ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ଥିବା ଆପୋଲ ଟାୟାର ଅଫିସ ସମ୍ମୁଖରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିିଛି। ସେ ହେଲେ କଟକ ଜିଲା ଗୁରୁଡିଝାଟିଆଡି ଥାନା ଅନ୍ତର୍ଗତ ବଳବାହାପୁର ଗ୍ରାମର ସୁଦାମା ଗୋଛି (୪୨)।
ସୂଚନା ମୁତାବକ, ଆଜି ପୂର୍ବାହ୍ନରେ ହାଇୱା ଡ୍ରାଇଭର ଟାୟାର ବଦଳାଇବା ପାଇଁ ତାରିଣୀ ଛକ ନିକଟକୁ ଯାଇଥିଲେ। ସେଠାରେ ଟାୟାର ମରାମତି ଦୋକାନ ବନ୍ଦ ଥିବା କାରଣରୁ ଗାଡ଼ି ଡ଼ାଲା ଉପରକୁ ଟାୟାର ଗୁଡ଼ିକ ରଖି ଦେଇଥିଲେ। କିନ୍ତୁ ସେହି ସମୟରେ କୌଣସି କାରଣରୁ ନିକଟରେ ଥିବା ୧୧kv ଲାଇନ ତାର ସଂସ୍ପର୍ଶରେ ସେଗୁଡ଼ିକ ଆସି ଜଳିବାକୁ ଲାଗିଥିଲା। ଡ୍ରାଇଭର ଗାଡିରୁ ଓହ୍ଲାଇ ଗାଡିର ପଛ ଟାୟାରଟି ଜଳୁଥିବା ଦେଖିବାକୁ ପାଇଥିଲେ। ପାଣି ଆଣି ପକାଉଥିବାବେଳେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ବଡଚଣା ମେଡିକାଲକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।