବେଦନ କରିଥିଲୁ। ଆସିଛି କମ୍ପ୍ୟୁଟର ପାଇଁ। ଆଉ କିଛି ଜଣ କମ୍ପ୍ୟୁଟର ପାଇଁ ଆବେଦନ କରିଥିବା ବେଳେ ସେମାନଙ୍କ ସାଧାରଣ ଡ୍ୟୁଟି ପାଇଁ ଆସିଛି। ତେଣୁ ଉକ୍ତ ପରୀକ୍ଷାର୍ଥୀ ମାନେ ନିଜର ସଫଳତା ନେଇ ଦ୍ବନ୍ଦରେ ଅଛନ୍ତି।

Dharitri – Odisha’s No.1 Odia Daily

 

Share