ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ; ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋକର୍ଣ୍ଣପୁର-ବଡଡୁମ୍ବୁଳା ରାସ୍ତାର ଶନିଶ୍ଚର ମନ୍ଦିର ନିକଟରେ ‘ବୀଣାପାଣି’ ନାମକ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଡି. ରୋହିତ ଦୋରା (୩୫) ବୋଲି ଜଣାପଡ଼ିଛି।

ରବିବାର ସକାଳ ପ୍ରାୟ ୬:୩୦ ସମୟରେ ବୀଣାପାଣି ବସ (OD 02 R 9699) ରୋହିତଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଓ ସମ୍ପର୍କୀୟମାନେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ଏଥିଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ଏବଂ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ପକ୍ଷରୁ ସହାୟତା ପ୍ରତିଶ୍ରୁତି ପାଇବା ପରେ ରାସ୍ତା ଅବରୋଧ ହଟିଥିଲା।

ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ସନ୍ତୋଷ କୁମାର ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ୩୦,୦୦୦ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି।

ପୋଲିସ ଏନେଇ ଏକ ମାମଲା (ନଂ. ୧୪/୨୬) ରୁଜୁ କରିବା ସହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ରୋହିତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।

Share
Tags: digapahandi