ଭଉଣୀଙ୍କ ସହ ଘରୁ ବାହାରିଥିଲେ, ଆଉ ଫେରିଲେନି; ଦୁର୍ଘଟଣାରେ ଚାଲିଗଲା…

ମୋହନା,୧୩।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ କଟାମା ପଞ୍ଚାୟତର ପୂର୍ବତନ ସରପଞ୍ଚ ହାଡ଼ିଆ କନ୍ଧଙ୍କ ପୁଅ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ସେ ହେଲେ ପୃଥିବୀରାଜ କନ୍ଧ(୧୭)।
ସୂଚନା ପ୍ରକାରେ, ଅଡବା ଥାନା ଅନ୍ତର୍ଗତ କାଟାମା ପଞ୍ଚାୟତ ଡ଼ାଞ୍ଜରୁବା ଗାଁ ର ଗୁରୁବାର ଦିନ ସକାଳ ୧୦ଟା ସମୟରେ ପୃଥିବୀରାଜ ଭଉଣୀଙ୍କ ପାଇଁ ଆବଶ୍ୟକ ଥିବା ପାନ କାର୍ଡ ଆବେଦନ କରିବା ପାଇଁ ବାଇକ ଯୋଗେ ବ୍ରାହ୍ମଣୀ ଗାଁକୁ ଯାଇଥିଲେ।ସେଠାରେ ପାନ କାର୍ଡ ଆବେଦନ ହୋଇ ନ ପାରିବାରୁ ସେଠାରୁ ଫେରି କଟାମା ଗାଁରେ ଥିବା ଜନ ସେବା କେନ୍ଦ୍ରରେ ଭଉଣୀକୁ ଛାଡି ନିଜ ଗାଁକୁ ଯାଇଥିଲେ। ସେ ଫେରିବାର ବିଳମ୍ବ ହେବାରୁ ଭଉଣୀ ବାପା ହାଡ଼ିଆ କନ୍ଧଙ୍କୁ ଯୋଗାଯୋଗ କରିଥିଲେ। ପରେ ବାପା ଆସି ଖୋଜା ଖୋଜି କରିବା ପରେ ନିଜ ମକା ବାଡ଼ରେ ବାଇକ ସହ ପୃଥିବୀରାଜ ଗୁରୁତର ଅବସ୍ଥାରେ ପଡି ରହିଥିବା ଦେଖି ସଙ୍ଗେ ସଙ୍ଗେ ଗାଁ ନିକଟ ବ୍ରାହ୍ମଣୀ ଗାଁ ଉପ ସୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବା ଯୋଗୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ। ଡାକ୍ତର କିରନ କୁମାର ସାହୁ ପୃଥିବୀରାଜକୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଅଡ଼ବା ପୁଲିସ ତଦନ୍ତ ଜାରି ରଖିଛି ।
Dharitri – Odisha’s No.1 Odia Daily

Share