ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି। ମୃତକ ଯୁବକ ଜଣଙ୍କ କୋରାପୁଟ ପ୍ରତିଭା ନର୍ସିଂ କଲେଜର ଆକାଉଣ୍ଟାଣ୍ଟ ଭବାନୀ ଶଙ୍କର ମହାନ୍ତି (୩୨) ବୋଲି ପରିଚୟ ମିଳିଛି। ନନ୍ଦପୁର ପୋଲିସ ଥାନାଧିକାରୀ ତ୍ରିନାଥ ତୋଟା ପାଡିଆ, ଅଗ୍ନିଶମ ବାହିନୀ ଏଏସଓ ହେମନ୍ତ କୁମାର ସାମଲଙ୍କ ଟିମ ସହ ନନ୍ଦପୁର ବନପାଳ ଗୋପୀନାଥ ପାଙ୍ଗି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛନ୍ତି।

ସୂଚନା ମୁତାବକ, ଜଗତସିଂପୁର ଜିଲାର ବାସିନ୍ଦା ଭବାନୀ କୋରାପୁଟ ପ୍ରତିଭା ନର୍ସିଂ କଲେଜରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ଗୁରୁବାର ଭୁବନେଶ୍ୱରରୁ ବୁଲି ଆସିଥିବା ଭିଣେଇ ସାନ କୁମାର ଓ ନର୍ସିଂ କଲେଜର ଅନ୍ୟ ଦୁଇ ଛାତ୍ର ନିତ୍ୟ ସାହୁ, ରିତେଶ ନାଗଙ୍କ ସମେତ ବନ୍ଧୁ ଇସ୍ମାଇଲ ହନ୍ତାଳଙ୍କ ସହ ମିଶି ଦୁଇଟି ସ୍କୁଟିରେ ରାଣୀଡୁଡୁମା ବୁଲି ଆସିଥିଲେ। ମଉଜ ମସ୍ତି କରିବା ସହ ରାଣୀଡୁଡୁମାର ତଳ ଦେଶରେ ଗାଧେଇବାକୁ ପାଣି ଭିତରେ ପଶିଥିଲେ। ଭାଗ୍ୟର ବିଡ଼ମ୍ବନା ସାଙ୍ଗରେ ଥିବା ଅନ୍ୟ ୪ ଜଣ ପହଁରା ଜାଣି ନଥିଲେ। ଫଳରେ ଉକ୍ତ ପାଣିରେ ବୁଡି ଭବାନୀଙ୍କ ମୃତ୍ୟୁ ହୋଇଥିଲା। ଭିଣେଇ ସାନ କୁମାରଙ୍କ ଏତଲା କ୍ରମେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ କରୁଛି।

Dharitri – Odisha’s No.1 Odia Daily

Share